କର୍ମକ୍ଷେତ୍ରରେ ଅନୁଜମାନଙ୍କ ଚେୟାର ପାଖ ଦେଇ ଆସିବାବେଳେ କାନରେ ବାଜିଲା କିଛି କଥା । ମୁଁ ଚେୟାର ଅତିକ୍ରମ କରିସାରିଥିଲି । ତେଣୁ ଟିକେ ଧୀର ଶୁଭିଲା । କଥାଟି ଥିଲା ମୋର ଅଭିଜ୍ଞତା ଉପରେ ଅଶ୍ଳୀଳ ଟିପ୍ପଣୀ । ଯାହାକୁ ‘ଗାଳି’ କୁହାଯାଇପାରେ । ଯଦିଓ ଟିପ୍ପଣୀ ଯାହା ମୁହଁରୁ ଆସିଥିଲା ତା’ ବୟସ ମୋ ଅଭିଜ୍ଞତାର ବୟସଠାରୁ ଟିକେ ଅଧିକ । ତଥାପି ପଛକୁ ଫେରି ଚାହିଁଲି । ସମଭାବାପନ୍ନ ସାଥୀଙ୍କ ସହ ତା’ କଥାର ମୋଡ଼ ବଦଳି ସାରିଥିଲା । ଦୃଷ୍ଟି ବି ଅନ୍ୟଆଡ଼େ ଥିଲା । କିନ୍ତୁ ମୁହଁରେ ଥିଲା ଆତ୍ମସନ୍ତୋଷର ଛାପ, ଯେମିତିକି ବଡ଼ କିଛି ହାସଲ ହୋଇଛି ।

ଅଫିସ୍‌ରୁ ଘରକୁ ଫେରୁ ଫେରୁ ରାସ୍ତାରେ ଫୁଲ ଚୋରମାନେ ବୁଲିବା ଆରମ୍ଭ କଲେଣି । ଘରେ ପହଞ୍ଚିବା ପରେ ଅଚାନକ ପୁଣି କର୍ମକ୍ଷେତ୍ରର ସହକର୍ମୀଙ୍କ ଟିପ୍ପଣୀ ମନେ ପଡ଼ିଗଲା । ଟିକେ ହସ ଲାଗିଲା । କିପରି ସ୍କୁଲ ସମୟରେ ଶିକ୍ଷକ ଓ କଲେଜ କାଳରେ ଅଧ୍ୟାପକଙ୍କୁ ପଛରୁ ମନ ଭରି ଗାଳି ଦେଉଥିଲୁ । ବିଶେଷ କରି ମନ ଦେଇ ପଢ଼ିବାକୁ କହୁଥିବା ମାଷ୍ଟ୍ରେଙ୍କୁ ନିର୍ଘାତିଆ ଗାଳି ଦେଉଥିଲୁ । ପାଠ ଆଦାୟ କରୁନଥିବା ଏବଂ ପଢ଼ିବାକୁ କହୁନଥିବା ଅଧ୍ୟାପକମାନେ ଥିଲେ ଆମର ପ୍ରିୟ । ଥରେ ତ ରାଗ ଏତେ ବଢ଼ିଯାଇଥିଲା ଯେ ପରୀକ୍ଷା ହଲ୍ରେ ଧଳାସାର୍ଟ ପିନ୍ଧିଥିବା ଜଣେ ଅଧ୍ୟାପକଙ୍କ ସାର୍ଟକୁ ପଛ ପାଖରୁ କଲମ କାଳିରେ ରଙ୍ଗୀନ କରି ପକାଇଥିଲୁ । ଏଭଳି କାମ କଦାଚିତ ଗ୍ରହଣୀୟ ହୋଇନଥିଲେ ବି ସେ ସମୟରେ ଆମ କଲେଜ ଗ୍ୟାଙ୍ଗ୍ ଭାବୁଥିଲୁ ଏହା ଏକ ବଡ଼ କୃତିତ୍ୱ । ଏବେ ଯାହାକୁ ଭାବିଲେ ଏକୁଟିଆ ଖୋଲା ମନରେ ବଡ଼ ଜୋରରେ ହସିବାକୁ ଇଚ୍ଛା ହୁଏ ।

କାହାକୁ ‘ଗାଳି’ ଦେବା ପ୍ରକ୍ରିୟା ଆମ ସମାଜରେ ଆବହମାନ କାଳରୁ ରହିଛି । ବିଭିନ୍ନ ପୌରାଣିକ ଚରିତ୍ରରେ ମଧ୍ୟ ଏହା ଭଲଭାବେ ବର୍ଣ୍ଣିତ । ଶବ୍ଦକୋଷ ଯଦି ଅଣ୍ଡାଳିବା ‘ଗାଳି’ର ଅର୍ଥ- ତିରସ୍କାର, କଟୁବାଣୀ, ଭର୍ତ୍ସନା ଇତ୍ୟାଦି ପାଇବା । କାହାପାଇଁ ଏହା ସହ୍ୟ କରିବାର ସୀମାରେ ଥାଏ, କାହାପାଇଁ ସୀମା ଟପିଲେ ଅସହ୍ୟ ହୋଇଥାଏ । ସେହିପରି ‘ଗାଳି’ ବି ବିଭିନ୍ନ ପ୍ରକାରର । ଯେମିତିକି ଭଦ୍ର ଗାଳି, ଅଭଦ୍ର ଗାଳି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଶବ୍ଦ ବି ରହିଛି, ଯେଉଁଗୁଡ଼ିକ ନିଶ୍ଚିତଭାବେ କର୍ଣ୍ଣକଟୁ ଏବଂ ବର୍ଜନୀୟ । ତଥାପି ‘ଗାଳି’ରେ ସେଗୁଡ଼ିକୁ ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଭାବେ ବ୍ୟବହାର କରିବାକୁ କେହି ପଛାନ୍ତି ନାହିଁ ।

ମଣିଷର ଷ୍ଟାଟସ୍ ଅନୁସାରେ ବି ‘ଗାଳି’ ରହିଛି । ସହରତଳି ବସ୍ତିରେ ରହୁଥିବା ଅଶିକ୍ଷିତମାନଙ୍କର ଗାଳି ଓ ସହରର ମର୍ଯ୍ୟାଦାସମ୍ପନ୍ନ ଶିକ୍ଷିତ ସମାଜରେ ଗାଳି ଟିକେ ଭିନ୍ନ ଭିନ୍ନ ରୂପରେ ହୋଇଥାଏ । ଅବଶ୍ୟ ଆଜିକାଲି ‘ଗାଳି’ର ଏ ଅଲିଖିତ ପରମ୍ପରା ଲାଇନଚ୍ୟୁତ ହୋଇସାରିଲାଣି । ସମାଜରେ ଯେଉଁମାନେ ଆଲୋକବର୍ତ୍ତିକା ହେବା ଉଚିତ, ଅର୍ଥାତ୍ ମାନ୍ୟବର ନେତାମାନେ କିପରି ନିର୍ବାଚନ ପ୍ରଚାର ଓ ଅନ୍ୟ କେତେକ ସମୟରେ କେଉଁଭଳି ଭାଷା ପରସ୍ପର ପ୍ରତି ବ୍ୟବହାର କରୁଛନ୍ତି ତାହା ଅଛପା ନାହିଁ । ନିଜକୁ ବିଶ୍ୱର ଗାର୍ଡିଆନ ବୋଲାଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାଷା ଗଣମାଧ୍ୟମରେ ସ୍ପଷ୍ଟ । ନିତିଦିନ ସମାଜକୁ ନୀତି ବାଣୀର ପାଠ ପଢ଼ାଉଥିବା ସାମ୍ବାଦିକମାନେ ଆଜିକାଲି ଟିଭି, ସୋସିଆଲ ମିଡିଆରେ ଯେଉଁଭଳି ଦ୍ୱିଅର୍ଥବୋଧକ ଭାଷା ବ୍ୟବହାର କରୁଛନ୍ତି ତାହା ବିସ୍ମିତ କରେ ।

ମଣିଷ ଚେତନ ମନରେ ଦେଉଥିବା ଗାଳି ଏବଂ ନିଶାଗ୍ରସ୍ତ ହୋଇ ଦେଉଥିବା ଗାଳିରେ ଶବ୍ଦର ପ୍ରଭେଦ ଆକାଶ ପାତାଳ ଥାଏ । ଅନେକ ସମୟରେ ଗାଳି ଦେଉଥିବା ବ୍ୟକ୍ତି ଅଧିକ ରାଗିଗଲେ, କିମ୍ବା ନିଶାରେ ବୁଡ଼ିଥିଲେ ଅଚାନକ ଭାଷା ବଦଳିଯାଏ, ଓଡ଼ିଆ ବଦଳରେ ହିନ୍ଦୀ ଓ ଇଂରାଜୀ ପାଟିରୁ ବାହାରେ । ତେଣିକି ଗାଳି ଦେଉଥିବା ବ୍ୟକ୍ତିର ଶିକ୍ଷାଗତ ଯୋଗ୍ୟତା ଯେତେ ଥାଉନା କାହିଁକି । ଅନେକ ସମୟରେ ଆଭିଜାତ୍ୟ ପରିବାରରେ ବଢ଼ିଥିବା ପିଲାମାନେ ଟିକେ ନିମ୍ନସ୍ତରର ଭାଷାର ‘ଗାଳି’ ସହ ଅଭ୍ୟସ୍ତ ନଥାଆନ୍ତି । ଏଇଯେମିତି ଏକ ସାକ୍ଷାତକାରରେ ଅଭିନେତ୍ରୀ ଶ୍ରଦ୍ଧା କପୁର କହିଥିଲେ, ଏକ ଚଳଚ୍ଚିତ୍ରର ଡାଇଲଗରେ ଭରପୂର ‘ଗାଳି’ ଥିବାରୁ ଏ ବାବଦରେ ପ୍ରଶିକ୍ଷଣ ନେବାକୁ ତାଙ୍କୁ କିଛି ଦିନ ଲାଗିଥିଲା । ତଥାପି ତାଙ୍କ ସୁଟିଂ ବାରମ୍ବାର ରିଟେକ୍ ହୋଇଥିଲା ।

