ଭାରତ ଯେତେବେଳେ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ଆଡ଼କୁ ଅଗ୍ରସର ହେଉଛି, ସେତେବେଳେ ଆମ ସମ୍ମୁଖରେ ପ୍ରଶ୍ନ କେବଳ ଏହା ନୁହେଁ ଯେ ଆମେ ରୋଗର ଚିକିତ୍ସା କିପରି କରୁଛୁ, ବରଂ ପ୍ରଶ୍ନ ହେଉଛି ଆମେ ଏଭଳି ଏକ ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଗଢ଼ିବା ଯାହା ପୂର୍ବାନୁମାନ ଭିତ୍ତିକ, ସମାନତାପୂର୍ଣ୍ଣ ଏବଂ ନୂତନ ଉଦ୍ଭାବନ ଦ୍ୱାରା ପରିଚାଳିତ ହେବ । ଏହି ରୂପାନ୍ତରଣର କେନ୍ଦ୍ରବିନ୍ଦୁରେ ରହିଛି ସ୍ୱାସ୍ଥ୍ୟ ଗବେଷଣା ପ୍ରତି ଏକ ନୂତନ ଓ ପୁନର୍ବିଚାରିତ ଦୃଷ୍ଟିକୋଣ, ଯାହା ତଥ୍ୟକୁ ନିଷ୍ପତ୍ତି ସହିତ ଏବଂ ନିଷ୍ପତ୍ତିକୁ ପ୍ରଭାବଶାଳୀ ପରିଣାମ ସହିତ ଯୋଡ଼ିଥାଏ ।
କୋଭିଡ-୧୯ ମହାମାରୀରୁ ମିଳିଥିବା କଠିନ ଶିକ୍ଷାକୁ ଆଧାର କରି, ବାୟୋମେଡିକାଲ୍ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସଂସ୍ଥା - ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇ.ସି.ଏମ.ଆର.) ଅନେକ ଦୂରଦୃଷ୍ଟିସମ୍ପନ୍ନ ସଂସ୍କାର ହାତକୁ ନେଇଛି । ଏହି ସଂସ୍କାରଗୁଡ଼ ିକ ଏହାର ସାଂଗଠନିକ ବ୍ୟବସ୍ଥାକୁ ନୂଆ ରୂପ ଦେବାଠାରୁ ଆରମ୍ଭ କରି ଗବେଷଣା ପାଇଁ ପାଣ୍ଠି ଯୋଗାଣ ଏବଂ ତାହାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ପ୍ରଣାଳୀକୁ ସୁଦୃଢ଼ କରିବା ଯାଏ ପରିବ୍ୟାପ୍ତ । ଦିନେ ଯେଉଁ ବ୍ୟବସ୍ଥା କେବଳ ବିକ୍ଷିପ୍ତ ଓ ଅନ୍ୱେଷଣ କୈନ୍ଦ୍ରିକ ଅନୁସନ୍ଧାନ ମଧ୍ୟରେ ସୀମିତ ଥିଲା, ତାହା ଆଜି ଏକ ପ୍ରଯୁକ୍ତିବିଦ୍ୟା ପରିଚାଳିତ ଏବଂ ଲକ୍ଷ୍ୟଭିତ୍ତିକ ପରିବେଶରେ ରୂପାନ୍ତରିତ ହେଉଛି । ଏହି ପରିବର୍ତ୍ତନ କେବଳ ପ୍ରଶାସନିକ ନୁହେଁ, ବରଂ ବୈଚାରିକ ଅଟେ । ଏହା ଜାତୀୟ ପ୍ରାଥମିକତା ସହିତ ସମନ୍ୱିତ ଏବଂ ସଂସ୍ଥା-ପରିଚାଳିତ ଗବେଷଣା ଦିଗରେ ଏକ ସଚେତନ ପଦକ୍ଷେପକୁ ଦର୍ଶାଏ, ଯେଉଁଠାରେ ବିଜ୍ଞାନକୁ କେବଳ ଜ୍ଞାନ ଆହରଣ ପାଇଁ ନୁହେଁ, ବରଂ ଜନସ୍ୱାସ୍ଥ୍ୟର ଜଟିଳ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ବ୍ୟବହାର କରାଯାଉଛି ।
