ନୂଆଦିଲ୍ଲୀ, ୧୩।୪: ନେପାଳର ରାଜନୀତିରେ ଏବେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବାଲେନ୍ ଶାହାଙ୍କ ବିଦେଶ ନୀତିକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ସେ ଭାରତ ଆଡ଼କୁ ଢଳିବେ ନା ଚୀନ୍ର ଚକ୍କରରେ ପଡ଼ି ଭାରତକୁ ଚକମା ଦେବେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଏହି ସମୟରେ ଭାରତ ସରକାର ନେପାଳ ସୀମା ପର୍ଯ୍ୟନ୍ତ ଏକ ବିଶାଳ ହାଇୱେ ନିର୍ମାଣ କରି ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି । ଭାରତ ସରକାରଙ୍କ ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବାରାବଙ୍କୀ-ବହରାଇଚ୍ ମଧ୍ୟରେ ୪-ଲେନ୍ ବିଶିଷ୍ଟ ଜାତୀୟ ରାଜପଥ (NH-927) କୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ୱାରା ପରିବହନ ସମୟ ପ୍ରାୟ ୫୦ ପ୍ରତିଶତ କମିଯିବ । ପୂର୍ବରୁ ଯେଉଁଠି ୧୫୦ ମିନିଟ୍ ଲାଗୁଥିଲା, ଏବେ ମାତ୍ର ୭୫ ମିନିଟ୍‌ରେ ବାରାବଙ୍କୀରୁ ବହରାଇଚ୍ ପହଞ୍ଚି ହେବ । ଏହି ରାସ୍ତା ଦେଇ ଚାଉଳ, ଗହମ, ପନିପରିବା ଏବଂ ଦୁଗ୍ଧଜାତ ଦ୍ରବ୍ୟ ଭାରତୀୟ ବଜାରରୁ ସିଧାସଳଖ ଏବଂ ଦ୍ରୁତ ଗତିରେ ନେପାଳରେ ପହଞ୍ଚିପାରିବ । ସୂଚନାଯୋଗ୍ୟ ଯେ, ନେପାଳର ମୋଟ୍ ବାଣିଜ୍ୟର ୬୦ ପ୍ରତିଶତରୁ ଅଧିକ କାରବାର କେବଳ ଭାରତ ସହିତ ହୋଇଥାଏ ।

ଏହା ବି ପଢ଼ନ୍ତୁ... ମାତୃଭୂମି ପାଇଁ ମରିବା ହିଁ ପ୍ରକୃତରେ ବଞ୍ଚିବା... ଆମେରିକାର ଆକ୍ରମଣ ଧମକ ପରେ ଗର୍ଜିଲା କ୍ୟୁବା, ଟ୍ରମ୍ପଙ୍କୁ ଦେଲା କଡ଼ା ଚେତାବନୀ !"

କାହା ଆଡ଼କୁ ଢଳିବେ ବାଲେନ୍ ଶାହା ?

ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ୍ ଶାହା କାଠମାଣ୍ଡୁରେ ଏକାସଙ୍ଗେ ୧୭ଟି ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିଛନ୍ତି । ଏଥିରେ ଭାରତ, ଚୀନ୍, ଆମେରିକା, ଜାପାନ ଏବଂ ପାକିସ୍ତାନ ଭଳି ଦେଶ ସାମିଲ ଥିଲେ । ପୂର୍ବରୁ ନେପାଳର ନେତାମାନେ ଭାରତ କିମ୍ବା ଚୀନ୍ ପକ୍ଷ ନେଉଥିବା ବେଳେ, ୩୫ ବର୍ଷୀୟ ବାଲେନ୍ ଶାହା ନିଜକୁ ଅଧିକ ନିରପେକ୍ଷ ରଖିବାକୁ ଚେଷ୍ଟା କରୁଛନ୍ତି । ସେ କତାର ଓ ସାଉଦି ଆରବ ଭଳି ଦେଶକୁ ଗୁରୁତ୍ୱ ଦେଉଛନ୍ତି, କାରଣ ସେଠାରେ ଲକ୍ଷ ଲକ୍ଷ ନେପାଳୀ ଶ୍ରମିକ କାମ କରୁଛନ୍ତି ।

ପ୍ରଥମ ବିଦେଶ ଗସ୍ତ ଉପରେ ସମସ୍ତଙ୍କ ନଜର:

ବାଲେନ୍ ଶାହା ସେମିତି କୌଣସି ପାରମ୍ପରିକ ରାଜନେତା ନୁହନ୍ତି, ସେ ଜଣେ ଲୋକପ୍ରିୟ ରାପର୍ ମଧ୍ୟ ରହିଛନ୍ତି । ତେଣୁ ତାଙ୍କର ନିଷ୍ପତ୍ତି ଅପ୍ରତ୍ୟାଶିତ ହୋଇପାରେ । ସେ ନିଜର ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ନା ଚୀନ୍ ଯିବେ, ତାହା ଦେଖିବାକୁ ବାକି ରହିଲା । ଯଦି ସେ ଭାରତ ଆସନ୍ତି, ତେବେ ସମ୍ପର୍କର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ, କିନ୍ତୁ ଚୀନ୍ ଗଲେ ଭାରତ ପାଇଁ ଏହା ଚିନ୍ତାର ବିଷୟ ହୋଇପାରେ ।