ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ କିଛି ଲୋକ ନିଜ ବୟସଠାରୁ ଅଧିକ ବୟସ୍କ ଦେଖାଯାଇଥାନ୍ତି । ଜୀବନଶୈଳୀରେ ପରିବର୍ତ୍ତନ ଅକାଳ ବାର୍ଦ୍ଧକ୍ୟକୁ ନିମନ୍ତ୍ରଣ କରିଥାଏ । ଯଦି ଆପଣ ବି ନିଜର ଯୁବାବସ୍ଥା ବଜାୟ ରଖିବାକୁ ଚାହାଁନ୍ତି, ତେବେ ଏହି ସମସ୍ତ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।
ଚିନ୍ତା କମ୍ କରନ୍ତୁ: ସବୁବେଳେ ଚିନ୍ତା କରିବା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହା ଶରୀରରେ କର୍ଟିସୋଲ ହର୍ମୋନର ମାତ୍ରା ବୃଦ୍ଧି କରାଇଥାଏ । ଏହି ହର୍ମୋନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆମ ତ୍ବଚା ଯୁବାବସ୍ଥାକୁ କାଏମ୍ ରଖୁଥିବା କୋଲାଜେନ୍କୁ ନଷ୍ଟ କରିଦିଏ । ଫଳରେ ତ୍ବଚା ଉପରେ ବାର୍ଦ୍ଧକ୍ୟର ଛାପ ଦେଖିବାକୁ ମିଳିଥାଏ । ଚିନ୍ତା କେବଳ ମାନସିକ ସ୍ତର ନୁହେଁ ବରଂ ଶାରୀରିକ ସ୍ତରରେ ପ୍ରଭାବ ପକାଇଥାଏ ।
ଭଲ ନିଦ ଆବଶ୍ୟକ: ଶୋଇବା ଦ୍ୱାରା ଶରୀରକୁ ବିଶ୍ରାମ ମିଳିବା ସହିତ ଏହା ପ୍ରାକୃତିକ ଭାବେ ମରାମତି କରିଥାଏ । ସଠିକ ଶୟନ ବିନା ଶରୀରର କୋଷିକା ସଠିକ ଭାବେ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ । ଏହାର ପ୍ରଥମ ଲକ୍ଷଣ ଆପଣଙ୍କ ମୁହଁରେ ଦେଖିବାକୁ ମିଳିଥାଏ । ଆଖି ତଳେ କଳା ଦାଗ, ତ୍ବଚାରୁ ଚମକ ଗାୟବ ହୋଇଯିବା ଓ ଚେହେରାରେ କ୍ଲାନ୍ତପଣ ଦିଶିବା ଆଦି ଲକ୍ଷଣ ଦେଖାଦିଏ । ଏଥିପାଇଁ ପ୍ରତିଦିନ ୭ରୁ ୮ ଘଣ୍ଚା ନିଦ୍ରା ନେବା ଆବଶ୍ୟକ ।
ଖାଦ୍ୟ ଉପରେ ଧ୍ୟାନ: ପ୍ରତିଦିନ ଜଙ୍କ୍ ଫୁଡ୍ ଓ ଚିନି ଆପଣଙ୍କ ଶରୀରରେ ଜ୍ବଳନ ସୃଷ୍ଟି କରିଥାଏ । ଏହା ଆପଣଙ୍କ ତ୍ବଚା ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଅକାଳରେ ବାର୍ଦ୍ଧକ୍ୟର ଛାପ ଦେଖିବାକୁ ମିଳେ । ତେଣୁ ଏହା ପରିବର୍ତ୍ତେ ସତେଜ ଫଳ, ସବୁଜ ପନିପରିବା ଓ ଆଣ୍ଟି ଅକ୍ସିଡାଣ୍ଟପୂର୍ଣ୍ଣ ଖାଦ୍ୟ ସାମିଲ କରିବା ଉଚିତ ।
ବ୍ୟାୟାମ କରନ୍ତୁ: ଜୀବନଶୈଳୀରେ ବ୍ୟାୟାମର ଅଭା ଯୋଗୁଁ ମଧ୍ୟ ଆପଣଙ୍କ ଶରୀରରେ ବାର୍ଦ୍ଧକ୍ୟ ଦେଖାଦେଇଥାଏ । ନିଜର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ତଥା ରକ୍ତ ସଞ୍ଚାଳନରେ ଉନ୍ନତି ପାଇଁ ପ୍ରତିଦିନ ବ୍ୟାୟାମ କରିବାର ଆବଶ୍ୟକତା ରହିଛି । ଏହା ଶରୀରକୁ ଉପଯୁକ୍ତ ପରିମାଣରେ ଅମ୍ଳଜାନ ପହଞ୍ଚାଇଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଖରାରୁ ସୁରକ୍ଷିତ ରୁହନ୍ତୁ: ସୂର୍ଯ୍ୟକିରଣରେ କ୍ଷତିକାରକ ଅତିବାଇଗଣ ରଶ୍ମୀ ରହିଥାଏ । ଯାହା ଆମର ତ୍ବଚା ପରେ କ୍ଷତିକାରୀ ପ୍ରଭାବ ପକାଇଥାଏ । ଫଳରେ ତ୍ବଚାରେ ଭାଙ୍ଗ ଓ ଦାନା ସୃଷ୍ଟି ହୋଇଥାଏ । ଏହା ସହିତ ମୋବାଇଲରେ ଅଧିକ ସମୟ ବ୍ୟତୀତ କରିବା ଦ୍ବାରା ମଧ୍ୟ ତ୍ବଚା କ୍ଷତିଗ୍ରସ୍ତ ହୋଇଥାଏ ।
ଯୁବବସ୍ଥା ବଜାୟ ରଖିବା ପାଇଁ କୌଣସି ଚମତ୍କାର ଫର୍ମୁଲା ନାହିଁ । ଏଥିପାଇଁ ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ, ନିୟମିତ ଶୟନ ଓ ବ୍ୟାୟାମ କରିବାର ଆବଶ୍ୟକତା ରହିଛି । ଏହି ସାମାନ୍ୟ ଛୋଟ ଛୋଟ ପରିବର୍ତ୍ତନ ଆପଣଙ୍କ ଶରୀର ଉପରେ ସୁପ୍ରଭାବ ପକାଇଥାଏ । ଏହାକୁ ଆପଣାଇବା ଦ୍ବାରା ଶରୀର ବହୁ ଦିନ ପର୍ଯ୍ୟନ୍ତ ସୁସ୍ଥ ଓ ଫିଟ୍ ରହିଥାଏ ।