ମୁମ୍ବାଇ,୧୦/୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ । ଏଭଳି ସ୍ଥିତିରେ ରୁନ୍ଧି ହୋଇଗଲାଣି ଭାରତୀୟ ବଜାର । ତୈଳ, ଟଙ୍କା ଏବଂ ପୁଞ୍ଜି ବଜାରରେ ଦେଖାଦେଇଛି ଅସ୍ଥିରତା । ଭୟଭୀତ ଅବସ୍ଥାରେ ନିବେଶକ । ଯୁଦ୍ଧ ଆରମ୍ଭ ହେବାଠାରୁ ବର୍ତ୍ତମାନ ମଧ୍ୟରେ ୨୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇ ବସିଲେଣି ଦେଶର ଇକ୍ୱିଟି ବଜାର ନିବେଶକ । ଅଶୋଧିତ ତୈଳ ବଜାରରେ ଲାଗିଥିବା ନିଆଁ ଯୋଗୁ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୧୦୦ ଡଲାର ପାର କରିଗଲାଣି । ଏହା ଅର୍ଥବ୍ୟବସ୍ଥା ପାଇଁ ସୃଷ୍ଟି କରିଛି ଆଶଙ୍କାର ମାହୋଲ । ଅନ୍ୟପଟେ ଡଲାର ତୁଳନାରେ ଦୁର୍ବଳ ହୋଇଚାଲିଛି ଟଙ୍କା । ୧ ଡଲାର ଏବେ ୯୨.୩୩ ଟଙ୍କା ସମତୁଲ୍ୟ । ସେହିଭଳି ଏଲ୍ପିଜି ଗ୍ୟାସ ଅଭାବଜନିତ ସ୍ଥିତି ମଧ୍ୟ ଉପୁଜିଛି ।
ଜଳୁଛି ବିଶ୍ୱ ତୈଳ ବଜାର । ମଧ୍ୟପ୍ରାଚ୍ୟରେ ୩୦ରୁ ଊଦ୍ଧ୍ୱର୍ ତୈଳ ଡିପୋରେ ହମ୍ଲା ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସାଢ଼େ ୩ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର କାରବାରରେ ଏହା ୨୫% ବୃଦ୍ଧି ପାଇ ବ୍ୟାରେଲ ପିଛା ୧୧୫ ଡଲାରରେ ପହଞ୍ଚିଯାଇଥିଲା । ପରେ ଏଥିରେ ସାମାନ୍ୟ ହ୍ରାସ ଘଟିଥିଲା ଓ ଏବେ ଏହା ପ୍ରାୟ ୧୦୫ ଡଲାରରେ ଅଛି । ୧୦ ଦିନରେ ଅଶୋଧିତ ତୈଳ ଦର ୫୦% ମହଙ୍ଗା ହୋଇଛି ।
ଏହାପୂର୍ବରୁ ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଏହା ୧୦୦ ଡଲାର ପାର୍ କରିଯାଇଥିଲା । ବିଶେଷଜ୍ଞଙ୍କ କହିବାନୁସାରେ, ବ୍ୟାରେଲ ପିଛା ତୈଳ ଦର ୧୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଏହାର ପ୍ରଭାବ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ପଡ଼ିପାରେ । ଲିଟର ପିଛା ଇନ୍ଧନ ଦର ୫ରୁ୬ ଟଙ୍କା ବଢ଼ିପାରେ । ତେବେ ଭାରତ ସରକାରଙ୍କ କହିବାନୁସାରେ, ଦେଶରେ ପର୍ଯ୍ୟାପ୍ତ ତେଲ ଅଛି । ବର୍ତ୍ତମାନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବ ନାହିଁ । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୩୦ ଡଲାର ଛୁଇଁଲେ ଦର ବୃଦ୍ଧି ଉପରେ ବିଚାର ହୋଇପାରେ ।
