ମୁଜଫରନଗର ୦୮/୦୭: ଉତ୍ତରପ୍ରଦେଶର ମୁଜଫରନଗରରୁ ଏକ  ଅଜବ ମାମଲା ସାମ୍ନାକୁ ଆସିଛି । ପତ୍ନୀଙ୍କ ଦ୍ୱାରା  ନିର୍ଯାତିତ ଜଣେ ଯୁବକ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ  ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଇଚ୍ଛାମୃତ୍ୟୁ ପାଇଁ  ଗୁହାରି କରିଛନ୍ତି । ଗାନ୍ଧୀନଗର କଲୋନି ବାସିନ୍ଦା ସୁମିତ ସୈନୀ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ । ହାତରେ ଏକ ବଡ଼ ବ୍ୟାନର୍‌ ଧରି ଅଧିକାରୀମାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କଲେ ଏବଂ ଇଚ୍ଛାମୃତ୍ୟୁ  ଦାବି କଲେ । ବ୍ୟାନର୍‌ରେ ସୁମିତ ଲେଖିଥିଲେ ‘ଜଣେ ଗରିବର ଗୁହାରି... ଇଚ୍ଛାମୃତ୍ୟୁ ଦାବି ।  ଆଦରଣୀୟା ରାଷ୍ଟ୍ରପତି ମହୋଦୟା, ମାନନୀୟ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ମାନନୀୟ  ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଜୀ, ମୁଁ  ଅତ୍ୟନ୍ତ ଗରିବ ବ୍ୟକ୍ତି । ପତ୍ନୀ ପିଙ୍କି ପାଇଁ  ଚିନ୍ତିତ (ହତାଶ) ହୋଇ ଆପଣଙ୍କ ପାଖରେ  ଇଚ୍ଛାମୃତ୍ୟୁ ପାଇଁ ଦାବି କରୁଛି ।’ ଏଥିସହ ସେ  ନିଜ ନାଁ, ବାପାଙ୍କ ନାଁ, ଠିକଣା ଓ ମୋବାଇଲ ଫୋନ୍‌ ନମ୍ବର ବି ଲେଖିଛନ୍ତି । 

ସୁମିତ କହିଛନ୍ତି, ୨୦୨୪, ଜୁଲାଇ ୧ରେ  କୁକଡ଼ା ଗାଁର ବାସିନ୍ଦା ପିଙ୍କି ନାମ୍ନୀ ଜଣେ  ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା ।  ବିବାହ ପରଦିନ ହିଁ ପିଙ୍କି ତାଙ୍କୁ କହିଲେ ଯେ  ତାଙ୍କ ଇଚ୍ଛା ବିରୁଦ୍ଧରେ ଏହି ବିବାହ ହୋଇଛି  ଏବଂ ସେ ଅନ୍ୟ ଜଣଙ୍କୁ ଭଲପାଆନ୍ତି ।  ତା’ପରଠୁ ସେ ସୁମିତଙ୍କ ସହ ଝଗଡ଼ା, ଗାଳି  ଓ ମାର୍‌ପିଟ୍‌ କରୁଛନ୍ତି । ସୁମିତଙ୍କ ଅନୁସାରେ, ଗତ ୬ ମାସ ହେଲା ପିଙ୍କି ତାଙ୍କ ବାପଘରେ  ରହୁଛନ୍ତି । କିନ୍ତୁ ଫୋନ୍‌ରେ ଧମକ ଦେଉଛନ୍ତି ଏବଂ ଲୋକଙ୍କୁ ପଠାଇ ତାଙ୍କୁ ମାର୍‌ପିଟ କରୁଛନ୍ତି । ଅନେକ ଥର ସେ ତାଙ୍କୁ ଆଣିବାକୁ ଯାଇଛନ୍ତି,କିନ୍ତୁ ଶ୍ୱଶୁରଘର ଲୋକେ ମନା କରି ଦେଇଛନ୍ତି । ସୁମିତ ଅଭିଯୋଗ କରିଛନ୍ତି, ବିବାହ ପୂର୍ବରୁ ଶ୍ୱଶୁରଘର  ଲୋକ ପତ୍ନୀଙ୍କ ବୟସ ଲୁଚାଇଥିଲେ। 

ସୁମିତଙ୍କ  ବୟସ ୨୭ ବର୍ଷ, କିନ୍ତୁ ପତ୍ନୀଙ୍କ ବୟସ ୩୫  ବର୍ଷ । ସୁମିତଙ୍କ ବାପା ନିଜ ପରିବାର ସମ୍ପତ୍ତିର ୮ ଲକ୍ଷରୁ ୫ ଲକ୍ଷ ବିବାହରେ ଖର୍ଚ୍ଚ କରିଥିଲେ । ଦୁହିଁଙ୍କ ମଧ୍ୟରେ ଯେତେବେଳେ ସମସ୍ୟା ବଢ଼ିଲା, ନଗଦ ୩ ଲକ୍ଷ ଟଙ୍କା ପିଙ୍କିଙ୍କୁ ଦେଇ ମାମଲା ଶାନ୍ତ  କରିବାକୁ ଚେଷ୍ଟା କଲେ। କିନ୍ତୁ ପିଙ୍କିଙ୍କ ନିର୍ଯାତନା  ଜାରି ରହିଲା ବୋଲି ସୁମିତ କହିଛନ୍ତି । ସୁମିତଙ୍କ ଦାବି ଯେ କୋର୍ଟରେ ସେକ୍ସନ୍‌-୯ ଅନ୍ତର୍ଗତ ସେ ପତ୍ନୀଙ୍କୁ ଫେରାଇ ଆଣିବାକୁ  ପ୍ରୟାସ କରିଥିଲେ । କିନ୍ତୁ ଏହା ବଦଳରେ  ଶ୍ୱଶୁରଘର ଲୋକ ତାଙ୍କ ଉପରେ ମିଛ  ଅଭିଯୋଗ ଆଣିଲେ । ଏବେ ସେ ମାନସିକ  ସ୍ତରରେ ଭାଙ୍ଗି ପଡ଼ିଛନ୍ତି ଏବଂ ବଞ୍ଚିବାର ଇଚ୍ଛା  ତାଙ୍କର ଶେଷ ହୋଇଯାଇଛି ।