ନୂଆଦିଲ୍ଲୀ,୨୦।୧୧:ମଙ୍ଗଳ ଗ୍ରହରୁ ମିଳିଲା ରହସ୍ୟମୟ ପଥର। ଆମେରିକା ମହାକାଶ ଏଜେନ୍ସି ନାସାର ପରସେଭରେନ୍ସ ରୋଭର ଏହାକୁ ଠାବ କରିଛି। ଜେଜେରୋ କ୍ରେଟରରେ ଥିବା ଏହି ପ୍ରସ୍ତରର ଲମ୍ବ ୮୦ ସେଣ୍ଟିମିଟର ରହିଛି। ଏହି ପଥର ମଙ୍ଗଳ ଗ୍ରହର ଭୂ-ଆକୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯାହାକୁ ବୈଜ୍ଞାନିକ କହୁଛନ୍ତି ଏହା ‘ଏଲିଅନ ରକ’ ଭଳି ଦେଖାଯାଉଛି।
ନାସାର ପରସିଭରନ୍ସ ରୋଭର ମଙ୍ଗଳ ଗ୍ରହର ପୃଷ୍ଠରେ ଏକ ରହସ୍ୟମୟ ପଥର ଆବିଷ୍କାର କରିଛି। ଏହି ପଥରଟି ଲାଲ ଗ୍ରହର ପ୍ରାକୃତିକ ଏବଂ ଭୌଗୋଳିକ ଗଠନ ସହିତ ସମ୍ପୂର୍ଣ୍ଣ ବିପରୀତ ମନେହେଉଛି। ବୈଜ୍ଞାନିକମାନେ ଏହି ଲମ୍ବା ପଥରର ନାମ ‘ଫିପ୍ସାକ୍ସଲା’ ରଖିଛନ୍ତି। ବର୍ତ୍ତମାନ ପାଇଁ, ସେମାନେ ଏହାକୁ ‘ଏଲିଅନ ରକ୍’ ବୋଲି କହୁଛନ୍ତି। ଏହି ପଥରଟି ଚଳିତ ବର୍ଷ ୧୯ ସେପ୍ଟେମ୍ବରରେ ଲେଫ୍ଟ ମାଷ୍ଟକ୍ୟାମ୍-ଜେଡ୍ କ୍ୟାମେରା ଦ୍ୱାରା କଏଦ ହୋଇଥିଲା। ରୋଭରଟି ଜେଜେରୋ କ୍ରେଟର ନିକଟସ୍ଥ ଭର୍ନୋଡେନ ଅଞ୍ଚଳରେ ପଥରଗୁଡ଼ିକର ନିୟମିତ ଅଧ୍ୟୟନ କରୁଥିଲା। ନାସା ଏନେଇ ନିଜର ଏକ ବ୍ଲଗରେ ସେୟାର କରିଛି। ଏହି ଆବିଷ୍କାର ବିଶ୍ୱବ୍ୟାପୀ ବୈଜ୍ଞାନିକମାନଙ୍କ ପାଇଁ ଏକ ପ୍ରମୁଖ ପ୍ରହେଳିକା ସୃଷ୍ଟି କରିଛି। ପଥରଟି ଏକ ଛୋଟ ଡେସ୍କ ଭଳି ଦେଖାଯାଛି।
ରିସର୍ଚ୍ଚରଙ୍କ କହିବା ଅନୁସାରେ, ହୁଏତ ଏହା ଅନ୍ୟ କୌଣସି ସୌରମଣ୍ଡଳରୁ ଏଠାକୁ ଅଣାଯାଇଛି। ଆଉ କିଛି କହୁଛନ୍ତି ଏହା କୌଣସି ପ୍ରାଚୀନ ଉଲକାପିଣ୍ଡ ବର୍ଷାର ପରିଣାମ ହୋଇପାରେ। ଏହି ଚଟାଣ ଯେଉଁ ବେଡ୍ ରକରେ ରହିଛି ତାହା ଦୀର୍ଘ ସମୟ ଧରି ସୁରକ୍ଷିତ ରହିବାର ସଙ୍କେତ ଦେଉଛି। ପଥରର ଗଠନ ଭିନ୍ନ ରହିଥିବାରୁ ଉଲକାପିଣ୍ଡ ଘୋଷଣା କରିବା ପୂର୍ବରୁ ବୈଜ୍ଞାନିକ ଦଳକୁ ଅଧିକ ତଦନ୍ତ କରିବାକୁ ପଡିବ। ଯଦି ଏହା ଏକ ଉଲକାପିଣ୍ଡ ବୋଲି ଜଣାପଡେ, ତେବେ ପରସେଭରନ୍ସ ରୋଭର ମଙ୍ଗଳ ଗ୍ରହର ବାହ୍ୟ ପ୍ରସ୍ତର ଖଣ୍ଡ ଯାଞ୍ଚ କରୁଥିବା ମଙ୍ଗଳ ରୋଭରଙ୍କ ତାଲିକାରେ ସାମିଲ ହେବ। ଏହି ଆବିଷ୍କାର ମଙ୍ଗଳ ଏବଂ ସୌରଜଗତର ଭୌଗୋଳିକ ଇତିହାସକୁ ବୁଝିବାରେ ସହାୟକ ହେବ।