‘ଗାଳି’ ସମୟରେ ଆଖି, ଓଠ, ହାତ, ଗୋଡ଼, ମୁଣ୍ଡ ଆଦିର ଭଙ୍ଗୀ ମଧ୍ୟ ଅଲଗା ଅଲଗା ପ୍ରଦର୍ଶିତ ହୋଇଥାଏ । ଯାହାକି ପାଟିରୁ ବାହାରୁଥିବା ପ୍ରତିଟି ଶବ୍ଦକୁ ଭରପୂର ସମର୍ଥନ ହୋଇଥାଏ । ‘ଗାଳି’ ସହ ଆମ ସମାଜ ଏପରି ଅଭ୍ୟସ୍ତ ଯେ, ଆଖି ଡୋଳା ନଚାଇଲେ କିମ୍ବା ମୂକଙ୍କ ଭଳି ପାଟି/ଓଠର ନିଃଶବ୍ଦ ଭଙ୍ଗୀ ପ୍ରଦର୍ଶନ କଲେ ତାହା ସାମନାରେ ଥିବା ଲୋକଙ୍କ ପାଇଁ ‘ଗାଳି’ ସମାନ ହୋଇଥାଏ ।

ଅପରପକ୍ଷରେ ପରିବାର, ସମ୍ପର୍କୀୟ, ବନ୍ଧୁତାରେ ମଧ୍ୟ ‘ଗାଳି’ ଥାଏ । ଯେମିତିକି ବଡ଼ଭାଇ ସାନଭାଇକୁ ଗାଳି ଦେବା, ମା’-ଝିଅ, ବାପା-ପୁଅ ଏମିତି । କିନ୍ତୁ ଏହାକୁ ‘ଗାଳି’ କମ୍ ‘ଆକଟ’, ‘ଚେତାବନୀ’ ବେଶି କୁହାଯାଇପାରେ । ଏଥିରେ କିନ୍ତୁ ଅଶ୍ଳୀଳ ଶବ୍ଦର ସ୍ଥାନ ନଥାଏ । ଗାଁ ଗାଉଁଲି ଭାଷାରେ କଦବା କେମିତି କେହି ଅଶ୍ଳୀଳ ଭାଷା କହିଲେ ବି ତାହା ବରଦାସ୍ତ ଭିତରେ ରହିଥାଏ ।

ଏସବୁ ଭିତରେ ଏହା ଗୋଟିଏ କଥା ସ୍ପଷ୍ଟ ‘ଗାଳି’ ଯାହା ଉଦ୍ଦେଶ୍ୟରେ ଥାଏ, ସେ ଶୁଣିପାରିବା ଜରୁରି । ନଚେତ୍ ଏସବୁ ଶବ୍ଦ ପ୍ରତି ଅପମାନ ବୋଲି କୁହାଯାଇପାରିବ । ପୁରାଣ ବର୍ଣ୍ଣିତ ଯୁଦ୍ଧରେ ପରସ୍ପରକୁ ମୁହାମୁହିଁ ଉତ୍ତେଜକ ଶବ୍ଦ କହି ଯୁଦ୍ଧପାଇଁ ଆହ୍ୱାନ ଜଣାଉଥିଲେ । ରାଜା ମହାରାଜାମାନେ ପତ୍ର ମାଧ୍ୟମରେ କିମ୍ବା ଦୂତ ସମ୍ମୁଖରେ ଏଭଳି ଭାଷାର ପ୍ରୟୋଗ କରୁଥିଲେ । ସମୟକ୍ରମେ ଏଥିରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ‘ଗାଳି’ ଦେବାର ସତ୍ସାହସ କିମ୍ବା ବଦ୍ସାହସର ଅଭାବ ଦେଖିବାକୁ ମିଳୁଛି । ଅନେକ ଏବେ ‘ଗାଳି’ ଦେଉଛନ୍ତି, କିନ୍ତୁ ସମ୍ମୁଖରେ କହିବାର ସାହସ ନଥାଏ । ପଛରେ ହିଁ ‘ଗାଳି’ ଦେଇ ସେମାନେ ନିଜକୁ ନିଜେ ଖୁସି ହୋଇଥାଆନ୍ତି । ଅବଶ୍ୟ, ରାଜନୈତିକ ଆଲୋଚନାରେ ଏହା ଗ୍ରହଣୀୟ ହୋଇପାରେ । ନିରକ୍ଷରଟିଏ ଗାଁମୁଣ୍ଡ ପଡ଼ିଆରେ ବସି ଜିଡିପି ପ୍ରସଙ୍ଗରେ ନରେନ୍ଦ୍ର ମୋଦିଙ୍କର ଚଉଦପୁରୁଷ ଉଦ୍ଧାର କରିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । କିନ୍ତୁ ଏବେ ଶିକ୍ଷିତ ବ୍ୟକ୍ତି ‘ଗାଳି’ ଦେଉଛନ୍ତି, ତାହା ପୁଣି ସମ୍ମୁଖରେ ନୁହେଁ ପଛରେ ।

‘ଗାଳି’ର ଜବାବ ଶୁଣିବାକୁ ସେମାନଙ୍କର ଧୈର୍ଯ୍ୟ ନଥାଏ । କାହାକୁ ଚାପୁଡ଼ା ମାରିଲେ, ଆମର ବି ଉତ୍ତର ଚାପୁଡ଼ା ସହ୍ୟ କରିବାର ଶକ୍ତି ଥିବା ଆବଶ୍ୟକ । ନଚେତ ନିଜେ କ୍ଷତିରେ ପଡ଼ିବ । ଖାସ୍ ଏଥିପାଇଁ ବର୍ତ୍ତମାନର ଅଧିକାଂଶ ଶିକ୍ଷିତ ପଛରେ ‘ଗାଳି’ ପସନ୍ଦ କରୁଛନ୍ତି । ଅନେକ ତ ଅନ୍ୟର ଉନ୍ନତି ଦେଖି ହୀନମନ୍ୟତାରେ ‘ଗାଳି’ ଦିଅନ୍ତି, ଯାହାକି ନିଜ ରକ୍ତଚାପ ପାଇଁ କ୍ଷତିକାରକ । ନଚେତ ମୋବାଇଲ୍ ଫୋନ୍ର ହ୍ୱାଟସଆପ୍ ଷ୍ଟାଟସ ହିଁ ସାହାରା । ବାସ୍ତବରେ ମେଟା ପ୍ଲାଟ୍‌ଫର୍ମ ଉପଭୋକ୍ତାଙ୍କୁ ଏହି ସୁବିଧା ଦେଇଛି, ଅନ୍ୟମାନଙ୍କୁ ନିଜର ସ୍ଥିତି ବାବଦରେ ଅବଗତ କରାଇବାକୁ । କିନ୍ତୁ ଯୁବପିଢ଼ି ଏହାକୁ ଏବେ ଅନ୍ୟକୁ ପରୋକ୍ଷ ଆକ୍ଷେପ କରିବାର ମାଧ୍ୟମ ବନାଇଛନ୍ତି । ଏଥିରୁ ଏହା ସ୍ପଷ୍ଟ, ଶିକ୍ଷା ଯେତେ ହୋଇଥାଉ ନା କାହିଁକି ଚରିତ୍ରଗତ ସ୍ପଷ୍ଟତା ଏବଂ ନିର୍ଭୀକ ମତ ଉପସ୍ଥାପନ ପ୍ରତି ଆମେ ଧୀରେ ଧୀରେ କାପୁରୁଷ ହୋଇଯାଉଛନ୍ତି ।

ସେ ଯାହାହେଉ, ସମ୍ମୁଖରେ ହେଉ କି ପଛରେ ହେଉ ‘ଗାଳି’ରେ ଭରପୂର ଆତ୍ମସନ୍ତୋଷ ମିଳିଥାଏ ଏହା ନିରାଟ ସତ୍ୟ । ମନେପଡ଼ିଗଲା, କମେଡିଆନ କପିଳ ଶର୍ମାଙ୍କ ଏକ ସୋ । ଅତିଥି ଥିଲେ ଦକ୍ଷିଣୀ ଅଭିନେତ୍ରୀ ଶ୍ରୁତି ହାସନ । କପିଳଙ୍କ ପ୍ରଶ୍ନ ଥିଲା- କ’ଣ କଲେ ଆପଣଙ୍କୁ ବେଶି ଖୁସି ଲାଗେ । ଶ୍ରୁତି ବିନା ବିଳମ୍ବରେ କହିଥିଲେ- ମାତୃଭାଷାରେ ଭରପୂର ‘ଗାଳି’ ଦେଲେ ହିଁ ଆତ୍ମସନ୍ତୋଷ ମିଳିଥାଏ ।