ସ୍ୱାମୀ ବିବେକାନନ୍ଦ କହିଥିଲେ "ମାନବ ସେବା ହିଁ ମାଧବ ସେବା' । ଏହାର ଅର୍ଥ, ମାନବ ସମାଜ ପ୍ରତି ନିରନ୍ତର ସ୍ୱାର୍ଥବିହୀନ ସେବାକୁ ହିଁ ଈଶ୍ୱରଙ୍କ ସେବା ବୋଲି କୁହାଯାଏ । ନିଃସ୍ୱାର୍ଥପର ଭାବରେ କିଛି ଭଲ କର୍ମ କରି ସମାଜର ଉପକାର କରିବାକୁ ପ୍ରକୃତ ସେବା ବୋଲି ଧରାଯାଏ । ସମଗ୍ର ବିଶ୍ୱରେ ଅନେକ ବିଶିଷ୍ଟ ବ୍ୟକ୍ତି ସମାଜର ଲୋକମାନଙ୍କ ପାଇଁ ସେବା କରି ଜୀବନ ଅତିବାହିତ କରିଛନ୍ତି । ଆବ୍ରାହାମ ଲିଙ୍କନ ଆମେରିକାରେ କଳା ଲୋକଙ୍କ ପାଇଁ କାମ କରି କ୍ରୀତଦାସ ପ୍ରଥାକୁ ବିଲୋପ କରିଥିଲେ । ଯୀଶୁଖ୍ରୀଷ୍ଟ ଓ ଗୌତମ ବୁଦ୍ଧଙ୍କର ସମାଜ ପ୍ରତି ସେବା ଓ ତ୍ୟାଗ ଅବିସ୍ମରଣୀୟ ଅଟେ । ମହାତ୍ମା ଗାନ୍ଧୀ ଦେଶସେବା କରି ଜୀବନକୁ ଉତ୍ସର୍ଗ କରିଦେଲେ ଓ ଅହିଂସା ସେବା ଦ୍ୱାରା ଦେଶକୁ ପରାଧୀନତାରୁ ମୁକ୍ତ କଲେ । ଓଡ଼ିଶାରେ ଗୋପବନ୍ଧୁ ଓ ମଧୁବାବୁ ସମାଜ ପ୍ରତି ନିଜର ମହନୀୟ ସେବା ପାଇଁ ଚିରସ୍ମରଣୀୟ ଅଟନ୍ତି ।

ସାଧାରଣ ଅର୍ଥରେ ସେବା ସୁବିଧା ବା ଉପକାର ଯୋଗାଇ ଦେବାକୁ ବୁଝାଇଲେ ମଧ୍ୟ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଧାର୍ମିକ ଦୃଷ୍ଟିରୁ ଭିନ୍ନ ହୋଇଥାଏ । ବ୍ୟବସାୟ ବା ବୃତ୍ତିରେ ସେବା ଯୋଗାଉଥିବା ବ୍ୟକ୍ତି ନିଜର ପ୍ରାପ୍ୟ ପାଇଁ ଅର୍ଥ ବା ପାରିଶ୍ରମିକ ଅସୁଲ କରିଥାଏ । ମାତ୍ର ରାଜନୈତିକ ଓ ସାମାଜିକ ସଂସ୍ଥାଗୁଡ଼ିକ ଯୋଗାଉଥିବା ସେବାମାନ ନିଃଶୁଳ୍କ ଅଟେ । କାରଣ, ଏହି ସେବାଗୁଡ଼ିକୁ ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଯେତେବେଳେ ସେବା ପ୍ରଦାନକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲିଯାଇ ଅସତ୍, ଅନ୍ୟାୟ ଓ ପ୍ରଦତ୍ତ କ୍ଷମତାର ଅପବ୍ୟବହାର କରି ନିଜ ସ୍ୱାର୍ଥ ପାଇଁ କାମ କରେ ବା ଅର୍ଥ ଉପାର୍ଜନ କରେ, ସେଇଠି ଦୁର୍ନୀତି ଜନ୍ମ ନେଇଥାଏ । ବର୍ତ୍ତମାନ ସମୟରେ ଏହା କ୍ୟାନସର ରୋଗ ଭଳି ବ୍ୟାପିବାରେ ଲାଗିଅଛି ।

 

ସେବା ଏକ ଅଦୃଶ୍ୟ ମୂଲ୍ୟ ଓ ପଦକ୍ଷେପ, ଯାହାକୁ ନିର୍ବାଚିତ ପ୍ରତିନିଧିମାନେ ତର୍ଜମା କରି ସାଧାରଣ ଲୋକମାନେ ପାଉଛନ୍ତି ବା ଉପକୃତ ହେଉଛନ୍ତି ନା ନାହିଁ ତଦାରଖ କରିଥାନ୍ତି। ଯଦି ଏଇଠି ସେବା ପାଇଁ ମୂଲ୍ୟ ଆଦାୟ ହୁଏ, ତେବେ ଦୁର୍ନୀତି ଆସେ । ଦୁର୍ନୀତି ରାଜ୍ୟ ଓ ଦେଶର ଆର୍ôଥକ ପ୍ରଗତିକୁ ବାଧା ପହଞ୍ଚାଇଥାଏ ଏବଂ ସାଧାରଣ ବିଶ୍ୱସନୀୟତା ହରାଇଥାଏ । ଲୋକଙ୍କ ଭରସା ତୁଟିଲେ ସରକାର ଓ ଅନୁଷ୍ଠାନଗୁଡ଼ିକ ଭରସାଯୋଗ୍ୟ ହେବେନାହିଁ, ଫଳରେ ରାଜନୈତିକ ଅସ୍ଥିରତା ସହ ସାମାଜିକ ବିଭ୍ରାଟ ଘଟିବ । ଭାରତର ବର୍ତ୍ତମାନ ରାଜନୀତିର ପୃଷ୍ଠଭୂମି ଦେଖିଲେ ସେବାର ଅର୍ଥ ନିଃସ୍ୱାର୍ଥପର ଓ ନିରନ୍ତର ସାଧାରଣ ଜନତାଙ୍କ ପାଇଁ କର୍ତ୍ତବ୍ୟକୁ ବୁଝାଏ । ଦେଶରେ କୌଣସି ନିର୍ବାଚିତ ନେତାଙ୍କର କ୍ଷମତା କହିଲେ ସାମ୍ବିଧାନିକ, ବୈଧାନିକ ଓ ପ୍ରଶାସନିକ କର୍ତ୍ତୃତ୍ୱକୁ ବୁଝାଏ, ଯାହା ଲୋକମାନଙ୍କ ଦ୍ୱାରା ସରକାରଙ୍କୁ ପ୍ରଦତ୍ତ କରାଯାଇଥାଏ । ଏହି କ୍ଷମତା ବଳରେ ସେମାନଙ୍କର ଦାୟିତ୍ୱ ନୂତନ ଆଇନ ତିଆରି କରିବା ଓ ନୂତନ ଉନ୍ନତିମୂଳକ ଯୋଜନାମାନ ପ୍ରସ୍ତୁତ କରିବା ଅଟେ । ନିର୍ବାଚିତ ପ୍ରତିନିଧିମାନଙ୍କର କ୍ଷମତା ପରିସରକୁ ମୁଖ୍ୟତଃ ୩ଭାଗରେ ବିଭକ୍ତ କରାଯାଇଥାଏ । ପ୍ରଥମତଃ, ସାମ୍ବିଧାନିକ କ୍ଷମତା ।

ଭାରତରେ ସଂସଦୀୟ ଗଣତନ୍ତ୍ର ସହିତ ସଂଘୀୟ ରାଷ୍ଟ୍ର ଶାସନ ବା କେନ୍ଦ୍ର ଅଧୀନ ହେଲେ ମଧ୍ୟ ରାଜ୍ୟଗୁଡ଼ିକ ସ୍ୱାଧୀନ ଅଟନ୍ତି । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ ହୋଇଥାଏ । କେନ୍ଦ୍ର ସ୍ତରରେ ସମ୍ବିଧାନର ୭୪(୧) ଅଂଶ ଅନୁସାରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କଦ୍ୱାରା ଗଠିତ ମନ୍ତ୍ରୀ ପରିଷଦ ହାତରେ ଶାସନ କ୍ଷମତା ନ୍ୟସ୍ତ ଥାଏ, ଯିଏ ରାଷ୍ଟ୍ରପତିଙ୍କୁ ଆବଶ୍ୟକ ସ୍ଥଳେ ପରାମର୍ଶ ଦେଇଥାନ୍ତି । ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମୁଖ୍ୟ ହିସାବରେ ସରକାରଙ୍କର ଦାୟିତ୍ୱ ତୁଲାଇଥାନ୍ତି ଏବଂ ଗଠିତ ମନ୍ତ୍ରିପରିଷଦ ତାଙ୍କୁ ସାହାଯ୍ୟ କରିଥାନ୍ତି । ରାଜ୍ୟପାଳ କେବଳ ସାମ୍ବିଧାନିକ ମୁଖ୍ୟ ହିସାବରେ କାର୍ଯ୍ୟ କରିଥାନ୍ତି । ଲୋକସଭା ଏବଂ ବିଧାନସଭା ସଦସ୍ୟମାନେ ଜନପ୍ରତିନିଧି ଭାବରେ ଲୋକମାନଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ ହୋଇଥାନ୍ତି । ସେମାନଙ୍କର କ୍ଷମତା ଓ ଦାୟିତ୍ୱ ହେଲା ଗୃହରେ ଆଲୋଚନା ବିତର୍କରେ ଭାଗନେଇ ନୂତନ ଆଇନକୁ ପାସ୍ କରିବା ଏବଂ ବିଧାନସଭା ସଦସ୍ୟମାନଙ୍କର ସ୍ୱତନ୍ତ୍ର କ୍ଷମତା ଥାଏ, ଯାହାଦ୍ୱାରା ଇଲେକ୍ଟୋରାଲ କଲେଜ ମାଧ୍ୟମରେ ଦେଶର ରାଷ୍ଟ୍ରପତି ଓ ରାଜ୍ୟସଭା ସଦସ୍ୟଙ୍କୁ ନିର୍ବାଚିତ କରିଥାନ୍ତି । ଦ୍ୱିତୀୟରେ ପ୍ରଶାସନିକ ଓ ପରିଚାଳନା କ୍ଷମତା ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ନ୍ୟସ୍ତ ଥାଏ । ବିଶେଷ ଭାବରେ କ୍ୟାବିନେଟ ମନ୍ତ୍ରୀଙ୍କ ହାତରେ ପ୍ରଶାସନିକ କ୍ଷମତା ଥାଏ, ଯାହାଦ୍ୱାରା ନୀତି ନିର୍ଦ୍ଧାରଣ କରିବା, ବଜେଟ ବ୍ୟବସ୍ଥା କରି ବଣ୍ଟନ କରିବା ଏବଂ ଅମଲାତନ୍ତ୍ର ଯଥା- ସର୍ବଭାରତୀୟ ସେବାରେ ନିୟୋଜିତ ଆଇ.ଏ.ଏସ୍. ଓ ଆଇ.ପି.ଏସ୍ ଅଫିସରମାନଙ୍କ କାର୍ଯ୍ୟକୁ ତଦାରଖ କରିବା, ଯେଉଁମାନେ କି ନିମ୍ନସ୍ତରରେ ସମସ୍ତ ଯୋଜନା ବା ନୀତିକୁ କାର୍ଯ୍ୟକାରୀ କରିଥାନ୍ତି । ତୃତୀୟ ପ୍ରକାରର କ୍ଷମତା ଦେଖିଲେ, ଯେଉଁ ନିର୍ବାଚିତ ପ୍ରତିନିଧିମାନେ କ୍ଷମତାରୁ ବଞ୍ଚିତ ଅର୍ଥାତ୍ ମନ୍ତ୍ରୀ ହୋଇନଥାନ୍ତି ସେମାନେ ବିରୋଧୀ ଦଳରେ ବି ଥାଆନ୍ତୁ ସେମାନଙ୍କୁ ସାମ୍ବିଧାନିକ କ୍ଷମତା ପ୍ରଦାନ ଦ୍ୱାରା ସରକାରଙ୍କର ଦାୟିତ୍ୱବୋଧକୁ ତର୍ଜମା କରିବା, ସେବା ବଞ୍ଚିତମାନଙ୍କର ସ୍ୱର ହୋଇ ବିଭିନ୍ନ ଆବଶ୍ୟକ ଦାବି ରଖିବା ଏବଂ ସର୍ବୋପରି କ୍ଷମତାରେ ଥିବା ଦଳର ଠିକ୍ କାର୍ଯ୍ୟାନ୍ୱୟନକୁ ତର୍ଜମା କରିଥାନ୍ତି ।

ବିଶ୍ୱରେ ଯେତେ ପ୍ରକାରର ଶାସନ ବ୍ୟବସ୍ଥା ଅଛି, ତା’ ମଧ୍ୟରୁ ଗଣତନ୍ତ୍ର ଏକ ଉତ୍ତମ ବ୍ୟବସ୍ଥା ବୋଲି ରାଜନୀତି ବିଶାରଦମାନେ ମତ ଦିଅନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ କହିଥିଲେ "ଗଣତନ୍ତ୍ର ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଏବଂ ଲୋକମାନଙ୍କ ପାଇଁ' । ଯାହାର ଅର୍ଥ ହେଲା- ଜନସାଧାରଣଙ୍କ ହାତରେ କ୍ଷମତା ଏବଂ ତାଙ୍କ ଇଚ୍ଛାରେ ଶାସନ । କ୍ଷମତାର ମୁଖ୍ୟ ଛଅଗୋଟି ଉପାଦାନ ହେଲା ଆର୍ଥିକ, ରାଜନୈତିକ, ପ୍ରତିରକ୍ଷା, ସାଂସ୍କୃତିକ, ଭୌଗୋଳିକ ଓ ପ୍ରାକୃତିକ ସମ୍ପଦର ପରିଚାଳନା। ଭାରତବର୍ଷ ସ୍ୱାଧୀନ ହବାର ୭୮ବର୍ଷ ବିତିଗଲାଣି । ଏହି ଗଣତନ୍ତ୍ରର ପରିପକ୍ୱତା, ଆଚରଣ ବିଧି ଓ ନିରପେକ୍ଷତା ପାଇଁ ସାରା ବିଶ୍ୱରେ ସୁନାମ ଅଛି । ପୂର୍ବରୁ ରାଜତନ୍ତ୍ର ଓ ଔପନିବେଶବାଦ ଶାସନ କ୍ଷମତାର ସ୍ୱାଦ ଚାଖି ତାହାର ଅନ୍ତ ଘଟାଇ ଗଣତାନ୍ତ୍ରିକ ପଦ୍ଧତିରେ ଶାସନ କ୍ଷମତାର ସ୍ୱାଦ ମଧ୍ୟ ଦେଶବାସୀ ପରୀକ୍ଷା କରିସାରିଲେଣି । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଅନ୍ୟାୟ, ଅନୀତି, ଶୋଷଣ, କଷଣ ଓ ଭ୍ରାଷ୍ଟାଚାରର ଅନ୍ତ ଘଟାଇ ଶ୍ରଦ୍ଧା, ପ୍ରେମ, ସୌହାର୍ଦ୍ଦ୍ୟ, ଭ୍ରାତୃଭାବ ଓ ପରସ୍ପର ସହଯୋଗର ଅଭ୍ୟୁଦୟ ହେବ । ଏହା ଭିତରେ ଅନେକ ପରିବର୍ତ୍ତନ ଘଟିଗଲାଣି । ଅନ୍ୟ ଉନ୍ନତ ଦେଶ ଭଳି ବିକଶିତ ହେଉଅଛି । ମାତ୍ର ଗଣତନ୍ତ୍ରର ଛତ୍ରଛାୟା ତଳେ ଏକକ କ୍ଷମତା ଉତ୍ଥାନ, ଅର୍ଥନୈତିକ ପରିଚାଳନାରେ ତ୍ରୁଟି ଏବଂ ସାମ୍ପ୍ରଦାୟିକ ସଦ୍ଭାବର ନଷ୍ଟ ପରିଲକ୍ଷିତ ହେଉଛି । କ୍ଷମତା ଅଳୀନ୍ଦରେ ଶାସନ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟର ଅଭାବ ଯୋଗୁଁ ବିଦ୍ୱେଷମାନ ଦେଖା ଦେଉଛି ।

ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଦଳୀୟ ସୁପ୍ରିମୋବାଦ ମୁଣ୍ଡ ଟେକିବା ଯୋଗୁଁ ଗଣତନ୍ତ୍ର ବିପଦମୁଖୀ ହେଉଛି । ସେବା ବଦଳରେ ଯେନତେନ କ୍ଷମତା ହାସଲ କରିବା ରାଜନୈତିକ ଲକ୍ଷ୍ୟ ପାଲଟି ଯାଉଛି । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦକ୍ଷତା ଅପେକ୍ଷା କ୍ଷମତାସୀନ ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଦ୍ୱାରା ନିରପେକ୍ଷତା ଓ ସାଧାରଣ ଲୋକମାନେ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସମୟ ବଦଳି ଯାଉଛି । ଭାରତ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାବରେ ଉଭା ହୋଇଛି । ଏହାର