ଭୁବନେଶ୍ୱର,୦୮/୦୩: ନନ୍ଦନକାନନ ପାଇଁ ଆସୁଛି ବିଶ୍ୱସ୍ତରୀୟ ମାଷ୍ଟରପ୍ଲାନ। ବ୍ୟବସ୍ଥା, ଭିତ୍ତିଭୂମି ଓ  ସୁବିଧାର ହେବ ନବକଳେବର । ଏମିତି  ବ୍ୟବସ୍ଥା ଖଞ୍ଜାଯିବ, ଦେଶବିଦେଶରୁ  ପର୍ଯ୍ୟଟକ ଭିଡ଼ି ହୋଇ ଆସିବେ । ଏଭଳି  ଯୋଜନା ଚଳାଇଛନ୍ତି ରାଜ୍ୟ ସରକାର । 

ନୂଆ ସରକାର ଆସିବା ପରେ  ନନ୍ଦନକାନନ ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଛି । ଜଙ୍ଗଲ ଓ  ପରିବେଶ ବିଭାଗ ଏଥିପାଇଁ ଆନ୍ତର୍ଜାତିକ  ସ୍ତରର ବ୍ୟବସ୍ଥା ନିର୍ମାଣ କରିବାକୁ  ଅଣ୍ଟା ଭିଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଆର୍ଥିକ ବର୍ଷରେ ୨୦୨୫- ୨୬ରେ ନନ୍ଦନକାନନରେ ଆକର୍ଷଣୀୟ ଆକ୍ୱାରିୟମ ନିର୍ମାଣ ପ୍ରସ୍ତାବ ରହିଛି ।  ମାଟି ତଳେ ଏହି ଆକ୍ୱାରିୟମ ହେବ  ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର । ଏହା ଭିତରେ ବିଭିନ୍ନ କିମସର ମାଛ  ଦେଖିବାକୁ ମିଳିବ । ଖାଲି ସେତିକି  ନୁହେଁ, ଜଳରେ ବସବାସ କରୁଥିବା  ବିଭିନ୍ନ ପ୍ରଜାତିର ପକ୍ଷୀ ରହିବେ । 

ନନ୍ଦନକାନନରେ ଅଚଳ ହୋଇ  ପଡ଼ିଥିବା ଟଏ ଟ୍ରେନର ପୁନରୁଦ୍ଧାର  ହେବ । ଏହାକୁ ନୂଆ ରୂପ ଦେବାକୁ  ଯୋଜନା ହୋଇଛି । ଦୀର୍ଘ ବର୍ଷ ଅଚଳ  ରହିବା ପରେ ଏହି ଟଏ ଟ୍ରେନ  କାର୍ଯ୍ୟକ୍ଷମ ହୋଇଥିଲା । ମାତ୍ର ଗତ  ଦେଢ଼ମାସ ହେବ ଏହି ଟ୍ରେନଟି ପୁଣି  ଅଚଳ ହୋଇପଡ଼ିଛି । ବାରମ୍ବାର ଟ୍ରାକ୍‌  ଚ୍ୟୁତ ହେବାରୁ କର୍ତ୍ତୃପକ୍ଷ ଏହାକୁ  ବନ୍ଦ କରି ଦେଇଛନ୍ତି । ଏବେ ଯୋଜନା  ହେଉଛି, ଏହାକୁ ନୂଆ ରୂପ ଦେବା ସହ ପୂର୍ବଠାରୁ ଆହୁରି ଆକର୍ଷଣୀୟ କରାଯିବ।