ନୂଆଦିଲ୍ଲୀ, ୩୧।୩: ମହାକାଶ ବିଜ୍ଞାନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା' । ଦୀର୍ଘ ୫୪ ବର୍ଷର ଅପେକ୍ଷା ପରେ ପୁଣିଥରେ ମାନବ ଜାତି ଚନ୍ଦ୍ରର ନିକଟତର ହେବାକୁ ଯାଉଛି । ନାସା ପକ୍ଷରୁ ଏହାର ବହୁ ପ୍ରତିକ୍ଷିତ ଆର୍ଟେମିସ୍-୨ ମିଶନର ଶୁଭାରମ୍ଭ ୨୦୨୬ ଏପ୍ରିଲ ୧ ଅର୍ଥାତ୍ ଆସନ୍ତା କାଲି ହେବାକୁ ଯାଉଛି । ଏହି ମିଶନ ଜରିଆରେ ୪ ଜଣ ମହାକାଶଚାରୀ ଚନ୍ଦ୍ରର ଚାରିପଟେ ବୁଲି ପୃଥିବୀକୁ ଫେରିବେ । ଶେଷଥର ପାଇଁ ୧୯୭୨ ମସିହାରେ 'ଆପୋଲୋ-୧୭' ମିଶନ ଜରିଆରେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲା ।

ଏହା ବି ପଢ଼ନ୍ତୁ... ​​​​​​​୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ ମିଡିଆ ମନା, ଏହି ଦେଶରେ ଲାଗୁ ହେବ ନୂଆ ନିୟମ

କ’ଣ ଏହି ଆର୍ଟେମିସ୍-୨ ମିଶନ ?

ଆର୍ଟେମିସ୍-୨ ହେଉଛି ନାସାର ଏକ ଅଭିନବ ମାନବଯୁକ୍ତ ପରୀକ୍ଷଣ ମିଶନ । ଏଥିରେ ମହାକାଶଚାରୀମାନେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ ନାହିଁ, ବରଂ ଚନ୍ଦ୍ରର ଚାରିପଟେ ପରିକ୍ରମା କରି ଫେରିବେ । ଏହି ଯାତ୍ରା ପାଇଁ ନାସା ପୃଥିବୀର ସବୁଠାରୁ ଶକ୍ତିଶାଳୀ ରକେଟ୍ SLS (Space Launch System) ବ୍ୟବହାର କରୁଛି, ଯାହା ଓରିଅନ୍ କ୍ୟାପସୁଲକୁ ମହାକାଶକୁ ନେଇଯିବ । ଏହି ସମ୍ପୂର୍ଣ୍ଣ ମିଶନଟି ପ୍ରାୟ ୧୦ ଦିନର ହେବ । ଏହି ସମୟ ମଧ୍ୟରେ ଓରିଅନ୍ କ୍ୟାପସୁଲର ଲାଇଫ୍ ସପୋର୍ଟ ସିଷ୍ଟମ, ନେଭିଗେସନ, ଯୋଗାଯୋଗ ଏବଂ ହିଟ୍ ସିଲ୍ଡର କାର୍ଯ୍ୟଦକ୍ଷତା ପରୀକ୍ଷା କରାଯିବ । ଏହା ସଫଳ ହେଲେ ଆଗାମୀ ଦିନରେ ଚନ୍ଦ୍ରରେ ସ୍ଥାୟୀ ବସତି ସ୍ଥାପନ ପାଇଁ ପଥ ପରିଷ୍କାର ହେବ ।

ମିଶନରେ ସାମିଲ ୪ ମହାକାଶଚାରୀ:

ଏହି ଐତିହାସିକ ଯାତ୍ରାରେ ୪ ଜଣ ଦକ୍ଷ ମହାକାଶଚାରୀ ସାମିଲ ହେଉଛନ୍ତି:

୧. ରିଡ୍ ୱାଇସମ୍ୟାନ୍: ମିଶନ କମାଣ୍ଡର

୨. ଭିକ୍ଟର ଗ୍ଲୋଭର: ପାଇଲଟ୍

୩. କ୍ରିଷ୍ଟିନା କୋଚ୍: ମିଶନ ସ୍ପେଶାଲିଷ୍ଟ

୪. ଜେରେମି ହେନସେନ: କାନାଡିୟ ମହାକାଶଚାରୀ

ଏହି ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରେ ପହଞ୍ଚି ସାରିଛନ୍ତି । ସେମାନେ ନିକଟରେ ହ୍ୟୁଷ୍ଟନରୁ T-38 ଜେଟ୍ ବିମାନ ଯୋଗେ ଏଠାକୁ ଆସିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କର ଅନ୍ତିମ ପ୍ରଶିକ୍ଷଣ ଓ ପ୍ରସ୍ତୁତି ଜାରି ରହିଛି । ନାସାର ଏହି ମିଶନ କେବଳ ଚନ୍ଦ୍ରରେ ସୀମିତ ନୁହେଁ । ଏହା ଗଭୀର ମହାକାଶରେ ମଣିଷର ଉପସ୍ଥିତି ଜାହିର କରିବା ପାଇଁ ଏକ ପ୍ରଥମ ପାହାଚ । ନାସାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆର୍ଟେମିସ୍-୨ ସଫଳ ହେବା ପରେ ଆର୍ଟେମିସ୍-୩ ମିଶନ ଜରିଆରେ ଚନ୍ଦ୍ର ପୃଷ୍ଠରେ ମଣିଷ ଓହ୍ଲାଇବ । ଏହାପରେ ଚନ୍ଦ୍ରରେ ଏକ 'ବେସ୍ କ୍ୟାମ୍ପ' କିମ୍ବା ସ୍ଥାୟୀ ବସତି ନିର୍ମାଣ କରିବାର ଯୋଜନା ରହିଛି, ଯାହା ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଏକ ଲଞ୍ଚପ୍ୟାଡ୍ ଭାବେ କାର୍ଯ୍ୟ କରିବ ।