ନୂଆଦିଲ୍ଲୀ,୦୬/୦୭; ଆମେରିକାକୁ ଆଇନା ଦେଖାଇଲା ଇସ୍ରାଏଲ । ଜେଡି ଭାନ୍ସଙ୍କ ଦାବିର କଡ଼ା ଜବାବ ଦେଲେ ନେତାନ୍ୟାହୁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକାକୁ ବିଶ୍ୱରେ ଇସ୍ରାଏଲର ଏକମାତ୍ର ସହଯୋଗୀ ବୋଲି କହିଥିବା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ନେତାନ୍ୟାହୁ କହିଛନ୍ତି ଯେ, ଆମେରିକା ଇସ୍ରାଏଲର ଏକ ଶକ୍ତିଶାଳୀ ଏବଂ ନିକଟତମ ସହଯୋଗୀ, କିନ୍ତୁ ଇସ୍ରାଏଲର ବିଶ୍ୱରେ ଆହୁରି ଅନେକ ସହଯୋଗୀ ମଧ୍ୟ ଅଛନ୍ତି । ନେତାନ୍ୟାହୁ ଭାରତର ନାମ ନେଇ କହିଛନ୍ତି ଯେ ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଇସ୍ରାଏଲର ଘନିଷ୍ଠ ସହଯୋଗୀ । ଇସ୍ରାଏଲକୁ ପ୍ରଚୁର ସମର୍ଥନ ମିଳୁଛି । ଭ୍ରମରେ ରୁହନାହିଁ ଭାରତ ବି ଆମର ଭଲ ବନ୍ଧୁ ବୋଲି କହିଛନ୍ତି ନେତନ୍ୟାହୁ ।
ଲେବାନନରେ ଇସ୍ରାଏଲର ସାମରିକ ଅଭିଯାନ ଏବଂ ଇରାନ ସହିତ ଆମେରିକା ମଧ୍ୟସ୍ଥତାରେ ଶାନ୍ତି ଚୁକ୍ତିକୁ ନେଇ ଦୁଇ ସହଯୋଗୀଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ବିବୃତ୍ତି ଆସିଛି । ଆମେରିକୀୟ ପ୍ରସାରକ ଫକ୍ସ ନ୍ୟୁଜର ଏକ ଶୋ’ରେ, ନେତାନ୍ୟାହୁଙ୍କୁ ଜେଡି ଭାନ୍ସଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ କୁହାଯାଇଥିଲା ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି ୱାସିଂଟନକୁ ଜେରୁସେଲମର ନିକଟତମ ସହଯୋଗୀ ବୋଲି କହିଥିଲେ। ଭାନ୍ସ ଏହା ମଧ୍ୟ କହିଥିଲେ ଯେ, ଇସ୍ରାଏଲ କ୍ୟାବିନେଟ ଇରାନ ସହିତ ଶାନ୍ତି ଚୁକ୍ତିକୁ ସମାଲୋଚନା କରିବା ପରିବର୍ତ୍ତେ ସମର୍ଥନ କରିବା ଉଚିତ୍। ଉତ୍ତରରେ ନେତାନ୍ୟାହୁ କହିଥିଲେ ଯେ, ଇସ୍ରାଏଲର ହ୍ୱାଇଟ୍ ହାଉସ୍କୁ ଛାଡ଼ି ଦେଲେ ଅନ୍ୟ ବନ୍ଧୁ ମଧ୍ୟ ଅଛନ୍ତି । ସେ ବ୍ୟଙ୍ଗ କରି କହିଥିଲେ, ଆମର ଆଉ କିଛି ବନ୍ଧୁ ଅଛନ୍ତି, ଯେପରିକି ଭାରତ ଭଳି ଛୋଟ ଦେଶ। ଏହାର ଜନସଂଖ୍ୟା ୧୪୦ କୋଟି ଏବଂ ଆମେ ସେଠାରେ ସମର୍ଥନ ପାଉଛୁ । ସ୍ପଷ୍ଟ ଭାବେ କହିବାକୁ ଗଲେ ଆମେ ସେଠାରୁ ପ୍ରଚଣ୍ଡ ସମର୍ଥନ ପାଉଛି । ଭାରତର ଲୋକଙ୍କଠାରୁ ସମର୍ଥନର ଅନେକ ବାର୍ତ୍ତା ମିଳୁଛି । ଫେସ୍ବୁକ୍ ଏବଂ ଅନ୍ୟ ସୋସିଆଲ ମିଡିଆରେ ସମର୍ଥନ ମିଳୁଛି ।
ଇସ୍ରାଏଲୀ ନେତା ସ୍ୱୀକାର କରିଛନ୍ତି ଯେ, ତାଙ୍କର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଭଲ ସମ୍ପର୍କ ଅଛି, କିନ୍ତୁ ସେ ଏହା ମଧ୍ୟ କହିଛନ୍ତି, ଏହାର ଅର୍ଥ ନୁହେଁ ଯେ ମୁଁ ସବୁକିଛିରେ ସହମତ ହେବି । ଏହା ସହିତ, ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କୌଣସି ପ୍ରକାରର ମତଭେଦକୁ ମଧ୍ୟ ଅସ୍ୱୀକାର କରିଛନ୍ତି । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଅନ୍ୟ ଦେଶର ନେତାମାନେ ମଧ୍ୟ ପ୍ରାୟତଃ ତାଙ୍କ ସହିତ ବ୍ୟକ୍ତିଗତ ଭାବରେ ଯୋଗାଯୋଗ କରିଥାନ୍ତି ଏବଂ ସେମାନଙ୍କର ସମର୍ଥନ ପ୍ରକାଶ କରିଥାନ୍ତି, ଯଦିଓ ସେମାନଙ୍କୁ ନିଜ ଦେଶରେ ଜନ ସାଧାରଣଙ୍କ ଚାପର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ଏହା ବି ପଢନ୍ତୁ...Indus Waters Treaty: 'କାଙ୍ଗାଳ' ପରେ ଏବେ 'ମରୁଭୂମି' ପାଲଟିବ ପାକିସ୍ତାନ ! ସିନ୍ଧୁ ଜଳ ଚୁକ୍ତି ଉପରେ ପାକ୍ ସେନାର ବଡ଼ ଚେତାବନୀ
କ'ଣ କହିଥିଲେ ଡେଜି ଭାନ୍ସ ? ଗତ ମାସରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ହ୍ୱାଇଟ୍ ହାଉସରେ ଏକ ବ୍ରିଫିଙ୍ଗ୍ ସମୟରେ କହିଥିଲେ ଯେ ଇସ୍ରାଏଲ ଆମେରିକା -ଇରାନ ଶାନ୍ତି ଆଲୋଚନାକୁ ସମ୍ମାନ ଦେବା ଉଚିତ୍ । ଇସ୍ରାଏଲୀ ନେତାମାନେ ଆମେରିକା-ଇରାନ ଚୁକ୍ତିରେ ଅସନ୍ତୁଷ୍ଟ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମାଲୋଚନା କରୁଥିବା ରିପୋର୍ଟ ବିଷୟରେ ପଚରାଯିବାରୁ, ଭାନ୍ସ କହିଥିଲେ, "ଯଦି ମୁଁ ଇସ୍ରାଏଲ ସରକାରୀ କ୍ୟାବିନେଟରେ ଥାଆନ୍ତି, ତେବେ ହୁଏତ ବିଶ୍ୱରେ ମୋ ପାଖରେ ଥିବା ଏକମାତ୍ର ଶକ୍ତିଶାଳୀ ସହଯୋଗୀକୁ ସମାଲୋଚନା କରିନଥାନ୍ତି ।"