ନୂଆଦିଲ୍ଲୀ: ଭାରତୀୟ ନୌସେନା ଶୁକ୍ରବାର ବିଶାଖାପାଟଣାମରେ ପ୍ରଥମ ସ୍ୱଦେଶୀ ଡାଇଭିଂ ସପୋର୍ଟ ଭେସେଲ (DSV) ଆଇଏନଏସ ନିସ୍ତାରକୁ ସମୁଦ୍ରକୁ ଓହ୍ଲାଇଛି(କମିଶନ) କରିଛି। ଏହି ଘଟଣା ଆତ୍ମନିର୍ଭର ଭାରତ ଅଭିଯାନ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଓ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଆଇଏନଏସ ନିସ୍ତାରକୁ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ (HSL), ବିଶାଖାପାଟଣାମ ନିର୍ମାଣ କରିଛି। ଯେଉଁଥିରେ ୮୦% ସ୍ୱଦେଶୀ ଉପକରଣ ବ୍ୟବହୃତ ହୋଇଛି ଏବଂ ୧୨୦ରୁ ଅଧିକ MSME କମ୍ପାନୀ ଏହି ଜାହାଜ ନିର୍ମାଣରେ ସହଯୋଗ କରିଛନ୍ତି। ୧୧୮ ମିଟର ଲମ୍ବା ଓ ୧୦,୫୦୦ ଟନରୁ ଅଧିକ ଓଜନ ବିଶିଷ୍ଟ ଏହି ଜାହାଜ ୩୦୦ ମିଟର ଗଭୀରତା ପର୍ଯ୍ୟନ୍ତ ସାଟୁରେସନ ଡାଇଭିଂ ଓ ୧,୦୦୦ ମିଟର ଗଭୀରତା ପର୍ଯ୍ୟନ୍ତ ରିମୋଟଲି ଅପରେଟେଡ ଭେଇକିଲ (ROV) ମାଧ୍ୟମରେ ରେସ୍କ୍ୟୁ କରିପାରିବ। ଏହା ଡିପ୍ ସବମର୍ଜେନ୍ସ ରେସ୍କ୍ୟୁ ଭେଇକିଲ (DSRV) ପାଇଁ ମଦର ସିପ୍ ଭାବେ କାର୍ଯ୍ୟ କରିବ। ଜାହାଜରେ ଅତ୍ୟାଧୁନିକ ଡାଇଭିଂ ଉପକରଣ, ସେଲଫ୍-ପ୍ରୋପେଲ୍ଡ ହାଇପରବାରିକ ଲାଇଫବୋଟ, ଡାଇଭିଂ କମ୍ପ୍ରେସନ ଚାମ୍ବର, ୬୦ ଦିନରୁ ଅଧିକ ସମୁଦ୍ରରେ ରହିବାର କ୍ଷମତା, ହେଲିକପ୍ଟର ଅପରେସନ ଓ ୧୫ ଟନ ସବସି କ୍ରେନ ରହିଛି।
ନିସ୍ତାର ନାମ ସଂସ୍କୃତ ଶବ୍ଦ ‘ମୁକ୍ତି’ରୁ ଆସିଛି। ଏହା ପୂର୍ବତନ ଆଇଏନଏସ ନିସ୍ତାର (୧୯୭୧)ର ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଛି। ଯାହା ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପିଏନଏସ ଗାଜୀର ଭଗ୍ନାବଶେଷ ଖୋଜିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଏହାକୁ ଆତ୍ମନିର୍ଭର ଭାରତର ଗୌରବମୟ ମୁହୂର୍ତ୍ତ ବୋଲି କହିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ତ୍ରିପାଠୀ ଏହି ଅବସରରେ କହିଛନ୍ତି ଯେ, ପୂର୍ବାଞ୍ଚଳ ନୌସେନା କମାଣ୍ଡରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା ଏହି ଜାହାଜ ଭାରତୀୟ ମହାସାଗର ଅଞ୍ଚଳରେ ନୌସେନାର ସାମୁଦ୍ରିକ ଶକ୍ତି ଓ ରେସ୍କ୍ୟୁ କ୍ଷମତାକୁ ଦୃଢ଼ କରିବ।
ଆଇଏନଏସ ନିସ୍ତାରର କମିଶନିଂ ଉତ୍ସବରେ ବରିଷ୍ଠ ନୌସେନା ଅଧିକାରୀ, ବେସାମରିକ ଗଣମାନ୍ୟ ବ୍ୟକ୍ତି, ପୂର୍ବତନ ନିସ୍ତାରର କ୍ରୁ ଏବଂ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡର ପ୍ରତିନିଧିମାନେ ଯୋଗ ଦେଇଥିଲେ।