ଭୁବନେଶ୍ୱର,୧୮/୦୭: ମାନବ  ଇତିହାସର ଦୀର୍ଘ ଯାତ୍ରାରେ ଇନ୍ଦ୍ରଧନୁର ସାତଟି ରଙ୍ଗକୁ ନାନାଦି ଭାବନାରେ ବ୍ୟାଖ୍ୟା କରାଯାଇଛି । ସେଥିରେ ଲୁଚି  ରହିଛି ପ୍ରେମ, ଆକାଂକ୍ଷା, ଆସ୍ଥା,  ଆଶା, ଭୟ, ଅପେକ୍ଷା ଏବଂ ଶୂନ୍ୟତା  ଭଳି ଅନେକ ଚେତନାର ଚିତ୍ର ।  ସେଇ ଚେତନାମାନଙ୍କ ମଧ୍ୟରୁ କିଛି  ଚେତନାକୁ ସାତଟି ଛୋଟ ଛୋଟ କାହାଣୀ  ଆକାରରେ ଗୁନ୍ଥି ଫ୍ରାଇଡେ ରିଲିଜ୍‌ରେ  ମୁକ୍ତିଲାଭ କରୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର  ‘ଇନ୍ଦ୍ରଧନୁ' । ଆଜି ମେଘଭର୍ତ୍ତି  ଆକାଶ ନୁହେଁ, ବରଂ ପ୍ରେକ୍ଷାଳୟର ବଡ଼  ପରଦାରେ ‘ଇନ୍ଦ୍ରଧନୁ’କୁ ଦେଖିବେ ।  ତା’ ସାତ ରଙ୍ଗରେ ରଙ୍ଗାୟିତ ହେବେ । 

ସିନେମାର କାହାଣୀ ଇନ୍ଦ୍ରଧନୁର  ସାତଟି ରଙ୍ଗକୁ ପ୍ରତିନିଧିତ୍ୱ କରନ୍ତି ।  ବାଇଗଣୀ ରଙ୍ଗର ଗୋଲାପରୁ ଆରମ୍ଭ  ହେଇଛି ସିନେମାର କଥା ଏବଂ ଶେଷ  ହୋଇଛି ଲାଲରଙ୍ଗର ସୂର୍ଯ୍ୟାସ୍ତରେ ।  ମଝିରେ ପାଞ୍ଚଟି କାହାଣୀ, ଯେଉଁମାନେ  ବାକି ରଙ୍ଗମାନଙ୍କ କଥା କହିବା  ଆଳରେ କୁହନ୍ତି ପ୍ରେମ, ବିଶ୍ୱାସ, ସ୍ୱପ୍ନ  ଓ ସ୍ୱପ୍ନଭଙ୍ଗର କଥା । ଯୁବ ସାହିତ୍ୟିକ  ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ପରିକଳ୍ପନାକୁ  ନିର୍ଦ୍ଦେଶନା, ଚିତ୍ର ଉତ୍ତୋଳନ ଓ ସମ୍ପାଦନା  ମାଧ୍ୟମରେ ‘ଇନ୍ଦ୍ରଧନୁ’କୁ ପୂର୍ଣ୍ଣ ରୂପ  ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟ । 

ଜଣାଶୁଣା ସିନେ ବ୍ୟକ୍ତିତ୍ୱ  ରାଜେନ୍ଦ୍ର ମହାନ୍ତଙ୍କ ପ୍ରଯୋଜିତ ଏହି ସିନେମାରେ ସହ-ପ୍ରଯୋଜକ ରହିଛନ୍ତି  ସୂର୍ଯ୍ୟସ୍ନାତ ଓ ସୁରଭି ପଟ୍ଟନାୟକ । କାହାଣୀ ସବୁ ନିଖିଳେଶ ମିଶ୍ର, ସରୋଜ  ବଳ, ବାଦଲ ମହାନ୍ତି ଓ ସୂର୍ଯ୍ୟସ୍ନାତ  ଲେଖିଛନ୍ତି । ଗୀତକୁ ସଙ୍ଗୀତରେ  ସଜାଇଛନ୍ତି ଅନୁରାଗ ପଟ୍ଟନାୟକ ।  ଦେବଦାସ ଛୋଟରାୟଙ୍କ ଲିଖିତ ଶୀର୍ଷକ  ଗୀତକୁ ବରିଷ୍ଠ ସଙ୍ଗୀତକାର ଓମ୍‌ ପ୍ରକାଶ  ମହାନ୍ତିଙ୍କ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ ଓ ରତିକାନ୍ତ ଶତପଥୀ ।  ବିଭିନ୍ନ ଭୂମିକାରେ ଚୌଧୁରୀ ବିକାଶ  ଦାସ, ଦୀପନ୍ୱିତ ଦାଶମହାପାତ୍ର, ସ୍ମିତା  ମହାନ୍ତି, ରମାକାନ୍ତ ମିଶ୍ର, ଭାସ୍ୱତୀ ବସୁ,  ଦେବଦତ୍ତ ପତି, ଅଭିଷେକ ଗିରି, ଧରିତ୍ରୀ  ଖଣ୍ଡୁଆଳ, ସୁଧାଶ୍ରୀ ମଧୁସ୍ମିତା, ରିଙ୍କୁ  ପଧାନ, ସୌମ୍ୟ ରଞ୍ଜନ, ସମର୍ପିତା,  ଦିଶାନୀ ଦେବଞ୍ଜନା, ସାଗର ଷଡ଼ଙ୍ଗୀ,  ଅମିଷା ମହାନ୍ତି, ରୂପଶ୍ରୀ ଓ ଅନ୍ୟମାନେ  ଅଭିନୟ କରିଛନ୍ତି ।  

ରାଜଧାନୀ ଭୁବନେଶ୍ୱରର ୩ଟି  ମଲ୍ଟିପ୍ଲେକ୍ସ ସହ ରାଜ୍ୟର ମୋଟ୍‌ ୧୨ଟି  ହଲ୍‌ରେ ‘ଇନ୍ଦ୍ରଧନୁ'ର ସୁନ୍ଦରତାକୁ ଦୃଶ୍ୟାୟନ କରିବେ । ଚିରାଚରିତ ଧାରାରୁ  ବାହାରି ସାହିତ୍ୟକୁ ନେଇ ନୂଆପିଢ଼ି କିଛି  ନୂଆ କରିବାର ପ୍ରୟାସ କରିଛନ୍ତି । ଯାହାର  ପ୍ରତିଫଳନ ଦର୍ଶକ ପରଦାରେ ପାଇବେ । କିନ୍ତୁ ସେଥିପାଇଁ ହଲ୍‌ ଆସି ସିନେମାକୁ  ଉପଭୋଗ କରିବା ସହ ଭଲପାଇବା  ଦେବେ, ଅନୁଭୂତି ବାଣ୍ଟିବେ ଓ ମତାମତ  ରଖିବାକୁ ପୂରା ଟିମ୍‌ ନିବେଦନ କରି  ଦର୍ଶକଙ୍କୁ ପାଛୋଟି ନେବାକୁ ହଲ୍‌ ମୁହଁରେ  ଅପେକ୍ଷା କରିଛି।