ଭୁବନେଶ୍ଵର, ୧୨/୦୬ : ଆଖି ବୁଜିଲେ MV କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମ୍ସ ବର୍ଣ୍ଣ ୱାର୍ଡରେ ତାଙ୍କର ପରଲୋକ ଘଟିଛି। ତାଙ୍କ ଶରୀରର ୮୦% ପୋଡି ଯାଇଥିଲା। ଭୁବନେଶ୍ବର ଏମ୍ସର ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିଲେ। ୨ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସେପଟେ ଆଶୁତୋଷଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ। ପତ୍ନୀ ଓ ଶାଳକ ତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଥିବା କହିଥିଲେ ଆଶୁତୋଷ। ଏହାପରେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଆଶୁତୋଷଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହି ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ‘ସାଇଣ୍ଟିଫିକ୍  ଟିମ୍ ଜରିଆରେ ପ୍ରମାଣ ସଂଗ୍ରହ କରାଯାଇଛି। ଆଶୁତୋଷଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି। ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ହେବ ବୋଲି କହିଛନ୍ତି।

ସୂଚନାନୁଯାୟୀ, ଓଡ଼ିଶା ମୋଟର ଭେହିକଲ୍ ଡିପାର୍ଟମେଣ୍ଟ୍ (ଓଏମ୍ଭିଡି) କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ (୩୧ ବର୍ଷ) ଗତ ୫ ତାରିଖ ରାତି ସାଢ଼େ ୯ଟା ବେଳେ ବିଜିପୁର ପୁଲିସ କଲୋନୀକୁ ଯାଇଥିଲେ। କ୍ୱାର୍ଟରରେ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ଓ ତାଙ୍କ ଭାଇ ରହିଥିଲେ । ହଠାତ ଉଭୟେ ସନ୍ଧ୍ୟା ଓ ତାଙ୍କ ଭାଇ ଆଶୁତୋଷଙ୍କ ଉପରେ ପେଟ୍ରୋଲ ଢ଼ାଳିଥିଲେ । ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ତାଙ୍କୁ ଦିଆସିଲିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବା ପରେ ଆଶୁତୋଷ ସନ୍ଧ୍ୟାଙ୍କ କ୍ୱାର୍ଟରରୁ ବାହାରି ହୁତୁହୁତୁ ହୋଇ ଜଳୁଥିବା ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ ଜଣେ ପୁଲିସ ହାବିଲଦାରଙ୍କ କ୍ବାର୍ଟର୍ସ ଭିତରେ ପଶିଯାଇଥିଲେ। ସେଠାକାର ଲୋକେ ଶରୀରର ପାଣି ଢାଳି ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ MKCG ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

ସ୍ତ୍ରୀ ସନ୍ଧ୍ୟା ନାୟକ ଓ ଶଳା ପେଟ୍ରୋଲ୍ ଢାଳି ହତ୍ୟା ଉଦ୍ୟମ କରିଥିବା ଆଶୁତୋଷଙ୍କ ଭଉଣୀ ନିବେଦିତା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ସନ୍ଧ୍ୟା ଓ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାଜିଷ୍ଟ୍ରେଟ୍ ଓ ଡାକ୍ତରଙ୍କ ଉପସ୍ଥିତିରେ ଆଶୁତୋଷଙ୍କ ବୟାନ୍ ପୁଲିସ ରେକର୍ଡ କରିଥିଲା। ଘଟଣା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସେଠାରୁ ଦରପୋଡ଼ା ବୋତଲ, ଦିଆସିଲି, ଅଶୁତୋଷଙ୍କ ମୋବାଇଲ ଓ ବାଇକ ଜବତ କରିଥିଲା।

ଆହୁରି ପଢନ୍ତୁ- ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ବଡ଼ ଘୋଷଣା କରିପାରନ୍ତି ମୋହନ ସରକାର

ତିନି ରଥର ଭୂଇଁ କାର୍ଯ୍ୟ ଶେଷ, ଆଗକୁ ବଡ଼ ପୋଟଳ ଉଠିବ..