ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଏକ କୋଠାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିବା ରିପୋର୍ଟ ହୋଇଛି। ବିସ୍ଫୋରଣରେ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବହୁ ସଂଖ୍ୟକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଖଣିରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଏହି କୋଠାରେ ରଖାଯାଇଥିଲା।
ରିପୋର୍ଟ ଅନୁଯାୟୀ, ନାମଖାମ୍ ଟାଉନସିପ୍ର କାଉଣ୍ଟୁପ୍ ଗାଁରେ ମଧ୍ୟାହ୍ନ ସମୟରେ ଘଟିଥିବା ବିସ୍ଫୋରଣରେ ୭୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଅଞ୍ଚଳ ଚୀନ୍ ସୀମା ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏହା ମିଆଁମାରର କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଲଢ଼ୁଥିବା ଏକ ଜାତିଗତ ଗୋଷ୍ଠୀ ତାଆଙ୍ଗ୍ ନ୍ୟାସନାଲ୍ ଲିବରେସନ୍ ଆର୍ମିର ନିୟନ୍ତ୍ରଣରେ ଅଛି ।
୪୫ ଜଣଙ୍କର ମୃତ୍ୟୁ…
ବିସ୍ଫୋରଣ ଖବର ପାଇବା ମାତ୍ରେ, ଅଧିକାରୀ ମାନେ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ, ଯେଉଁଠାରୁ ଅତି କମରେ ୪୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିରେ ୬ ଜଣ ପିଲା ମଧ୍ୟ ସାମିଲ ଅଛନ୍ତି। ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି ଯେ, ଏପର୍ଯ୍ୟନ୍ତ ୭୪ ଜଣଙ୍କୁ ଡାକ୍ତରଖାନା ନିଆଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା କରାଯାଉଛି।