ସେହିଭଳି ଟଙ୍କା ମଧ୍ୟ ଦୁର୍ବଳ ହୋଇଚାଲିଛି । ଆମେରିକୀୟ ଡଲାର ତୁଳନାରେ ଏହା ଆଜି ୪୬ ପଇସା ହ୍ରାସ ପାଇ ୯୨.୩୩ ଟଙ୍କା ସ୍ତରରେ ପହଞ୍ଚିଛି । ଏହା ଟଙ୍କାର ଏଯାବତ ସବୁଠାରୁ ନିମ୍ନ ସ୍ତର । ମଧ୍ୟପ୍ରାଚ୍ୟରେ ବିଗୁଡ଼ିଥିବା ସ୍ଥିତି ମଧ୍ୟରେ ଅଶୋଧିତ ତୈଳ ଦର ବଢୁଛି । ଏହାର ପ୍ରଭାବ ଭାରତୀୟ ଟଙ୍କା ଉପରେ ପଡୁଛି । ଯୁଦ୍ଧ ସ୍ଥିତିରେ ଦେଶରେ ଏଲ୍ପିଜି ଅଭାବ ଆଶଙ୍କା ଉପୁଜିଛି । ବଜାରରେ ଏକ ପ୍ରକାର ଭୟର ବାତାବରଣ । ଲୋକେ ଆତଙ୍କିତ ଅବସ୍ଥାରେ । ବଜାରରୁ ଅଧିକ ସିଲିଣ୍ଡର ଉଠାଇ ଦେବାକୁ ଏଜେନ୍ସିଗୁଡ଼ିକ ଆଗରେ ଭିଡ଼ ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଲୋକେ ସିଲିଣ୍ଡର ପିଛା ଘରୋଇ ଏଲ୍ପିଜିକୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଦରରେ କିଣିବାକୁ ବି ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ପରିସ୍ଥିତିରେ କଳାବଜାରୀକୁ ରୋକିବା ପାଇଁ ଉଦ୍ୟମ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଗୋଟିଏ ସିଲିଣ୍ଡର ବୁକ୍ କରିବାର ୨୧ ଦିନ ପରେ ଦ୍ୱିତୀୟ ସିଲିଣ୍ଡର ପାଇଁ ବୁକିଂ ହୋଇପାରୁଥିଲା । ଏବେ ଏହାକୁ ୨୫ ଦିନକୁ ବଢ଼ାଇ ଦେଇଛନ୍ତି ସରକାର । ସମସ୍ତଙ୍କୁ ସମାନ ପରିମାଣରେ ରନ୍ଧନ ଗ୍ୟାସ ଯୋଗାଇଦେବା ଏହାର ଉଦ୍ଦେଶ୍ୟ । ତେବେ ତୈଳ କମ୍ପାନିଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଏଲ୍ପିଜି ମହଜୁଦ ଥିବା ସରକାର ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : - ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଲପିଜି ସିଲିଣ୍ଡର ବୁକିଂର ବଢିଲା ସମୟ
ସେହିଭଳି ଭାରତୀୟ ଇକ୍ୱିଟି ବଜାରରେ ଦେଖାଦେଇଛି ବଡ଼ ପତନ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସ ୧୩୫୩ ପଏଣ୍ଟ ଖସି ୭୭,୫୬୬ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ) ନିଫ୍ଟି ୪୨୨ ପଏଣ୍ଟ ଖସି ୨୪,୦୨୮ ପଏଣ୍ଟରେ ବନ୍ଦ ହୋଇଛି । ବ୍ୟାଙ୍କ, ଅଟୋ, ଧାତବ ଏବଂ ଏଫ୍ଏମ୍ସିଜି ସେୟାର ମୂଲ୍ୟରେ ବୃହତ୍ ହ୍ରାସ ଘଟିଛି । ଯୁଦ୍ଧ ଯୋଗୁ ଆଶଙ୍କିତ ନିବେଶକ ଇକ୍ୱିଟି ବଜାରରୁ ଟଙ୍କା ଉଠାଇ ଅନ୍ୟତ୍ର ନିବେଶ କରିବାରେ ବ୍ୟସ୍ତ । ଫଳରେ ବଜାରରେ ଦେଖାଦେଇଛି ଝଡ଼ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ୨୭ରେ ବିଏସ୍ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ମୂଲ୍ୟ ୪୬୩ ଲକ୍ଷ କୋଟି ଟଙ୍କା ଥିଲା । ମାର୍ଚ୍ଚ ୯ ସୁଦ୍ଧା ଏହା ୪୪୧ ଲକ୍ଷ କୋଟି ଟଙ୍କାକୁ ଖସିଆସିଥିବା ଜଣାପଡ଼ିଛି ।