ନୂଆଦିଲ୍ଲୀ,୧୫/୦୩: ନେପାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଭାରତୀୟ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଥିବା ନେଇ ପୁଲିସ ସୂଚନା ଦେଇଛି। ଭାରତୀୟ ତୀର୍ଥଯାତ୍ରୀମାନେ ନେପାଳର ପ୍ରସିଦ୍ଧ ମନକାମନା ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।
ପୁଲିସ ସୂଚନା ଅନୁଯାୟୀ, ବସଟି କାଠମାଣ୍ଡୁରୁ ପ୍ରାୟ ୧୨୦ କିଲୋମିଟର ପଶ୍ଚିମରେ ଥିବା ସହିଦ ଲଖନ ଗାଁ ନିକଟରେ ହାଇୱେରୁ ମନ୍ଦିରକୁ ଯାଉଥିବା ଏକ ପାହାଡିଆ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ ପାହାଡ଼ିଆ ରାସ୍ତାରୁ ତଳକୁ ଓହ୍ଲାଉଥିବା ବେଳେ ଏକ ମୋଡ଼ରେ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର । ଫଳରେ ବସଟି ରାସ୍ତାରୁ ୧୫୦ ମିଟର ଖାଇକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୭ଜଣ ଭାରତୀୟ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଦୁର୍ଘଟଣାର ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବସର ଭଗ୍ନାବଶେଷରୁ ଆହତମାନଙ୍କୁ ବାହାର କରି ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଆହୁରି ପଢନ୍ତୁ-ଉପ-ମୁଖ୍ୟମନ୍ତ୍ରୀ ପଦ ସହିତ ୮୦ ଆସନ... ଥାଲାପତି ବିଜୟଙ୍କୁ ଗଠବନ୍ଧନ ପାଇଁ ବିଜେପି ଦେଲା ବଡ଼ ଅଫର୍
ପୁଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ ଭାରତୀୟ ତୀର୍ଥଯାତ୍ରୀ ଥିଲେ। ଆହତଙ୍କ ମଧ୍ୟରେ ୭ ଜଣ ଭାରତୀୟ ଯାତ୍ରୀ ଥିଲେ, ଅନ୍ୟ ଦୁଇଜଣ ବସ୍ ଡ୍ରାଇଭର ଏବଂ ତାଙ୍କ ସହାୟକ ଥିଲେ, ଉଭୟ ନେପାଳର ବାସିନ୍ଦା।ପୁଲିସ କହିଛି ଯେ ମୃତକଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ, ତା’ପରେ ସେମାନଙ୍କ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ।