ଭୁବନେଶ୍ୱର, ୨୪।୬: କଳିଙ୍ଗ ଷ୍ଟାଡିୟମଠାରେ ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬ ଆରମ୍ଭ ହୋଇଛି । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି । ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଏହା ଆରମ୍ଭ ହୋଇଛି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ପ୍ରଶଂସା କରିଥିଲେ । ଦେଶର ଶ୍ରେଷ୍ଠ ଆଥଲେଟ୍ମାନଙ୍କୁ ସ୍ୱାଗତ କରି ସେ ସେମାନଙ୍କର ସଫଳତା କାମନା କରିବା ସହ ଏହି ପ୍ରତିଯୋଗିତା ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ ବୋଲି କହିଛନ୍ତି। । ଅନ୍ୟମାନଙ୍କ ମଧ୍ୟରେ ସାଉଥ୍ ଏସିଆନ୍ ଆଥଲେଟିକ୍ସ ଫେଡେରେସନ୍ର ସଭାପତି ଡ.ଲଳିତ କୁମାର ଭାନୋଟ୍, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୂନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ.ୟେଦୁଲା ବିଜୟ, ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ସଭାପତି ଅଭିଜିତ୍ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଚାମ୍ପିୟନସିପ୍ଟି ଚଳିତ ବର୍ଷ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନରେ ହେବାକୁ ଥିବା 'ଏସିଆନ ଗେମ୍ସ ୨୦୨୬' ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ (କ୍ୱାଲିଫାୟର୍) ଅଟେ । ଏହି ୫ ଦିନିଆ ପ୍ରତିଯୋଗିତାରେ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୩୦ ଜଣ ଶ୍ରେଷ୍ଠ ଆଥଲେଟ୍ (୩୪୨ ପୁରୁଷ ଓ ୨୮୮ ମହିଳା) ଭାଗ ନେଉଛନ୍ତି। ଏଥିରେ ମୋଟ ୪୫ଟି ମେଡାଲ୍ ଇଭେଣ୍ଟ ରହିଛି, ଯେଉଁଥିରେ ଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, ହର୍ଡଲ୍ସ ଏବଂ ଜାଭେଲିନ୍ ଥ୍ରୋ ଭଳି ବିଭିନ୍ନ ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରାଯାଇଛି । ଏହି ପ୍ରତିଯୋଗିତାରେ ହରିୟାଣାରୁ ସବୁଠାରୁ ଅଧିକ ୭୦ ଜଣ ଆଥଲେଟ୍ ଭାଗ ନେଉଥିବା ବେଳେ ଓଡ଼ିଶାରୁ ୧୨ ଜଣ ମହିଳାଙ୍କ ସମେତ ମୋଟ ୨୮ ଜଣ ଆଥଲେଟ୍ ପ୍ରତିନିଧିତ୍ୱ କରିଛନ୍ତି ।
ଓଡ଼ିଶାର ପ୍ରମୁଖ ଖେଳାଳି ଯେପରିକି ଜାଭେଲିନ୍ ତାରକା କିଶୋର ଜେନା, ଦୌଡ଼ରାଣୀ ଶ୍ରାବଣୀ ନନ୍ଦ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ, ପ୍ରଜ୍ଞା ପ୍ରସାନ୍ତି ସାହୁ ଏବଂ ସବିତା ଟପ୍ପୋ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।