ପାଟନା,୧୬।୬: ଆଜି କାଲି ନାର୍କୋ ଟେଷ୍ଟ କଥା ନିହାତି ଶୁଣିଥିବେ। କୌଣସି ଅପରାଧୀ କିମ୍ବା ସନ୍ଦିଗ୍ଧଙ୍କଠାରୁ କଥା ବାହାର କରିବାକୁ ପୋଲିସ ଏହି ଟେଷ୍ଟ କରେ। ଏହି ମିଛ ଧରା ପରୀକ୍ଷା କ’ଣ ସବୁ ସତ ବାହାର କରିଦିଏ ? ପୋଲିସ କ’ଣ ଗୋଟି ଗୋଟି କରି ସନ୍ଦିଗ୍ଧଠାରୁ କଥା ଆଦାୟ କରିପାରେ ?ଏହାକୁ କୋର୍ଟ ଗ୍ରହଣ କରନ୍ତି ତ ?ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ? ସମସ୍ତଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ରହିଥାଏ। ଆସନ୍ତୁ ଏସବୁ ବିଷୟରେ ଜାଣିବା।

ବିହାରରେ ଖାନ୍ ସାର୍‌ଙ୍କ କୋଚିଂ ସେଣ୍ଟର ବିବାଦ ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ଜେଲ୍‌ରୁ ବାହାରିଛନ୍ତି ପରେ ଜ୍ଞାନ ବିନ୍ଦୁ କୋଚିଂ ସେଣ୍ଟର ଡାଇରେକ୍ଟର ରୋଶନ୍ ଆନନ୍ଦ। ବାହାରକୁ ଆସିବା ପରେ ରୋଶନ୍ ଏବଂ ତାଙ୍କ ଭାଇ ପ୍ରିନ୍ସ ଯାଦବ ଖାନ୍‌ ସାରଙ୍କ ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେମାନେ ଖାନ୍ ସାର୍‌ଙ୍କ ନାର୍କୋ ଟେଷ୍ଟ କରିବାକୁ ଦାବି କରିଛନ୍ତି। ନାର୍କୋ ଟେଷ୍ଟ ବା ଯାହାକୁ ନାର୍କୋ- ଆନାଲିସିସ୍ ଟେଷ୍ଟ ମଧ୍ୟ କୁହାଯାଏ। ଏହା ଏକ ପରୀକ୍ଷା ଯେଉଁଠି ଜଣେ ବ୍ୟକ୍ତିଙ୍କୁ କିଛି ଔଷଧ ଦିଆଯାଏ ଏବଂ ତାଙ୍କୁ ବେହୋସ କିମ୍ବା ଅବଚେତନ ଅବସ୍ଥାରେ ରଖାଯାଏ।  ଏହି ସ୍ଥିତିକୁ ଗଲେ ଜଣେ ବ୍ୟକ୍ତିର ବୁଝି ବିଚାରି କିମ୍ବା ମିଛ କହିବାର କ୍ଷମତା​ ଦୁର୍ବଳ ହୋଇଯାଏ। ତଦନ୍ତକାରୀ ଅଧିକାରୀ ଘଟଣା ସହିତ ଜଡିତ ପ୍ରଶ୍ନ ପଚାରନ୍ତି ଏବଂ ସେମାନଙ୍କର ଜବାବ୍ ରେକର୍ଡ କରାଯାଏ। ଏହି ପରୀକ୍ଷାରେ ସାଧାରଣତଃ ସୋଡିୟମ୍ ପେଣ୍ଟୋଥାଲ୍ କିମ୍ବା ଥାଇଓପେଣ୍ଟୋନ୍ ନାମକ ଔଷଧ ଦିଆଯାଏ।  ଯଦିଓ ବିଶେଷଜ୍ଞମାନେ କୁହନ୍ତି ଯେ ଏହି ଔଷଧ ନେବା ପରେ ବହୁ ବ୍ୟକ୍ତି ସମ୍ପୂର୍ଣ୍ଣ ସତ କହିନାହାନ୍ତି।

ନାର୍କୋ ଟେଷ୍ଟ ଏକ ବଡ ଧରଣର ମେଡିକାଲ ପକ୍ରିୟା। ଏହା କେବଳ  ଫରେନସିକ୍ ବିଶେଷଜ୍ଞ, ମନୋବିଜ୍ଞାନୀ ଏବଂ ଡାକ୍ତରଙ୍କ ଉପସ୍ଥିତିରେ କରାଯାଇଥାଏ । ସବୁଠାରୁ ପ୍ରଥମେ ବ୍ୟକ୍ତିର ମେଡିକାଲ ଫିଟନେସ୍‌ ଟେଷ୍ଟ କରାଯାଏ। ଏହାପରେ ହାର୍ଟ, ବ୍ଲଡ ପ୍ରେସର ଓ ଫୁସଫୁସ୍‌ର ଯାଞ୍ଚ ହୁଏ।   ପରୀକ୍ଷା କରାଯିବ ପରେ ଜଣାପଡିଥାଏ ବ୍ୟକ୍ତି ଜଣକ ଏହି ଟେଷ୍ଟ କରିବାକୁ ଫିଟ୍‌ କି ନାହିଁ। ଏହାପରେ ଶିରା ମାଧ୍ୟମରେ ଔଷଧ ଦିଆଯାଏ। ବ୍ୟକ୍ତି ଜଣକ ବେହୋସ କିମ୍ବା ହିପ୍ନୋଟିକ୍ ଅବସ୍ଥାକୁ ଯିବା   ପରେ, ତାଙ୍କୁ  ପ୍ରଶ୍ନ ପଚରାଯାଏ। ଏହି ସମଗ୍ର ପ୍ରକ୍ରିୟା ବେଳର  ଭିଡିଓ ରେକର୍ଡିଂ କରାଯାଏ। ଡାକ୍ତରମାନେ ଲଗାତାର ବ୍ୟକ୍ତିର ଶାରୀରିକ ଅବସ୍ଥା ଉପରେ ନଜର ରଖିଥାନ୍ତି।

ନାର୍କୋ ଟେଷ୍ଟକୁ ସମ୍ପୂର୍ଣ୍ଣ ସଠିକ୍ ବୋଲି ମଧ୍ୟ କହିହେବନି। ଅନେକ କ୍ଷେତ୍ରରେ, ଲୋକମାନେ ମିଥ୍ୟା କିମ୍ବା ଭ୍ରାମକ ସୂଚନା ଦେଇଛନ୍ତି। କେତେକ ଚାପରେ ମଧ୍ୟ ପ୍ରତିକ୍ରିୟା ଦେଇପାରନ୍ତି। ଏହି କାରଣରୁ, କୋର୍ଟ ନାର୍କୋ ଟେଷ୍ଟ  ଫଳାଫଳକୁ ସିଧାସଳଖ ପ୍ରମାଣ ଭାବରେ ଗ୍ରହଣ କରନ୍ତି ନାହିଁ। ତେବେ ଏଥିରୁ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତାକରୀ ଟିମ୍ ଯେଉଁ ପ୍ରମାଣ ଯୋଗାଡ଼ କରିବ, ତାକୁ କୋର୍ଟରେ ଦାଖଲ କରାଯାଇପାରିବ। ଭାରତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ସହମତି ବିନା ଏହି ଟେଷ୍ଟ କରାଯାଇପାରିବ ନାହିଁ। ପ୍ରାୟତଃ ନାର୍କୋ ଟେଷ୍ଟ ପୂର୍ବରୁ ହୋଇଥାଏ ପଲିଗ୍ରାଫ୍ ଟେଷ୍ଟ। ଏହାକୁ ‘ଲାଇ ଡିଟେକ୍ଟର ଟେଷ୍ଟ’  ମଧ୍ୟ କୁହାଯାଏ। ଏକ ମେସିନରେ ଜଣେ ବ୍ୟକ୍ତିଙ୍କ ଶ୍ୱାସକ୍ରିୟା, ନାଡ଼ି, ରକ୍ତଚାପ ଏବଂ ଝାଳ ଆକ୍ଟିଭିଟକୁ ରେକର୍ଡ କରାଯାଏ।  ଯାହା ଦ୍ୱାରା ସେ ସତ କହୁଛି କି ମିଛ ତାହା ଜଣାପଡେ।

ନାର୍କୋ ଟେଷ୍ଟର ମୂଲ୍ୟ ଅନୁଷ୍ଠାନ ଏବଂ ଚିକିତ୍ସା ଆବଶ୍ୟକତା ଉପରେ ନିର୍ଭର କରିଥାଏ। ଏହା ଭିନ୍ନ ବି ହୋଇପାରେ। ସାଧାରଣତଃ, ଭାରତରେ ଗୋଟିଏ ନାର୍କୋ ଟେଷ୍ଟ ପାଇଁ ୧ ଲକ୍ଷ କିମ୍ବା ତା'ଠାରୁ ଅଧିକ ଖର୍ଚ୍ଚ ହୋଇପାରେ। ଏଥିରେ ଡାକ୍ତରଙ୍କ ଏକ ଟିମ୍, ଔଷଧ, ଡାକ୍ତରୀ ପରୀକ୍ଷା, ରେକର୍ଡିଂ ଏବଂ ଲ୍ୟାବ ସୁବିଧାର ଖର୍ଚ୍ଚ ରହିଛି। ଏହି ପରୀକ୍ଷା କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ ଫୋରେନସିକ୍ ପ୍ରତିଷ୍ଠାନରେ କରାଯାଏ।

ଆହୁରି ପଢନ୍ତୁ :Village No Electricity: ୩୦୦ ବର୍ଷ ପୁରୁଣା ଗାଁ; ଟିଭି, ସ୍ମାର୍ଟଫୋନ୍‌, ବିଜୁଳି କିଛି ନାହିଁ, ତଥାପି ଲୋକମାନେ ଖୁସି