ନୂଆଦିଲ୍ଲୀ, ୧୩।୪: ବିଶ୍ୱ ରାଜନୀତିର ଦୁଇ ପୁରୁଣା ଶତ୍ରୁ ଆମେରିକା ଏବଂ କ୍ୟୁବା ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି । ଇରାନ ପରେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ଦ୍ୱୀପରାଷ୍ଟ୍ର କ୍ୟୁବା ଉପରେ ପଡ଼ିଛି । ନିକଟରେ ଭେନେଜୁଏଲାରେ ଆମେରିକା ପକ୍ଷରୁ କରାଯାଇଥିବା ସତ୍ତା ପରିବର୍ତ୍ତନ ପରେ ଏବେ କ୍ୟୁବା ନିଜର ସୁରକ୍ଷାକୁ ନେଇ ସତର୍କ ହୋଇଯାଇଛି । ଆମେରିକୀୟ ନ୍ୟୁଜ୍ ନେଟୱାର୍କ NBCର କାର୍ଯ୍ୟକ୍ରମ ‘ମିଟ୍ ଦ ପ୍ରେସ୍’କୁ ଦେଇଥିବା ଏକ ସାକ୍ଷାତକାରରେ କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍-କାନେଲ୍ ଆମେରିକାକୁ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଆମେରିକା ପାଖରେ କ୍ୟୁବା ଉପରେ ସାମରିକ ଆକ୍ରମଣ କରିବା କିମ୍ବା ରାଷ୍ଟ୍ରପତିଙ୍କୁ ଅପହରଣ କରିବା ପାଇଁ କୌଣସି ଯଥାର୍ଥ କାରଣ ନାହିଁ । ଯଦି ଆମେରିକା କୌଣସି ପ୍ରକାରର ‘ସର୍ଜିକାଲ୍ ଅପରେସନ୍’ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନ କରେ, ତେବେ ଏହା ସାରା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ବିପନ୍ନ କରିବ । ରାଷ୍ଟ୍ରପତି କହିଛନ୍ତି ଯେ କ୍ୟୁବାବାସୀ ନିଜ ଦେଶକୁ ରକ୍ଷା କରିବା ପାଇଁ ଶେଷ ରକ୍ତବିନ୍ଦୁ ଯାଏଁ ଲଢ଼ିବେ । ସେ ନିଜ ଜାତୀୟ ସଙ୍ଗୀତର ଧାଡ଼ି ଦୋହରାଇ କହିଛନ୍ତି, "ମାତୃଭୂମି ପାଇଁ ମରିବା ହିଁ ପ୍ରକୃତରେ ବଞ୍ଚିବା ।"

ଏହା ବି ପଢ଼ନ୍ତୁ...ବିଶ୍ୱ ଯୁଦ୍ଧ ଆଶଙ୍କା ! ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ; 'ସାମାନ୍ୟ ଭୁଲ୍ ହେବ ପ୍ରାଣଘାତୀ'

କାହିଁକି ବଢ଼ୁଛି ବିବାଦ ?

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ସରକାରକୁ ‘ଦୁର୍ନୀତିଗ୍ରସ୍ତ’ ବୋଲି କହିବା ସହ ଦେଶ ଉପରେ ଅନେକ ଅର୍ଥନୈତିକ କଟକଣା ଲଗାଇଛନ୍ତି । ଆମେରିକାର ଗୋଟିଏ ଜିଦ୍ ଯେ, କ୍ୟୁବା ନିଜର ରାଜନୈତିକ ବ୍ୟବସ୍ଥାକୁ ପରିବର୍ତ୍ତନ କରୁ । ଏହାର ଜବାବରେ ଡିଆଜ୍-କାନେଲ୍ କହିଛନ୍ତି ଯେ, କ୍ୟୁବା ଯେମିତି ଆମେରିକାର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ହସ୍ତକ୍ଷେପ କରେ ନାହିଁ, ଆମେରିକା ମଧ୍ୟ ସେମିତି କରିବା ଉଚିତ୍ ।

କହିରଖୁଛୁ ଯେ, କ୍ୟୁବା ବର୍ତ୍ତମାନ ଏକ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । କ୍ୟୁବା ନିଜ ଆବଶ୍ୟକତାର ମାତ୍ର ୪୦ ପ୍ରତିଶତ ତୈଳ ନିଜେ ଉତ୍ପାଦନ କରେ । ଜାନୁଆରୀ ମାସରୁ ଭେନେଜୁଏଲାରୁ ତୈଳ ଆସିବା ବନ୍ଦ ହେବା ପରେ କ୍ୟୁବାର ସ୍ୱାସ୍ଥ୍ୟସେବା ଏବଂ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । ସଙ୍କଟ ସମୟରେ ଋଷ କ୍ୟୁବାକୁ ସାହାଯ୍ୟର ହାତ ବଢ଼ାଇଛି । ମାର୍ଚ୍ଚ ମାସରେ ଋଷରୁ ଏକ ଅଶୋଧିତ ତୈଳ ଟ୍ୟାଙ୍କର କ୍ୟୁବା ପହଞ୍ଚିଛି ଏବଂ ଆଗକୁ ଅଧିକ ସାହାଯ୍ୟ କରିବାକୁ ଋଷ ପ୍ରତିଶ୍ରୁତି ଦେଇଛି ।

କ’ଣ ହେବ ଆଗାମୀ ପଦକ୍ଷେପ ?

ସାରା ବିଶ୍ୱ ଏବେ ଦ୍ୱନ୍ଦ୍ୱରେ ଅଛି ଯେ ଆମେରିକା କ’ଣ ସତରେ କ୍ୟୁବା ଉପରେ ଆକ୍ରମଣ କରିବ ? ଯଦିଓ ଦୁଇ ଦେଶ ମଧ୍ୟରେ ଗୋପନୀୟ ଭାବେ କଥାବାର୍ତ୍ତା ଚାଲିଥିବା ଖବର ଆସୁଛି, ତଥାପି ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ କ୍ୟୁବାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ବାଧ୍ୟ କରିଛି । କ୍ୟୁବା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ସର୍ତ୍ତମୂଳକ କଥାବାର୍ତ୍ତା କିମ୍ବା ନିଜ ଦେଶର ସମ୍ମାନ ସହ ବୁଝାମଣା କରିବେ ନାହିଁ ।