ଏହି ରୂପାନ୍ତରଣର ଏକ ମୁଖ୍ୟ ସ୍ତମ୍ଭ ହେଉଛି ଆଇସିଏମ୍ଆରର ସାଂଗଠନିକ ପୁନର୍ବିନ୍ୟାସ । ସାମ୍ପ୍ରତିକ ସଂସ୍କାରଗୁଡ଼ିକ ଏହାର ଅନେକ ପ୍ରତିଷ୍ଠାନରେ କାର୍ଯ୍ୟ ପରିସରକୁ ବୃଦ୍ଧି କରିଛି, ଯାହା ସେମାନଙ୍କୁ ଭିନ୍ନ ଭିନ୍ନ ବିଷୟର ଏକ ସମନ୍ୱିତ କେନ୍ଦ୍ର ଭାବରେ ଗଢ଼ି ତୋଳିଛି । ଡିଜିଟାଲ ସ୍ୱାସ୍ଥ୍ୟ ଏବଂ ଡାଟା ସାଇନ୍ସ,, ଶିଶୁ ସ୍ୱାସ୍ଥ୍ୟ, ମହିଳା ସ୍ୱାସ୍ଥ୍ୟ, ରକ୍ତ ଏବଂ ପ୍ରତିରୋଧକ ଶକ୍ତିଜନିତ ସମସ୍ୟା ଭଳି କ୍ଷେତ୍ର ପ୍ରତି ଏହି ପ୍ରତିଷ୍ଠାନର ଆଭିମୁଖ୍ୟ, ଭାରତର ପରିବର୍ତ୍ତିତ ରୋଗର ଭାର ଏବଂ ବୈଷୟିକ ସାମର୍ଥ୍ୟକୁ ପ୍ରତିଫଳିତ କରୁଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଦେଶବ୍ୟାପୀ - ଉତ୍ତର-ପୂର୍ବର ଦିବ୍ରୁଗଡ଼ଠାରୁ ଆରମ୍ଭ କରି ପଶ୍ଚିମର ଯୋଧପୁର ପର୍ଯ୍ୟନ୍ତ - ଆଞ୍ଚଳିକ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନଗୁଡ଼ିକର ଏକ ନେଟୱର୍କ ସୃଷ୍ଟି କରିବା । ଏହି ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ମିଶି କାର୍ଯ୍ୟକ୍ଷମ ଗବେଷଣା କରିବେ, ଯେପରି ପ୍ରାସଙ୍ଗିକ ବିଷୟ ଉପରେ ଗବେଷଣା କରାଯାଇପାରିବ ଏବଂ ତା’ର ସୁଫଳ ବାସ୍ତବ କ୍ଷେତ୍ରରେ ଲୋକଙ୍କ କାମରେ ଆସିପାରିବ । ଏଗୁଡ଼ିକ କେବଳ ନାମକୁ ମାତ୍ର ପରିବର୍ତ୍ତନ ନୁହେଁ, ବରଂ ଏହା ଭବିଷ୍ୟତର ବିଜ୍ଞାନ ଆଡ଼କୁ ଏକ ରଣନୀତିକ ଆଭିମୁଖ୍ୟକୁ ସୂଚାଉଛି, ଯେଉଁଠାରେ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.), ଜେନୋମିକ୍ସ ଏବଂ ରିଅଲ-ଟାଇମ୍ ଡାଟା ସିଷ୍ଟମ୍ ଜନସ୍ୱାସ୍ଥ୍ୟ ସମ୍ପର୍କିତ ନିଷ୍ପତ୍ତି ନେବାରେ ଅବିଚ୍ଛେଦ୍ୟ ଅଙ୍ଗ ସାଜିବ ।
ପୃଥକ ଭାବରେ କାର୍ଯ୍ୟ କରିବା ପରିବର୍ତ୍ତେ ଏକ ସମନ୍ୱିତ ଜାତୀୟ ଗବେଷଣା ପରିବେଶ ଆଡ଼କୁ ଅଗ୍ରସର ହେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ପ୍ରତିଷ୍ଠାନଗୁଡ଼ିକୁ ଏବେ ସମ୍ବଳ କେନ୍ଦ୍ର ଭାବରେ ପରିକଳ୍ପନା କରାଯାଉଛି, ଯାହା ଏକ ସାଧାରଣ ଜାତୀୟ ମିଶନରେ ଯୋଗଦାନ ଦେବେ ଏବଂ ଏହା ସୁନିଶ୍ଚିତ କରିବେ ଯେ ଗୋଟିଏ ସ୍ଥାନରୁ ପ୍ରାପ୍ତ ପ୍ରମାଣ ସାରା ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସାହାଯ୍ୟ କରିବ । ଏହି ବ୍ୟବସ୍ଥା-ସ୍ତରୀୟ ଚିନ୍ତାଧାରା ଏଭଳି ଏକ ଯୁଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେଉଁଠାରେ ସ୍ୱାସ୍ଥ୍ୟଗତ ଆହ୍ୱାନଗୁଡ଼ିକ ତାହା ଆଣ୍ଟିମାଇକ୍ରୋବାୟାଲ୍ ପ୍ରତିରୋଧ (ରେଜିଷ୍ଟାନ୍ସ) ହେଉ, ମହାମାରୀ ହେଉ କିମ୍ବା ଅଣ-ସଂକ୍ରାମକ ରୋଗ ହେଉ ଜଟିଳ ଏବଂ ପରସ୍ପର ସହିତ ଜଡ଼ିତ। ସାଂସ୍ଥାଗତ ସଂସ୍କାର ସହିତ ସମାନ୍ତରାଳ ଭାବେ ଗବେଷଣା ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥାର ମଧ୍ୟ ଏକ ମୌଳିକ ପୁନର୍ବିନ୍ୟାସ କରାଯାଉଛି । ପାଣ୍ଠି ଯୋଗାଣ ପ୍ରକ୍ରିୟା ଦୃଷ୍ଟିରୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଗବେଷଣା ମଧ୍ୟରେ ଥିବା ପାର୍ଥକ୍ୟ ଏବେ ଅଧିକ ସ୍ପଷ୍ଟ ହୋଇଛି । କିନ୍ତୁ ଏଥି ସହିତ, ଏକ ଅଧିକ ସଂଗଠିତ ଏବଂ ପରିଣାମ-ଆଧାରିତ ଢାଞ୍ଚା ମାଧ୍ୟମରେ ସେମାନଙ୍କୁ ପରସ୍ପର ସହ ଯୋଡ଼ା ଯାଉଛି । ଆଭ୍ୟନ୍ତରୀଣ ଗବେଷଣା ଏବେ ମୁଖ୍ୟତଃ ସଂସ୍ଥା-ଦ୍ୱାରା ଆରମ୍ଭ କରାଯାଉଛି, ଯାହା ସ୍ପଷ୍ଟ ଭାବରେ ନିର୍ଦ୍ଧାରିତ କାର୍ଯ୍ୟାଦେଶ ସହିତ ସମନ୍ୱିତ ଏବଂ ଫଳାଫଳକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗଠିତ । ଅନ୍ୟପଟେ, ବାହ୍ୟ ଗବେଷଣାକୁ ୪ଟି ସ୍ତରର ଏକ ନୂତନତ୍ୱ ଚକ୍ରରେ ପୁନର୍ଗଠିତ କରାଯାଇଛି । ସେଗୁଡ଼ିକ ହେଲା: ବର୍ଣ୍ଣନା (ଡେସ୍କ୍ରିପସନ), ଆବିଷ୍କାର (ଡିସ୍କଭରୀ), ବିକାଶ (ଡେଭେଲପମେଣ୍ଟ) ଏବଂ ସେବା ପ୍ରଦାନ (ଡେଲିଭରି) । ପ୍ରତିଶ୍ରୁତିପୂର୍ଣ୍ଣ ଚିନ୍ତାଧାରାଗୁଡ଼ିକୁ ବ୍ୟବସ୍ଥିତ ଭାବରେ କିପରି ବ୍ୟାପକ ସମାଧାନରେ ପରିଣତ କରାଯାଇପାରିବ, ଏହା ଏହି ୪ଟି ଚକ୍ର ସୁନିଶ୍ଚିତ କରନ୍ତି ।
ଲାବୋରେଟୋରୀ ଆବିଷ୍କାରଠାରୁ ଆରମ୍ଭ କରି ଜନସଂଖ୍ୟା-ସ୍ତରରେ ସେବା ପ୍ରଦାନ ପର୍ଯ୍ୟନ୍ତ ଏହି ସମନ୍ୱିତ ନିରନ୍ତରତା, କେବଳ ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା ପରିବର୍ତ୍ତେ ସମାଧାନକୁ ସକ୍ଷମ କରିବା ଦିଗରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନକୁ ସୂଚାଉଛି । ଏହାକୁ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା କାର୍ଯ୍ୟକ୍ରମ (ଏନ.ଏଚ.ଆର.ପି.) ଦ୍ୱାରା ଅଧିକ ମଜବୁତ କରାଯାଇଛି, ଯାହା ଆଣ୍ଟିମାଇକ୍ରୋବିୟାଲ୍ ପ୍ରତିରୋଧ ଏବଂ ଯକ୍ଷ୍ମାଠାରୁ ଆରମ୍ଭ କରି ମାନସିକ ସ୍ୱାସ୍ଥ୍ୟ, ପୋଷଣ ଏବଂ ଜରୁରୀକାଳୀନ ସେବା ପର୍ଯ୍ୟନ୍ତ ତେରଗୋଟି ପ୍ରାଥମିକତା କ୍ଷେତ୍ରକୁ ଚିହ୍ନଟ କରିଛି । ଏହି ମିଶନ-ମୋଡ୍ କାର୍ଯ୍ୟକ୍ରମଗୁଡ଼ିକୁ ବହୁ-ସାଂସ୍ଥାନିକ ସହଯୋଗ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଯାହାକୁ ବୃହତ୍ ପୁଞ୍ଜିନିବେଶ ଏବଂ ମାପଯୋଗ୍ୟ ପରିଣାମକୁ ସ୍ପଷ୍ଟ ଧ୍ୟାନ ଦେଇ ସହାୟତା ପ୍ରଦାନ କରାଯାଉଛି ।
ପ୍ରଯୁକ୍ତିବିଦ୍ୟା ମଧ୍ୟ ଏକ ରୂପାନ୍ତରଣକାରୀ ଭୂମିକା ଗ୍ରହଣ କରୁଛି । ନିଦାନ, ସର୍ଭେଲାନ୍ସ (ନଜର ରଖିବା) ଏବଂ କାର୍ଯ୍ୟକ୍ରମର ରୂପାୟନରେ ଆଇର ସମନ୍ୱୟ ସହରୀ ଏବଂ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ମଧ୍ୟରେ ଥିବା ବହୁ ଦିନର ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରୁଛି । ଯକ୍ଷ୍ମା ଏବଂ ଡାଇବେଟିକ୍ ରେଟିନୋପାଥି ସ୍କ୍ରିନିଂ ପାଇଁ ଏ.ଆଇ. ସକ୍ଷମ ଉପକରଣଗୁଡ଼ିକ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସହାୟତା କରୁଥିବା ବେଳେ ଏ.ଆଇ.-ଚାଳିତ ପୋଷଣ ସମୀକ୍ଷା ଭଳି ଅଭିନବ ପ୍ରୟାସଗୁଡ଼ିକ ବ୍ୟାପକ ସ୍ତରରେ କାର୍ଯ୍ୟକ୍ରମର ସେବା ପ୍ରଦାନକୁ ସୁଧାରୁଛନ୍ତି । ଆଇ-ଡ୍ରୋନ୍ ପ୍ରୟାସ, ଯାହା ଟୀକ ବିତରଣରୁ ଆରମ୍ଭ ହୋଇଥିଲା ଏବଂ ଏବେ କର୍ଣ୍ଣିଆ ( ଚକ୍ଷୁପଟଳ) ଭଳି ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସାମଗ୍ରୀର ପରିବହନ ପାଇଁ ବ୍ୟବହାର କରାଯାଉଛି। ଏହା ଦର୍ଶାଉଛି ଯେ କିପରି ଅତ୍ୟାଧିନିକ ପ୍ରଯୁକ୍ତିବିଦ୍ୟା ଭୌଗଳିକ ପ୍ରତିବନ୍ଧକକୁ ଦୂର କରି ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇ ପାରିବ ।
ବିଜ୍ଞାନର ଅଗ୍ରଭାଗରେ, ଭେଷଜ ଯନ୍ତ୍ରାଂଶ ଏବଂ ନିଦାନଠାରୁ ଆରମ୍ଭ କରି ପରବର୍ତ୍ତୀ ପିଢ଼ିର ଟୀକା ଏବଂ ଚିକିତ୍ସା ପଦ୍ଧତି ପର୍ଯ୍ୟନ୍ତ ମେଡ୍ଟେକ୍ କ୍ଷେତ୍ରରେ ହେଉଥିବା ପ୍ରଗତି ଅଧିକ ଲକ୍ଷ୍ୟଭିତ୍ତିକ ଏବଂ ରୋଗୀ-କୈନ୍ଦ୍ରିକ ହସ୍ତକ୍ଷେପକୁ ସକ୍ଷମ କରୁଛି । ଏହାର ସମାନ୍ତରାଳ ଭାବେ, ଅଭିନବ ଏବଂ ପ୍ରମାଣ-ଆଧାରିତ ମଡେଲଗୁଡ଼ିକ ମାଧ୍ୟମରେ ପାରମ୍ପରିକ ଜ୍ଞାନ ବ୍ୟବସ୍ଥା ସହ ସମନ୍ୱୟ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରୁଛି । ଦେଶୀୟ ଆବିଷ୍କାର (ଇଣ୍ଡିଜେନସ୍ ଇନୋଭେସନ) ପ୍ରତି ଏକ ଦୃଢ଼ ପ୍ରୋତ୍ସାହନ ଦ୍ୱାରା ଏହି ପ୍ରଚେଷ୍ଟାଗୁଡ଼ିକୁ ଅଧିକ ବଳ ମିଳୁଛି । ‘ଫାଷ୍ଟ ଇନ୍ ଦି ୱାର୍ଲ୍ଡ ଚ୍ୟାଲେଞ୍ଜ’ ଭଳି ଯୋଜନା ସହିତ ‘ମେଡଟେକ୍ ମିତ୍ର’ ଏବଂ ‘ମେଡିକାଲ ଇନୋଭେସନ୍ସ - ପେଟେଣ୍ଟ ମିତ୍ର’ ଭଳି ପ୍ଲାଟଫର୍ମଗୁଡ଼ିକ ଗବେଷଣାରୁ ବ୍ୟବସାୟିକରଣ ପର୍ଯ୍ୟନ୍ତ ଯାତ୍ରାକୁ ତ୍ୱରାନ୍ୱିତ କରୁଛନ୍ତି, ଯାହା ସୁନିଶ୍ଚିତ କରେ ଯେ ସରକାରୀ ପାଣ୍ଠିରେ ଚାଲୁଥିବା ବିଜ୍ଞାନ ଲୋକମାନଙ୍କ ପାଇଁ ଶସ୍ତା ଏବଂ ସହଜଲବ୍ଧ ପ୍ରଯୁକ୍ତିବିଦ୍ୟାରେ ରୂପାନ୍ତରିତ ହେବ ।
ତେବେ, ଏହି ସଂସ୍କାରଗୁଡ଼ିକର ପ୍ରକୃତ ମାପକାଠି ଜନସ୍ୱାସ୍ଥ୍ୟ ଉପରେ ସେମାନଙ୍କର ପ୍ରଭାବ ମଧ୍ୟରେ ନିହିତ ଅଛି। ‘ଇଣ୍ଡିଆ ହାଇପରଟେନସନ କଣ୍ଟ୍ରୋଲ ଇନିସିଏଟିଭ୍’ ଭଳି ପ୍ରୟାସଗୁଡ଼ିକ ଦର୍ଶାଇଛନ୍ତି ଯେ କିପରି ପ୍ରମାଣ-ଆଧାରିତ ରଣନୀତିଗୁଡ଼ିକ ବ୍ୟାପକ ସ୍ତରରେ ଦୀର୍ଘକାଳୀନ ରୋଗର ପରିଚାଳନାକୁ ବଦଳାଇ ପାରିବେ । ମୋବାଇଲ୍ ଷ୍ଟ୍ରୋକ୍ ୟୁନିଟ୍ ଏବଂ ରାପିଡ୍ କାର୍ଡିଆକ୍ ରେସପନ୍ସ ସିଷ୍ଟମ୍ ସମେତ ଜରୁରୀକାଳୀନ ସେବା କ୍ଷେତ୍ରରେ ମିଶନ-ମୋଡ୍ କାର୍ଯ୍ୟକ୍ରମଗୁଡ଼ିକ ଜୀବନ ପ୍ରତି ବିପଦ ଥିବା ସ୍ଥିତିରେ ସଫଳତାର ଏକ ନୂଆ ସଂଜ୍ଞା ସୃଷ୍ଟି କରୁଛନ୍ତି । ବର୍ଦ୍ଧିତ ରୋଗ ଚିହ୍ନଟ ନେଟୱର୍କ ଏବଂ ଦେଶୀୟ ପ୍ରଯୁକ୍ତିବିଦ୍ୟା କର୍କଟଠାରୁ ଆରମ୍ଭ କରି ସଂକ୍ରାମକ ରୋଗ ପର୍ଯ୍ୟନ୍ତ ବିଭିନ୍ନ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସାକୁ ସଦୃଢ଼ କରୁଛନ୍ତି । ଏହି ପ୍ରଚେଷ୍ଟାଗୁଡ଼ିକ ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ସହିତ ସମ୍ପୂର୍ଣ୍ଣ ଅନୁକୂଳ, ଯାହା ପ୍ରତିଷେଧକ ଓ ପ୍ରୋତ୍ସାହନଧର୍ମୀ ସ୍ୱାସ୍ଥ୍ୟସେବା, ସର୍ବଜନୀନ ପହଞ୍ଚ ଏବଂ ସେବାର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇଥାଏ । ସେଗୁଡ଼ିକ ସମାନତା ପ୍ରତି ଏକ ବ୍ୟାପକ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରନ୍ତି, ଯାହା ସୁନିଶ୍ଚିତ କରେ ଯେ ବୈଜ୍ଞାନିକ ପ୍ରଗତିର ସୁଫଳ ଭୌଗୋଳିକ କିମ୍ବା ସାମାଜିକ-ଆର୍ଥିକ ସ୍ଥିତି ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚିବ। ଆମେ ଯେତେବେଳେ ଭବିଷ୍ୟତକୁ ଦେଖୁ, ଦୂରଦୃଷ୍ଟି ସ୍ପଷ୍ଟ ହୁଏ । ଆଇସିଏମ୍ଆର୍ ଏକ ପ୍ରେରକ ଭାବରେ କାର୍ଯ୍ୟ ଜାରି ରଖିବ, ଯାହା ଏକ ସହନଶୀଳ ଏବଂ ସକ୍ରିୟ ସ୍ୱାସ୍ଥ୍ୟ ପରିବେଶ ଗଠନ ପାଇଁ ଗବେଷକ, ଚିକିତ୍ସକ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ଜଗତକୁ ଏକତ୍ରିତ କରିବ । ୨୦୨୭ର ରୋଡମ୍ୟାପ୍ ଡିଜିଟାଲ୍ ସ୍ୱାସ୍ଥ୍ୟ, ବାୟୋ ମାନୁଫ୍ୟାକ୍ଚରିଂ ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ଅଗ୍ରଗତି ଦ୍ୱାରା ନିର୍ଦ୍ଧାରିତ ହେବ, ଯେଉଁଥିରେ ଦକ୍ଷତା ବୃଦ୍ଧି ଏବଂ ବିଶ୍ୱସ୍ତରୀୟ ସହଯୋଗକୁ ଅଧିକ ଗୁରୁତ୍ୱ ଦିଆଯିବ ।
ଏହା ସ୍ୱୀକାର କରିବା ଆବଶ୍ୟକ ଯେ ସ୍ୱାସ୍ଥ୍ୟ ଗବେଷଣା ଏକ ସୀମିତ ବା ପୃଥକ୍ ପ୍ରୟାସ ନୁହେଁ, ଏହା ଏକ ସମ୍ମିଳିତ ଜାତୀୟ ଉଦ୍ୟମ । ଆଇସିଏମ୍ଆର୍ ମଧ୍ୟରେ ଚାଲିଥିବା ଏହି ରୂପାନ୍ତରଣ ହେଉଛି ସମସ୍ତ ଅଂଶୀଦାରଙ୍କୁ ଏହି ଯାତ୍ରାରେ ସାମିଲ କରିବା, ମିଳିତ ଭାବେ ସମାଧାନର ସୂତ୍ର ସୃଷ୍ଟି କରିବା ଏବଂ ବିଜ୍ଞାନ ଯେପରି ସବୁଠାରୁ ଅର୍ଥପୂର୍ଣ୍ଣ ଭାବରେ ସମାଜର ସେବା କରିବ ତାହାକୁ ସୁନିଶ୍ଚିତ କରିବା ପାଇଁ ଏକ ଆମନ୍ତ୍ରଣ । ଏକ ସଂସ୍କାରିତ ସ୍ୱାସ୍ଥ୍ୟ ଗବେଷଣା ବ୍ୟବସ୍ଥା ନିଜେ ଏକ ଶେଷ ଲକ୍ଷ୍ୟ ନୁହେଁ³ ଏହା ହେଉଛି ସେହି ମୂଳଦୁଆ ଯାହା ଉପରେ ଏକ ସୁସ୍ଥ, ଅଧିକ ସମାନତାପୂର୍ଣ୍ଣ ଏବଂ ଅଧିକ ସହନଶୀଳ ଭାରତ ଗଠନ ହେବ । ଏପରି ଏକ ଭାରତ ଯେଉଁଠାରେ ପ୍ରତ୍ୟେକ ଆବିଷ୍କାର ସେବା ପ୍ରଦାନ ଆଡ଼କୁ ମୁହାଁଇବ ଏବଂ ପ୍ରତ୍ୟେକ ନୂତନତ୍ୱ ବାସ୍ତବ ପ୍ରଭାବରେ ରୂପାନ୍ତରିତ ହେବ ।