ନୂଆଦିଲ୍ଲୀ, ୩୧/୦୩ : ଇରାନ-ଆମେରିକା ଯୁଦ୍ଧ ଯୋଗୁ ଦେଶରେ ଗ୍ୟାସ ଓ ତେଲ ସଙ୍କଟ ଉପୁଜିଛି । ଏଭଳି ସ୍ଥିତିରେ ଏଲ୍‌ପିଜି କ୍ରୟ ଲାଗି ଭାରତ ମଧ୍ୟପ୍ରାଚ୍ୟ ପରିବର୍ତ୍ତେ ବିକଳ୍ପ ବଜାର ଧ୍ୟାନ କେନ୍ଦ୍ରିତ କରିଛି । ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଗେଲ୍‌ ଭଳି କମ୍ପାନି ଆଫ୍ରିକୀୟ ଦେଶ ଅଙ୍ଗୋଲାର ରାଷ୍ଟ୍ରାୟତ୍ତ କମ୍ପାନି ସୋନାନଗୋଲ୍‌ ଠାରୁ ଏଲ୍‌ପିଜି ଆଣିବା ଲାଗି ଆଲୋଚନା କରୁଛନ୍ତି ।

ହୋର୍ମୁଜ ପ୍ରଣାଳୀ ଉପରେ ନିର୍ଭରତା କମିବ

ଏକ ମିଡିଆ ରିପୋର୍ଟ ମୁତାବକ, ଭାରତ ଗତ କିଛି ଦିନ ହେବ ଚୁକ୍ତି ନେଇ ବିଚାର କରୁଛି । ତେବେ ଆଲୋଚନା ଏବେ ପ୍ରାରମ୍ଭିକ ସ୍ତରରେ ରହିଛି । ଭାରତ ଏହାର ୯୨% ଏଲ୍‌ପିଜି ଉପସାଗରୀୟ ଦେଶ ଗୁଡ଼ିକରୁ ଆମଦାନି କରିଥାଏ । କେନ୍ଦ୍ର ସରକାର ଏଭଳି ନିର୍ଭରତା କମାଇବାକୁ ବିଚାର କରୁଛନ୍ତି । ଅଙ୍ଗୋଲା ସହ ଚୁକ୍ତି ଚୂଡାନ୍ତ ହେଲେ ଏଲ୍‌ପିଜି ଜାହାଜ ଆଣ୍ଟଲାଣ୍ଟିକ ମହାସାଗର ଏବଂ ଆରବ ସାଗର ଦେଇ ସିଧା ଭାରତ ଆସିବ । ହୋର୍ମୁଜ ପ୍ରଣାଳୀ ଉପରେ ନିର୍ଭରତା କମିବ । ଭାରତୀୟ କମ୍ପାନି ଗୁଡ଼ିକ ଏଲ୍‌ପିଜି ଲାଗି ଗୋଟିଏ ବର୍ଷ ଏବଂ ଏଲ୍‌ଏନ୍‌ଜି ଲାଗି ୧୦ ବର୍ଷର ଚୁକ୍ତି ନେଇ ବିଚାର କରୁଛନ୍ତି । ଅଙ୍ଗୋଲାରେ ୪.୬ ଟ୍ରିଲିୟନ ଘନ ଫୁଟ ପ୍ରାକୃତିକ ଗ୍ୟାସ ରହିଛି । ପୂର୍ବରୁ ଏହା ଭାରତକୁ ଅଶୋଧିତ ତେଲ ଏବଂ ଏଲ୍‌ଏନ୍‌ଜି ଯୋଗାଉଛି ।

୨୦୨୫ରେ ଅଙ୍ଗୋଲା ଭାରତର ପଞ୍ଚମ ବୃହତ ଏଲଏନ୍‌ଜି ଯୋଗାଣକାରୀ ରହିଛି । ଏହାବାଦ ଦେଶ ଅଷ୍ଟ୍ରେଲିଆ ଏବଂ ଅଲଜେରିଆରୁ ମଧ୍ୟ ଏଲ୍‌ପିଜି ଆଣିବାକୁ ଯୋଜନା ରଖିଛି । ପୂର୍ବରୁ ଅଙ୍ଗୋଲା ସହ ତେଲ ଏବଂ ଗ୍ୟାସ କାରବାର କରିଛି ଭାରତ । ଫଳରେ ଉଭୟ ଦେଶ ମଧ୍ୟରେ ଭରସା ଏବଂ ଯୋଗାଣ ସିଷ୍ଟମ ପୂର୍ବରୁ ରହିଛି । ଫଳରେ ନୂଆ ଡିଲ୍‌ କରିବା ସହଜ ହେବ । ଅଙ୍ଗୋଲା ଗ୍ୟାସ ଉତ୍ପାଦନ କରୁଥିବା ବେଳେ ସେଠାରେ ଏଲ୍‌ପିଜି ଲାଗି ଜରୁରୀ ବ୍ୟୁଟେନ ଏବଂ ପ୍ରୋପେନ ଉପଲବ୍ଧ ରହିଛି । ଯୋଗାଣ ଦୃଷ୍ଟିକୋଣରୁ ଅଙ୍ଗୋଲା ମଧ୍ୟ ଏକ ଭଲ ବିକଳ୍ପ ବୋଲି କୁହାଯାଉଛି । କାରଣ ଜଳପଥରେ ଭାରତ ୧୨ରୁ ୧୮ ଦିନରେ ଏଲ୍‌ପିଜି ଲାଭ କରିବ । ସେଠାରେ ରପ୍ତାନିର ଉନ୍ନତ ସୁବିଧା ମଧ୍ୟ ରହିଛି । ସେଠାକାର ଶକ୍ତି କ୍ଷେତ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଛି । ସରକାରୀ ସ୍ତରରେ ଆଲୋଚନା ଲାଗି ଏହା ସହଜ ହେବ । ଚୁକ୍ତି ଚୂଡାନ୍ତ ହେଲେ ପ୍ରଥମ ଥର ଲାଗି ଭାରତ ଆସିବ ଅଙ୍ଗୋଲା ଏଲ୍‌ପିଜି ।

ଆମେରିକା ଅପେକ୍ଷା ୧୫ ଦିନ ଶୀଘ୍ର ମିଳିବ ଗ୍ୟାସ୍ 

ଆମେରିକା ତୁଳନାରେ ଏହି ଏଲ୍‌ପିଜି ୧୦ରୁ ୧୫ ଦିନ ଶୀଘ୍ର ମିଳିବ । ଏଲପିଜି ଉପଲବ୍ଧତାରେ ସଙ୍କଟ ଟାଳିବାକୁ ଭାରତ ଉଦ୍ୟମ ଜାରି ରଖିଛି । ଏହି ଦେଶରୁ ଏଲ୍‌ପିଜି ଆସିଲେ ଘରୋଇ ବଜାରରେ ଯୋଗାଣ ସ୍ଥିତି ଆହୁରି ଉନ୍ନତ ହେବ ବୋଲି ଆଶା କରାଯାଉଛି । ଏହା ସହ ଦେଶ ଅଧିକ ଏଲ୍‌ପିଜି ଆଣିବା ଉପରେ ଗୁରୁତ୍ୱ ଦେଉଛି ।

ଏହି ଖବରଟିକୁ ପଢନ୍ତୁ- ବଜାରରେ ଯୁଦ୍ଧ ତାଣ୍ଡବ: ପ୍ରଥମ ଥର ଟଙ୍କା ୯୫ ପାର୍ , ତେଜିବ ଦରଦାମ, ଆମ୍‌ ଆଦ୍‌ମୀଙ୍କୁ ଝଟ୍‌କା