ନୂଆଦିଲ୍ଲୀ,୦୯ /୦୯: ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା ନିଆଁ ଲିଭିଛି । ସୋସିଆଲ ମିଡିଆ ସାଇଟ୍ ଉପରେ ସରକାରୀ ନିଷେଧ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିବା  ଯୁବକ ଯୁବତୀଙ୍କ ଭିତରୁ ୨୦ ଜଣଙ୍କ ଜୀବନ  ଯିବା ପରେ ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଛନ୍ତି ନେପାଳ ସରକାର । ଏହାସହ ହିଂସାରେ ଜୀବନ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଘଟଣାର ନ୍ୟାୟିକ ଯାଞ୍ଚ କରାଯିବା ବୋଲି ଘୋଷଣା କରିଛନ୍ତି ନେପାଳ ସଞ୍ଚାର ଓ ସୂଚନା ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବ୍ବା ଗୁରୁଙ୍ଗ ।

ମନ୍ତ୍ରୀ ପୃଥ୍ୱୀ  ସୁବ୍ବା  ଗୁରୁଙ୍ଗ କହିଛନ୍ତି ଯେ, ସୋମବାରରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇବାର ନିଷ୍ପତ୍ତି ସେହି ବିରୋଧ ପ୍ରଦର୍ଶକାରୀଙ୍କ ପାଇଁ ନିଆଯାଇଛି, ଯେଉଁମାନେ ଏହାକୁ ଏକ ବାହାନା ଭାବରେ ବ୍ୟବହାର କରୁଥିଲେ। ତେବେ ତିନି ଦିନ ପୂର୍ବରୁ, ନେପାଳ ସରକାର ଫେସବୁକ୍ ଏବଂ ‘ଏକ୍ସ’ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ ନିର୍ଦ୍ଦେଶ ଦେଇଥିଲେ। କାରଣ ଏଗୁଡ଼ିକ କୌଣସି ବୈଧ ରେଜିଷ୍ଟ୍ରେସନ ବିନା କାର୍ଯ୍ୟ କରୁଥିଲେ। ମନ୍ତ୍ରୀ ପ୍ରତିବାଦକାରୀ ‘ଜେନ୍ ଜି’ ଗୋଷ୍ଠୀକୁ ପ୍ରତିବାଦ ସମାପ୍ତ କରିବାକୁ ଅନୁରୋଧ କରିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ସୋମବାର ଦିନ କିଛି ଆନ୍ଦୋଳନକାରୀ ସଂସଦ ପରିସରରେ ପ୍ରବେଶ କରିବା ପରେ ପ୍ରତିବାଦ ହିଂସାତ୍ମକ ହୋଇଥିଲା। ଏହା ପରେ, ପୁଲିସକୁ ଭିଡ଼କୁ ଏଡ଼ାଇବା ପାଇଁ ପାଣି ବର୍ଷା, ଗ୍ୟାସ ଏବଂ ଗୁଳି ବ୍ୟବହାର କରିବାକୁ ପଡିଥିଲା। ଯାହାପରେ ନେପାଳ ସରକାରଙ୍କ ନିର୍ଦ୍ଦେଶ ପରେ  ସୋମବାର ରାତିରୁ ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ସାଇଟଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହୋଇଛି।