ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସେପ୍ଟେମ୍ବର ୧୬ରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତ ପାଇଁ ଭାରତ ଏବଂ ନେପାଳ ଉଭୟ ପ୍ରସ୍ତୁତି ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ମଧ୍ୟ ଦୁଇ ଦିନିଆ କାଠମାଣ୍ଡୁ ଗସ୍ତରେ ଯାଉଛନ୍ତି । ମିଶ୍ରୀଙ୍କ ନେତୃତ୍ୱରେ ଭାରତୀୟ କୂଟନୀତିଜ୍ଞଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ନେପାଳ ଗସ୍ତ କରିବେ। କେପି ଶର୍ମା ଓଲି ଅଯୋଧ୍ୟା ଗସ୍ତ କରିପାରନ୍ତି ବୋଲି କୁହାଯାଉଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା ହୋଇନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେପି ଓଲିଙ୍କ ସାକ୍ଷାତ ଦିଲ୍ଲୀ ବାହାରେ ହୋଇପାରେ ।
କାଠମାଣ୍ଡୁ ପୋଷ୍ଟ ନେପାଳ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟ କରିଛି ଯେ, ସୋମବାର ଦିନ ନେପାଳର ବିଭିନ୍ନ ମନ୍ତ୍ରଣାଳୟ ଓଲିଙ୍କ ଭାରତ ଗସ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମୟରେ, ନେପାଳ ବୈଦେଶିକ ମନ୍ତ୍ରଣାଳୟ ନେପାଳରେ ଭାରତ ଦ୍ୱାରା ପାଣ୍ଠିପ୍ରାପ୍ତ ପ୍ରକଳ୍ପଗୁଡ଼ିକର ସ୍ଥିତି, ଏହି ପ୍ରକଳ୍ପଗୁଡ଼ିକରେ ବର୍ତ୍ତମାନର ପ୍ରତିବନ୍ଧକ ଏବଂ ଗସ୍ତ ସମୟରେ ସମ୍ଭାବ୍ୟ ନୂତନ ପ୍ରକଳ୍ପଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ । ନେପାଳ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଏକ ପ୍ରାରମ୍ଭିକ ଆଲୋଚନା ଥିଲା । ଯେଉଁଥିରେ ଭାରତ ଦ୍ୱାରା ପାଣ୍ଠିପ୍ରାପ୍ତ ପ୍ରକଳ୍ପଗୁଡ଼ିକର ସ୍ଥିତି ଏବଂ ସହଯୋଗର ନୂତନ କ୍ଷେତ୍ର ଚିହ୍ନଟ କରାଯାଇଥିଲା ।
ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ମଙ୍ଗଳବାର ଭାରତୀୟ ବାୟୁସେନାର କୂଟନୈତିକ ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବରୁ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ବୈଦେଶିକ ମନ୍ତ୍ରଣାଳୟ ମାଧ୍ୟମରେ କୂଟନୈତିକ ଉଡ଼ାଣ ପାଇଁ ଅନୁମତି ମାଗିଥିଲା । ଭାରତୀୟ ବାୟୁସେନାର ବିମାନ ରବିବାର ଦିନ ୧ଟାରେ ଦିଲ୍ଲୀରୁ କାଠମାଣ୍ଡୁ ପହଞ୍ଚିବ ଏବଂ ସୋମବାର ଅପରାହ୍ନରେ ଦିଲ୍ଲୀ ଫେରିବ ।
ଏହି ଗସ୍ତ ସମୟରେ, ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ନିମନ୍ତ୍ରଣ ପ୍ରଦାନ କରିବେ। ଓଲି ସେପ୍ଟେମ୍ବର ୧୬ରେ ଭାରତ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଓଲିଙ୍କ ସାକ୍ଷାତ ସେପ୍ଟେମ୍ବର ୧୭ରେ ଦିଲ୍ଲୀ ବାହାରେ କୌଣସି ସ୍ଥାନରେ ହୋଇପାରେ । ସଂଯୋଗବଶତଃ, ସେହି ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ । ବୈଦେଶିକ ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁଯାୟୀ, ଏଥର ଦୁଇ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ କରିବାର ସମ୍ଭାବନା କମ୍ । ଭାରତ ଦ୍ୱିପାକ୍ଷିକ ଆଲୋଚନା ପାଇଁ କିଛି ବିକଳ୍ପ ସ୍ଥାନ ଖୋଜୁଛି ଏବଂ କାଠମାଣ୍ଡୁକୁ ଏ ବିଷୟରେ ଜଣାଇ ଦିଆଯାଇଛି ।
ସେପ୍ଟେମ୍ବର ୧୭ ତାରିଖରେ ନୂଆଦିଲ୍ଲୀ ବାହାରେ ଅଯୋଧ୍ୟାରେ ମୋଦୀ ଏବଂ ଓଲିଙ୍କ ସାକ୍ଷାତ ହେବାର ସମ୍ଭାବନା ରହିଛି। ଅଯୋଧ୍ୟା ଭାରତ ଏବଂ ନେପାଳ ଉଭୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଭଗବାନ ରାମଙ୍କ ସହ ଜଡିତ । ଶ୍ରୀରାମଙ୍କ ଶ୍ୱଶୁର ଘର ନେପାଳର ଜନକପୁର । ନିଜ କାର୍ଯ୍ୟକାଳ ପୂର୍ବରୁ, ଓଲି ଅଯୋଧ୍ୟା ବିଷୟରେ ଏକ ବିବାଦୀୟ ଦାବି କରିଥିଲେ । ସେ କହିଥିଲେ ଯେ, ପ୍ରକୃତ ଅଯୋଧ୍ୟା ନେପାଳରେ ଅଛି। ତାଙ୍କର ଏହି ବୟାନ ପାଇଁ ନେପାଳ ଏବଂ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।