ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମ୍ୟାଁମାରରେ ଭୂକମ୍ପ ବିଭୀଷିକା: ମୃତ୍ୟୁସଂଖ୍ୟା ୧୬୦୦ ଟପିଲା, ଚ୍ୟାଲେଞ୍ଜ୍‌ ପାଲଟିଛି ଉଦ୍ଧାର ଅଭିଯାନ

Published By : Prameya | March 30, 2025 8:58 AM

ନେପିତ,୩୦/୦୩: ଶୁକ୍ରବାର ଆସିଥିବା  ୭.୭ ତୀବ୍ରତାର ଭୟାବହ ଭୂକମ୍ପ ଥରାଇ ଦେଇଛି ମ୍ୟାଁମାରକୁ । ପ୍ରକୃତିର ଏହି ତାଣ୍ଡବ  ଯୋଗୁ ଦେଶରେ ବହୁ ମୂଲ୍ୟବାନ ଜୀବନଦୀପ  ଲିଭିଯାଇଛି । ଏବେ ସବୁଠି ଧ୍ୱଂସସ୍ତୂପ । ଧ୍ୱଂସସ୍ତୂପ  ତଳେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ଚାଲିଛି  ପ୍ରାଣମୂର୍ଚ୍ଛା ସଙ୍ଘର୍ଷ । ସବୁଠି ଚିତ୍କାର । ହାହାକାର । ମ୍ୟାଁମାରରେ ମୃତ୍ୟୁସଂଖ୍ୟା ୧,୬୪୪କୁ ବୃଦ୍ଧି ପାଇଥିଲା ବେଳେ ୩,୪୦୮ରୁ ଅଧିକ ଆହତ ହୋଇଛନ୍ତି । ଶତାଧିକ ଲୋକ ନିଖୋଜ ଅଛନ୍ତି । ସେଠାରେ ୧୫୦୦ରୁ ଅଧିକ ଅଟ୍ଟାଳିକା ଭାଙ୍ଗି ପଡ଼ିଥିବା ବେଳେ ୭ଟି ପୋଲ ଭୁଶୁଡ଼ି ପଡ଼ିଛି । 

ଗୃହଯୁଦ୍ଧରେ ଫସିଥିବା ମ୍ୟାଁମାରରେ ଭୂକମ୍ପ ଯୋଗୁ ଚାରିଆଡ଼ୁ ବିପଦ ମାଡ଼ିଆସିଛି । ଉଦ୍ଧାରକାରୀ ଦଳ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଭଗ୍ନାବଶେଷରୁ ବାହାର କରୁଛନ୍ତି । କିନ୍ତୁ ଏ କ୍ଷେତ୍ରରେ ଭାରୀ ମେସିନ୍‌ର ଘୋର ଅଭାବ ସେମାନଙ୍କ ପାଇଁ  ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି । ମେସିନ୍‌ର ଅଭାବ ଯୋଗୁ  କିଛି ଉଦ୍ଧାରକାରୀ ଟିମ୍‌ ନିଜ ହାତକୁ ବାରିସି  କରିଛନ୍ତି । ଧ୍ୱଂସାବଶେଷକୁ ଖାଲି ହାତରେ ହଟାଇ  ସେମାନେ ଲୋକଙ୍କୁ ଯଥାଶୀଘ୍ର ବାହାର କରୁଛନ୍ତି । ଇତିମଧ୍ୟରେ ଉଦ୍ଧାରକାରୀ ଦଳ ଖାଲି ହାତରେ  ଧ୍ୱଂସାବେଶେଷ ଖୋଳି ଅନେକ ଜୀବନ ବଞ୍ଚାଇ ସାରିଲେଣି । ଭାରତ ଭଳି ଅନ୍ୟ କେତେକ ଦେଶ  ସେମାନଙ୍କୁ ସହାୟତା ପୂର୍ବକ ବିଭିନ୍ନ ମେସିନ୍‌ ଯୋଗାଉଛନ୍ତି । ତଥାପି ଭୂକମ୍ପର ଭୟାବହ  ପ୍ରଭାବ ଦୃଷ୍ଟିରୁ ତାହା ଯଥେଷ୍ଟ ହେଉନାହିଁ । 

ମ୍ୟାଁମାରରେ ଭୂକମ୍ପ ଯୋଗୁ ଅଧିକ ପ୍ରଭାବିତ  ହୋଇଥିବା ମଣ୍ଡଲୟ ସହର ଅମାରପୁରାରେ  ଜଣେ ଉଦ୍ଧାରକାରୀ କହିଛନ୍ତି, ଧ୍ୱସ୍ତ ହୋଇପଡି଼ଥିବା  ଏକ ଅଟ୍ଟାଳିକା ତଳେ ଫସିରହିଥିବା ୧୪୦ ବୌଦ୍ଧ  ଭିକ୍ଷୁଙ୍କ ନିକଟରେ ସେମାନେ ପହଞ୍ଚିବାକୁ ଚେଷ୍ଟା  କରୁଛନ୍ତି । କିନ୍ତୁ ସେମାନଙ୍କ ନିକଟରେ ଧ୍ୱଂସାବଶେଷ  ହଟାଇବାକୁ ଯଥେଷ୍ଟ ଲୋକବଳ ଓ ଭାରୀ ମେସିନ୍‌  ନଥିବାରୁ ବୌଦ୍ଧ ଭିକ୍ଷୁଙ୍କ ନିକଟରେ କୌଣସି ପ୍ରକାର  ସହାୟତା ପହଞ୍ଚିପାରୁ ନାହିଁ । ତଥାପି ସେମାନଙ୍କର  କାର୍ଯ୍ୟ ଜାରି ରହିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । 

ଭୂକମ୍ପରୁ ରକ୍ଷା ପାଇଯାଇଥିବା ମଣ୍ଡଲୟର ଜଣେ ବାସିନ୍ଦା ହେଟ୍‌ ମିନ୍‌ ଓ କହିଛନ୍ତି, ତାଙ୍କର କିଛି ପରିଜନ ଭୁଶୁଡି ପଡିଥିବା ଏକ ବିଲ୍‌ଡିଂ ମଧ୍ୟରେ ଫସିରହିଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କ ନିକଟରେ ପହଞ୍ଚି  ନଥିବାବେଳେ ସେ ନିଜେ ହାତରେ ଖୋଳି ସେମାନଙ୍କୁ  ଉଦ୍ଧାର ଲାଗି ପ୍ରୟାସ ଜାରି ରଖିଛନ୍ତି । ମଣ୍ଡଲୟରେ  ଥିବା ୱିଜଡମ୍‌ ଭିଲା ଘରୋଇ ହାଇସ୍କୁଲ କୋଠା  ଭୁଶୁଡ଼ି ପଡ଼ିଛି । ଭଗ୍ନାବଶେଷ ତଳେ ଅନେକ ଛାତ୍ରଛାତ୍ରୀ ଫସିରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ କିଛି ଛାତ୍ରଛାତ୍ରୀଙ୍କ ନାମ ନେଇ ଡାକିଥିଲେ। କିନ୍ତୁ କୌଣସି ଜବାବ ମିଳିନାହିଁ । 

ଇତିମଧ୍ୟରେ ବିଜୁଳିର ଅଭାବ ମଧ୍ୟ ଉଦ୍ଧାର ଲାଗି  ଏକ ବଡ଼ ସମସ୍ୟା ପାଲଟିଛି । ରେଡ୍‌ କ୍ରସ୍‌ ପକ୍ଷରୁ  କୁହାଯାଇଛି ଯେ, ବିଜୁଳି ଅଭାବ ଯୋଗୁ ମଣ୍ଡଲୟ,  ସାଗାଇଙ୍ଗରେ ପୀଡ଼ିତଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଲାଗି  ଉଦ୍ୟମ କରୁଥିବା ସଂସ୍ଥାର ଟିମ୍‌କୁ ସଫଳତା ମିଳୁନାହିଁ ।  

ମଣ୍ଡଲୟ ଓ ୟାଙ୍ଗୁନ୍‌ରେ ବିଜୁଳି ନଥିବାବେଳେ  ଟେଲିଫୋନ୍‌ ସେବା ମଧ୍ୟ ଠପ୍‌ ହୋଇପଡ଼ିଛି । ମଣ୍ଡଲୟରେ କ୍ଷୟକ୍ଷତିର ପରିମାଣ ବହୁ ଅଧିକ  ହୋଇଥିବାରୁ ସେଠାରେ ବିଜୁଳି ସମସ୍ୟା ଆଉ  କିଛି ଦିନ ରହିପାରେ ବୋଲି ଆଶଙ୍କା କରାଯାଉଛି ।  ଏଭଳି ବିଧ୍ୱଂସକାରୀ ପ୍ରାକୃତିକ ଦୁର୍ବିପାକର ଦୃଢ଼  ମୁକାବିଲା ଲାଗି ମ୍ୟାଁମାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ  ନାହିଁ । ୨୦୨୧ରୁ ଦେଶରେ ଗୃହଯୁଦ୍ଧ ଲାଗି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.