ଭୁବନେଶ୍ୱର,୧୯/୧୦: ପାରାଦୀପ ଓ ଧାମରା ବନ୍ଦର  ସହ ଜଳପଥରେ ଯୋଡ଼ି ହେବ ତାଳଚେର । ଅର୍ନ୍ତଦେଶୀୟ ଜଳପଥ-୫ ଏହି ଦୁଇ ବନ୍ଦର ସହିତ ତାଳଚେରକୁ ସଂଯୋଗ  କରିବ । ଇନଲ୍ୟାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ  (ଆଇଡବ୍ଲୁଏଆଇ) ରାଜ୍ୟ ସରକାରଙ୍କ ସହ ମିଶି ଖଣିଜ ପରିବହନ ପାଇଁ ଏହି ଅଭିନବ ପ୍ରକଳ୍ପର ଅଗ୍ରଗତି ନେଇ  କାମ କରିବ । ଶୁକ୍ରବାର ବାଣିଜ୍ୟ ଓ ପରିବହନ ବିଭାଗ  ସଚିବ ଉଷା ପାଢ଼ୀ ଦୀର୍ଘସ୍ଥାୟୀ ଅର୍ନ୍ତଦେଶୀୟ ଜଳପଥର  ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଏହି ସୂଚନା ଦେଇଛନ୍ତି ।  ଶ୍ରୀମତୀ ପାଢ଼ୀ କହିଛନ୍ତି, ଏହି ପ୍ରକଳ୍ପର ବିସ୍ତୃତ ମାଷ୍ଟରପ୍ଲାନ  ଆଇଆଇଟି ମାଡ୍ରାସ, ଆଇଡବ୍ଲୁଏଆଇ ଓ ରାଜ୍ୟ ସରକାର  ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି । ଖୁବଶୀଘ୍ର ଏହାକୁ ଚୂଡ଼ାନ୍ତ  କରାଯିବ ବୋଲି ସେ କହିଛନ୍ତି । 

ମିଳିଥିବା ସୂଚନା ମୁତାବକ, ଦେଶରେ ହେବାକୁ ଥିବା  ୬ଟି ଅର୍ନ୍ତଦେଶୀୟ ଜଳପଥ ମଧ୍ୟରୁ ଜାତୀୟ ଜଳପଥ-୫  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମୋଟ ୬୨୩ କିଲୋମିଟର ଦୈର୍ଘ୍ୟ  ବିଶିଷ୍ଟ ଏହି ଜାତୀୟ ଜଳପଥର ୫୩୨ କିଲୋମିଟର ଓଡ଼ିଶା  ଦେଇଯିବ । ବାକି ୯୧ କିଲୋମିଟର ପଶ୍ଟିମବଙ୍ଗରେ ରହିବ ।  ପ୍ରଥମ ପର୍ଯ୍ୟାୟରେ ଏହା ତାଳଚେରରୁ ମଙ୍ଗଳାଯୋଡ଼ି ହୋଇ  ଧାମରା ବନ୍ଦରକୁ ସଂଯୋଗ କରିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଧାମରାରୁ ପଶ୍ଚିମବଙ୍ଗର ହଳଦିଆ ବନ୍ଦରକୁ ସଂଯୋଗ  କରିବ । ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦନ କରୁଥିବା ଓଡ଼ିଶା ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ  ପାଇଁ ଲକ୍ଷ୍ୟ ରଖିଥିଲାବେଳେ ରାଜ୍ୟରେ ଥିବା କଞ୍ଚାମାଲ  ପରିବହନ ପାଇଁ ଜାତୀୟ ଜଳପଥ ଏକ ପ୍ରକୃଷ୍ଟ ମାଧ୍ୟମ  ହେବ ବୋଲି କୁହାଯାଉଛି।