ନୂଆଦିଲ୍ଲୀ : ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଭାରତ ସହ ଲାଗି ଥିବା ସୀମାକୁ ନେଇ ରବିବାର ସଂସଦରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଯେମିତି ଭାରତ ନେପାଳର ଭୂମି ଉପରେ ଜବରଦଖଲ କରିଛି, ଯେମିତି ନେପାଳ ମଧ୍ୟ ଅନେକ ସ୍ଥାନରେ ଭାରତର ଭୂମି ଉପରେ କବଜା କରିଛି। ଦ କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ, ନେପାଳର ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ, ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନିର ସୀମା ବିବାଦକୁ କୂଟନୀତିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯିବ। ଶ୍ରମ ସଂସ୍କୃତି ପାର୍ଟିର ସାଂସଦ ଆରେନ ରାୟଙ୍କୁ ସଂସଦରେ ପଚରା ଯାଇଥିବା ଏକ ପ୍ରଶ୍ନର ଜବାବ ଦେଇ ବାଲେନ୍ଦ୍ର ଶାହ କହିଥିଲେ, ପ୍ରଧାନମନ୍ତ୍ରୀ ହେବା ପରେ ମୋତେ ଜଣା ପଡ଼ିଲା ଯେ, କେବଳ ଭାରତ ନେପାଳର ଜମିରେ ଜବରଦଖଲ ଅତିକ୍ରମ କରିନାହିଁ, ବରଂ ନେପାଳ ମଧ୍ୟ ଅନେକ ସ୍ଥାନରେ ଭାରତ ଜମିରେ ଜବରଦଖଲ କରିଛି। ଉକ୍ତ ମାମଲାରେ ଦୁଇ ପକ୍ଷକୁ ଏକାଠି ବସାଇ ବିଚାର କରିବାର ଆବଶ୍ୟକତା ରହିଛି।

ଏହା ବ୍ୟତୀତ , ଲିପୁଲେଖ ଓ ଲିମ୍ପିୟାଧୁରା ରାସ୍ତା ମଧ୍ୟଦେଇ ଭାରତ ଓ ଚୀନ ମଧ୍ୟରେ ହେଉଥିବା ବାଣିଜ୍ୟକୁ ନେଇ ନେପାଳର କମ୍ୟୁନିଷ୍ଟ ପାର୍ଟିର ଉପ-ସଂସଦୀୟ ଦଳର ନେତା ପଦ୍ମା ଅର୍ୟାଲ ଏକ ପ୍ରଶ୍ନ କରି ଥିଲେ। ଏହାର ଜବାବ ଦେଇ ପିଏମ ଶାହ କହିଥିଲେ ଯେ, ଲିପୁଲେଖ , ଲିମ୍ପିୟାଧୁରା ଓ କାଲାପାନି ବିବାଦର ସମାଧାନ କୂଟନୀତିର ଆଲୋଚନା ଦ୍ୱାରା ବାହାରି ପାରିବ। ଶାହ କହିଛନ୍ତି ଯେ, ନେପାଳ ଏହି ସମ୍ୱନ୍ଧରେ ଭାରତକୁ ପ୍ରଥମେ ହିଁ ଏକ ଅଫିସିଆଲି କୂଟନୀତିକ ନୋଟ୍‌ ପଠାଇ ସାରିଛି ଏବଂ ସେଠାରୁ ଜବାବ ମଧ୍ୟ ମିଳି ଯାଇଛି।

ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ କହିଛନ୍ତି , ଭାରତ ଠାରୁ ମିଳି ଥିବା ଜବାବରେ କୁହାଯାଇଛି ଯେ, ଉଭୟ ସରକାର ଐତିହାସିକ , ସର୍ବେକ୍ଷକ ଓ କ୍ଷେତ୍ରର ସୂଚନାକାରୀଙ୍କୁ ସାମିଲ କରି ଟିମ୍‌ ଗଠନ କରିବେ ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ ବାହାର କରିବେ। ନେପାଳର ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ,ନେପାଳ ଏହି ସୀମା ବିବାଦକୁ ନେଇ ଚୀନ ଓ ବ୍ରିଟେନ ସହ ମଧ୍ୟ କୂଟନୀତିକ ଆଲୋଚନା କରିଛନ୍ତି , କାରଣ ଏହି ପ୍ରସଙ୍ଗ ସେହି ସମୟର , ଯେବେ ଇଂରାଜୀମାନେ ଏହି କ୍ଷେତ୍ରକୁ ଛାଡ଼ି ଯାଇଥିଲେ। ଏଥିପାଇଁ ବ୍ରିଟେନକୁ ମଧ୍ୟ ଏଥିରେ ଆଗ୍ରହୀ ହେବା ଉଚିତ୍‌। ସେ କହିଛନ୍ତି ଯେ, ତାଙ୍କ ସରକାର ଏହି ପ୍ରସଙ୍ଗକୁ ବ୍ରିଟେନ ସହ ଉଠାଇବେ।

ଭାରତ -ନେପାଳ ମଧ୍ୟରେ କଣ ଏହି ସୀମା ବିବାଦ ?

ଭାରତ ଓ ନେପାଳ ମଧ୍ୟରେ ଲିପୁଲେଖ , ଲମ୍ପିୟାଧୁରା କଳାପାଣି ଅଞ୍ଚଳକୁ ନେଇ ବିବାଦ ୧୮୧୬ମସିହାର ସୁଗୌଲି ଚୁକ୍ତି ଉପରେ ଆଧାରିତ। ନେପାଳର ଦାବି ଯେ, ମହାକାଳୀ ନଦୀ (କଳାପାଣି)କୁ ସୀମା ରେଖା ମନେକରି ଲିପୁଲେଖ ଘାଟ, ଲିମ୍ପିଆଧୁରା ଏବଂ ଏବଂ କଳାପାଣି ଏହାର ଭୂ-ଭାଗରେ ଆସେ। ନେପାଳ ୨୦୨୦ ମସିହାରେ ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ କରି ଏହି ଅଞ୍ଚଳଗୁଡ଼ିକୁ ନିଜର ବୋଲି ଦାବି କରିଥିଲା। ବ୍ରିଟିଶ ଯୁଗର ପୁରୁଣା ମାନଚିତ୍ର ଏବଂ ନ‌ଦୀର ଉତ୍ପତ୍ତି ଉପରେ ଆଧାର କରି ନେପାଳ ଯୁକ୍ତି ରଖୁଛି ଯେ, ଏହି ଅଞ୍ଚଳଗୁଡ଼ିକ ନେପାଳର। ହେଲେ, ଏହି ଅଞ୍ଚଳଗୁଡ଼ିକ ଭାରତର ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଅଂଶ। ଭାରତ ଯୁକ୍ତି ଯେ, ୧୯୫୦ ଦଶକରୁ ଏଠାରେ ଏହାର ଏକ ସୀମା ପୋଷ୍ଟ ଅଛି ଏବଂ ଏହି ଅଞ୍ଚଳ ୧୯୬୨ ମସିହାରୁ ରଣନୈତିକ ଭାବରେ ଗୁରୁତ୍ତ୍ୱପୂର୍ଣ୍ଣ। ଲିପୁଲେଖ ଘାଟ ତିବ୍ଦତକୁ ଯିବା ପାଇଁ ଏକ ରଣନୈତିକ ରାସ୍ତା, ଯାହା ଉପରେ ଭାରତ ଏକ ରାସ୍ତା ନିର୍ମାଣ କରିଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି, କିନ୍ତୁ କୌଣସି ସ୍ଥାୟୀ ସମାଧାନ ମିଳି ନାହିଁ।

ଆହୁରି ମଧ୍ୟ ପଢନ୍ତୁ -ସୁରକ୍ଷା ଏଜେନ୍ସିର ଟପ୍ ଟାର୍ଗେଟ୍‌ରେ ପାକ୍‌ର ଏହି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର