କାଠମାଣ୍ଡୁ, ୯।୯: ଗତ କିଛି ବର୍ଷ ମଧ୍ୟରେ ଭାରତର ଦୁଇ ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବଂ ବାଂଲାଦେଶରେ ବିଦ୍ରୋହ ଦେଖାଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, କ୍ଷମତାରେ ଥିବା ନିର୍ବାଚିତ ସରକାର ଗାଦିଚ୍ୟୁତ ହୋଇଥିଲେ । ଆଉ ଅନ୍ତରୀଣ ସରକାରଙ୍କୁ ମିଳିଥିଲା ବଡ଼ ଦାୟିତ୍ବ । ଏବେ ନେପାଳରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ସୋମବାର ୨୨ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ସରକାର ପ୍ରତିବନ୍ଧକ ଲାଗିବା ପରେ ପ୍ରତିବାଦ ନାଁରେ ଭୟଙ୍କର ହିଂସା ଏବଂ ଆନ୍ଦୋଳନ ଦେଖିବାକୁ ମିିଳିଛି । ଏହି ହିଂସା ଯୋଗୁଁ କାଠମାଣ୍ଡୁ ଏବଂ ନିକଟବର୍ତ୍ତୀ ସହରଗୁଡ଼ିକରେ କର୍ଫ୍ୟୁ ଜାରି କରାଯାଇଛି । କିନ୍ତୁ, ହିଂସା ବନ୍ଦ ହୋଇନାହିଁ । ଅନେକ ନେତା, ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହଜାର ହଜାର ସଂଖ୍ୟାରେ ବିଦ୍ରୋହୀ ଭଙ୍ଗାରୁଜା କରିଛନ୍ତି ।
ସୋମବାର ହିଂସାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନେପାଳ ପୁଲିସ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଯାହା ହିଂସାକୁ ଆହୁରି ତୀବ୍ର କରିଛି । ମଙ୍ଗଳବାର ନେପାଳୀ ଯୁବକମାନେ ଅନେକ ରାଜନେତା ଏବଂ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଥିଲେ । ଏପର୍ଯ୍ୟନ୍ତ ଗୃହମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ସମେତ ୫ ଜଣ ଇସ୍ତଫା ଦେଇଛନ୍ତି । କୃଷିମନ୍ତ୍ରୀ ରାମନାଥ ଅଧିକାରୀଙ୍କ ସହିତ ଗୃହମନ୍ତ୍ରୀ ରମେଶ ଲେଖକ ଇସ୍ତଫା ଦେଇଥିଲେ । ଖୁବ୍ଶୀଘ୍ର ଦେଶର ପ୍ରଧାନମନ୍ତ୍ରୀ ନେପାଳ ଛାଡ଼ିବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତଥାପି, ଏ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବର୍ତ୍ତମାନ, ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ମଧ୍ୟ ପ୍ରଧାନମନ୍ତ୍ରୀ ଓଲିଙ୍କୁ ପଦ ଛାଡ଼ିବାକୁ ନିବେଦନ କରିଛନ୍ତି । ହେଲେ ହିଂସାକୁ ରୋକିବାରୁ ପ୍ରଧାନମନ୍ତ୍ରୀ କେପି ସିଂହ ଓଲି ସ୍ବାତନ୍ତ୍ର ବୈଠକ ଡାକିଛନ୍ତି ।
କହିରଖୁଛୁ ଯେ, ବର୍ଷକ ତଳେ ବାଂଲାଦେଶରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯାହା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ପଦ ଯିବା ପରେ ବର୍ତ୍ତମାନ, ସେ ଭାରତରେ ରହୁଛନ୍ତି । ସେବେଠାରୁ, ମହମ୍ମଦ ୟୁନୁସ୍ ବାଂଲାଦେଶରେ ଅନ୍ତରୀଣ ସରକାରର ନେତୃତ୍ୱ ନେଉଛନ୍ତି । ତାଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ଏପରି ଅନେକ ନିଷ୍ପତ୍ତି ନିଆଯାଇଛି, ଯାହା ଉପରେ ମୌଳବାଦୀ ଇସଲାମବାଦୀଙ୍କ ଛାପ ଦେଖିବାକୁ ମିଳୁଛି । ବାଂଲାଦେଶ ଭଳି ବର୍ତ୍ତମାନ ନେପାଳରେ ମଧ୍ୟ ସମାନ ଘଟଣା ଦେଖାଦେଇଛି । ନେପାଳ ବ୍ୟାପାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ଷେ ଧରି କେପି ଶର୍ମା ଓଲିଙ୍କ ବିରୁଦ୍ଧରେ ଏକ ଆନ୍ଦୋଳନ ଚାଲିଛି । ନିଜ ବ୍ୟବସାୟିକ ସ୍ୱାର୍ଥ ପାଇଁ ଇଣ୍ଡୋନେସିଆ ଏବଂ ମାଲେସିଆ ସହିତ କାରବାର କରିବାର ଅଭିଯୋଗ ରହିଛି ।
ବର୍ତ୍ତମାନ, ନେପାଳର ପରିସ୍ଥିତି ଏପରି ଯେ ଜେନ୍ ଜି ବିଦ୍ରୋଗୀ କୁହାଯାଉଥିବା ଆନ୍ଦୋଳନକାରୀମାନେ କର୍ଫ୍ୟୁକୁ ମଧ୍ୟ ଭୟ କରୁନାହାଁନ୍ତି । କେବଳ ଏତିକି ନୁହେଁ, ଏମାନେ ଅନେକ ମନ୍ତ୍ରୀ ଏବଂ ନେତାଙ୍କ ଘର ପୋଡ଼ି ଦେଇଥିବା ମଧ୍ୟ ଖବର ଆସୁଛି । ଲଳିତପୁରରେ ନେପାଳର ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ଘର ପୋଡ଼ି ଦିଆଯାଇଛି । ଏହା ବ୍ୟତୀତ ଉପ-ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ବିଷ୍ଣୁ ପୋଡେଲଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ଗୃହମନ୍ତ୍ରୀ ରମେଶ ଲେଖକ ଇସ୍ତଫା ଦେଇଥିଲେ ମଧ୍ୟ ମଙ୍ଗଳବାର ତାଙ୍କ ଘରକୁ ପ୍ରତିବାଦକାରୀମାନେ ଟାର୍ଗେଟ୍ କରିଥିଲେ । ନେପାଳ ରାଷ୍ଟ୍ର ବ୍ୟାଙ୍କ ଗଭର୍ଣ୍ଣର ବିଶ୍ୱ ପୋଡେଲଙ୍କ ଘର ଉପରେ ମଧ୍ୟ ପଥର ମାଡ଼ କରାଯାଇଥିଲା ।