ନୂଆଦିଲ୍ଲୀ : NEET ପେପର ଲିକ୍ ମାମଲାରେ ସିବିଆଇ ଦ୍ୱିତୀୟ ମାଷ୍ଟରମାଇଣ୍ଡକୁ ମଧ୍ୟ ଗିରଫ କରିଛି। ମନୀଷା ଗୁରୁନାଥ ମାନ୍ଧାରେ ନାମ୍ନୀ ଏହି ଅଭିଯୁକ୍ତ ଜଣେ ମହିଳା ଓ ବାୟୋଲଜିର ଅଧ୍ୟାପକ। ସୂଚନା ମୁତାବିକ , ମନୀଷା ମାନ୍ଧାରେ ଏନଟିଏର ପେପର ସେଟିଂ କମିଟିର ସଦସ୍ୟ ରହି ସାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସିବିଆଇ ଅବସରପ୍ରାପ୍ତ କେମିଷ୍ଟ୍ରୀ ଟିଚର ପିଭି କୁଲକର୍ଣ୍ଣୀଙ୍କୁ ଗିରଫ କରିଥିଲା। ତଦନ୍ତକାରୀମାନେ ତାଙ୍କୁ ମାଷ୍ଟରମାଇଣ୍ଡ ଓ ନିଟ୍ ପେପର ଲିକ୍ ଗ୍ୟାଙ୍ଗର ମୁଖିଆ କହିଥିଲେ।

ସିବିଆଇ ଶନିବାର ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି। ଉକ୍ତ ବିବୃତ୍ତି ମୁତାବିକ , ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ଏକ ଗୁରୁତର ଯାଞ୍ଚ ପରେ ଗିରଫ କରାଯାଇଛି। ନିଟ୍ ୟୁଜି ୨୦୨୬ ପରୀକ୍ଷାର ପ୍ରକ୍ରିୟାରେ ସାମିଲ ଥିଲେ। ମନୀଷାଙ୍କୁ ଏନଟିଏ ଜଣେ ଏକ୍ସପର୍ଟ ଭାବେ ସାମିଲ କରିଥିଲା। ସିବିଆଇ କହିଛି ଯେ,ତାଙ୍କ ପାଖରେ ବଟନି ଓ ଜୁଲଜିର ପ୍ରଶ୍ନର ପୂରା ଆକ୍ସେସ ଥିଲା। ମନୀଷାଙ୍କ ଭୂମିକା ବିଷୟରେ ବିସ୍ତୃତରେ ଦର୍ଶାଇ ସିବିଆଇ କହିଛି ଅପ୍ରେଲ ୨୦୨୬ରେ ମନ୍ଧାରେ ,ପୁଣେର ମନୀଷା ବାଘମାରେଙ୍କ ମାଧ୍ୟମରେ ସମ୍ଭାବିତ ନିଟ୍ ପରୀକ୍ଷା ପ୍ରାର୍ଥୀଙ୍କୁ ଏକତ୍ର କରିଥିଲେ। ଏହାପରେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ନିଜର ପୁଣେ ନିବାସରେ କୋଚିଂ କ୍ଲାସେସ୍ ଆରମ୍ଭ କରିଥିଲେ।

ଆହୁରି ମଧ୍ୟ ପଢନ୍ତୁ :  NEET ପେପର ଲିକ୍ : କେମିଷ୍ଟ୍ରି ଅଧ୍ୟାପକଙ୍କୁ ପୁଣେରୁ ଗିରଫ କଲା CBI

ଏହି କୋଚିଂ କ୍ଲାସ ବେଳେ ମନ୍ଧାରେ ବଟନି ଓ ଜୁଲଜି ବିଷୟରେ ବିଭିନ୍ନ ପ୍ରଶ୍ନ ଲିକ୍ କରି ଥିଲେ। ଏହାସହ ଏହା ବିଷୟରେ ବିସ୍ତୃତରେ ମଧ୍ୟ ବୁଝାଇ ଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶ୍ନ ଗୁଡ଼ିକୁ ନିଜର ନୋଟବୁକରେ ଲେଖିବା ଓ ବହିରେ ଚିହ୍ନଟ କରିବାକୁ ମଧ୍ୟ କହିଥିଲେ। ଏବେ ମନ୍ଧାରେଙ୍କୁ ଆହୁରି ପଚରାପଚରି ପାଇଁ ଦିଲ୍ଲୀ ନିଆ ଯିବ। ଏଥିରୁ ଅଧିକାଂଶ ପ୍ରଶ୍ନ ତିନି ମେ’ରେ ଆୟୋଜିତ ନିଟ୍ ୟୁଜି ୨୦୨୬ ପରୀକ୍ଷାର ବାସ୍ତବିକ ପ୍ରଶ୍ନ ପତ୍ର ସହ ସମାନ ଥିଲା। କହି ରଖୁଛି କି , ମନୀଷା ଏକ ବ୍ୟୁଟି ପାର୍ଲର ଚଲାନ୍ତି ଏବଂ ତାଙ୍କୁ ୧୪ ମେ’ରେ ଗିରଫ କରାଯାଇ ସାରିଛି।

ସିବିଆଇ ଯାଞ୍ଚରେ ଅନ୍ତର୍ଭୁକ୍ତ ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏନଟିଏରୁ ଦୁଇଟି ସେଟ୍ ପ୍ରଶ୍ନ ପତ୍ର ଲିକ୍ ହୋଇ ଥିଲା। ଏଥିରୁ ଗୋଟିଏ ହାତ ଲେଖା ଓ ଅନ୍ୟଟି ଟାଇପ୍ କରାଯାଇ ଥିଲା। ଏହା ପଛରେ କୁଲକର୍ଣ୍ଣୀ ଓ ମନ୍ଧାରେ ଥିଲେ। ଅଧିକାରୀମାନେ କହିଛନ୍ତି , ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ପୂରା କମିଟି ଓ ଏନଟିଏର ଅନ୍ୟ ବରିଷ୍ଠ ଅଧିକାରୀ ଯାଞ୍ଚର ପରିସରରେ ଅଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ଗିରଫ ହୋଇ ପାରନ୍ତି।