ଦ୍ରୁତ ଜନସଂଖ୍ୟା ବୃଦ୍ଧି, ବେକାରୀ ଓ ଗରିବୀକୁ ବାଟ ଦେଖାଉଥିଲେ ମଧ୍ୟ ଅର୍ଥନୈତିକ ଦୃଷ୍ଟିରୁ ଦୃଢ଼ ଅଭିବୃଦ୍ଧି ଘଟି ପୃଥିବୀର ୩ୟ ବୃହତ୍ ଅର୍ଥନୀତି ପାଇଁ ପ୍ରତିଯୋଗିତା କରୁଛି । ସର୍ବସାଧାରଣଙ୍କ ଆଗରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଖାଦ୍ୟ ଓ ବାସଗୃହ ଇତ୍ୟାଦି ମୌଳିକ ସମସ୍ୟା ଦେଖା ଦେଉଅଛି । ଏହି ପରିପ୍ରେକ୍ଷୀରେ ନିର୍ବାଚିତ ପ୍ରତିନିଧି ଯଥା- ମନ୍ତ୍ରୀ, ବିଧାୟକ, ଏମ୍.ପି ଓ ଅନ୍ୟ ନେତାମାନଙ୍କର ମୂଳ ଲକ୍ଷ୍ୟ ହେଉଛି ଉଚିତ୍ ସେବା ଯୋଗାଇବା ।

ଏମାନେ ସରକାରଙ୍କ ଦ୍ୱାରା ପ୍ରଚଳନ ହେଉଥିବା ସମସ୍ତ ସେବାକୁ କାର୍ଯ୍ୟକାରୀ କରିବାକୁ ଦାୟିତ୍ୱ ବହନ କରିଥାନ୍ତି ଏବଂ ବିଭିନ୍ନ ବିଭାଗ ଯଥା- ରାଜସ୍ୱ, ପ୍ରତିରକ୍ଷା, ପରିବହନ, ପୋଲିସ ସେବା, ଅଗ୍ନିଶମ, ଶିକ୍ଷା ଓ ସ୍ୱାସ୍ଥ୍ୟ ଇତ୍ୟାଦି ମାଧ୍ୟମରେ ସେବା ପ୍ରଦାନ କରିଥାନ୍ତି । ବାସ୍ତବରେ ଦେଖିଲେ ଆଜିର ରାଜନୀତିରେ ରାଜନେତାମାନଙ୍କର ସାହେବୀ ମାନସିକତାର ଗ୍ରହଣୀୟତାକୁ ସମସ୍ତେ ଅନୁଭବ କରୁଛନ୍ତି । ଏମାନେ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶର ଦ୍ୱାହି ଦେଇ ଦେଶସେବା ନାମରେ ନିଜ ବାଟରେ ଚତୁରତା ସହ ଧନ ଠୁଳ କରିବାକୁ ସକ୍ଷମ ହୋଇଥାନ୍ତି । ପରିସଂଖ୍ୟାନ ଏ.ଡି.ଆର. ତଥ୍ୟ ଅନୁଯାୟୀ, ଆମ ଦେଶର ସମସ୍ତ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩୧% କୋଟିପତି ଏବଂ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ୧କୋଟି ଟଙ୍କାରୁ ଅଧିକ । ଭାରତର ସବୁ ରାଜ୍ୟ ବିଧାନସଭାରେ ଥିବା ବିଧାୟକମାନଙ୍କର ସମ୍ପତ୍ତି ଦେଖିଲେ ୭୩୩୪୮ କୋଟିରୁ ଅଧିକ ହେବ ।

ପ୍ରକାଶଥାଉ କି, ଯେତେବେଳେ ଶାସକ ବା ପ୍ରଶାସକ ନିଜକୁ ସେବକ ବିଚାରରେ ପରିଚାଳିତ ହେବେ, ସେତେବେଳେ ଯାଇ ଆବଶ୍ୟକ ରୂପାନ୍ତରଣର ବାସ୍ତବ ମୂଲ୍ୟ ଲୋକମାନଙ୍କୁ ମିଳିପାରିବ । ସେଥିପାଇଁ ଲୋକାଭିମୁଖୀ ଶାସନ ଓ ଜନସେବା ପାଇଁ ସମର୍ପଣ ଭାବ ଏବଂ ଦୁର୍ନୀତିବିମୁଖ ପ୍ରତିବଦ୍ଧତା ପ୍ରାକ୍ ସର୍ତ୍ତ ହେବା ଉଚିତ ।