ଭୁବନେଶ୍ୱର,୧୨/୦୮: ରାଜ୍ୟରେ ୫ ବର୍ଷରୁ କମ୍ ବୟସ୍କ ୬୦ ପ୍ରତିଶତ ଶିଶୁଙ୍କର ଆଧାର କାର୍ଡ ନାହିଁ । ରାଜ୍ୟରେ ୫ ବର୍ଷ ବୟସ ଭିତରେ ପିଲାଙ୍କ ସଂଖ୍ୟା ହେଉଛି ୩୨ ଲକ୍ଷ ୪୮ ହଜାର ୬୩୨ । ଏଥିରୁ ମାତ୍ର ୧୨ ଲକ୍ଷ ୭୩ ହଜାର ୨୧୧ ଜଣ ଆଧାର ପଞ୍ଜୀକୃତ ହୋଇଛନ୍ତି। ସେହିପରି ୫ରୁ ୧୮ ବର୍ଷ ବୟସର ମାତ୍ର ୯ ପ୍ରତିଶତ ଶିଶୁ ଆଧାର ପଞ୍ଜୀକୃତ ହୋଇନାହାନ୍ତି । ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଆଧାର କ୍ୟାମ୍ପ କରାଯିବ । ନବଜାତ ଶିଶୁ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ମାତ୍ରେ ଆଧାର ପଞ୍ଜୀକରଣ କରାଯିବ । ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଗତ ଜୁଲାଇ ୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୩ତମ ରାଜ୍ୟସ୍ତରୀୟ ୟୁଆଇଡି କାର୍ଯ୍ୟକାରୀ କମିଟି ବୈଠକରେ ଆଧାର ପଞ୍ଜୀକରଣ ନେଇ ଆଲୋଚନା ହୋଇଥିଲା । ଏଥିରେ ୦-୫ ବର୍ଷ ବୟସ୍କ ୩୯.୧୯ ପ୍ରତିଶତ ଶିଶୁ ଆଧାର ପଞ୍ଜାକୃତ ଏବଂ ୫-୧୮ ବର୍ଷ ବୟସ୍କ ୯୨ ଲକ୍ଷ ୬୨ ହଜାର ୨୦୭ ଜଣଙ୍କର ଆଧାର କାର୍ଡ ଥିବା ଜଣାପଡ଼ିଥିଲା ।
ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା, ଅଗଷ୍ଟ ମାସରୁ ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ଆଧାର ରେକର୍ଡକୁ ଯାଞ୍ଚ କରାଯିବ । ଓଡ଼ିଶା ସରକାରଙ୍କ ଫିଲ୍ଡ ଅଫିସରମାନେ ଏହି କାର୍ଯ୍ୟ କରିବେ । ଜିଲ୍ଲାୱାରୀ ଆଧାର ପଞ୍ଜୀକରଣରେ ୨୨ଟି ଜିଲ୍ଲା ପଛରେ ପଡ଼ିଛି । ଜିଲ୍ଲା ପ୍ରଶାସନ ଘରକୁ ଘର ସର୍ଭେ କରିବ । ଏହାକୁ କଳାହାଣ୍ଡି ଜିଲ୍ଲାରୁ ହିଁ ଆରମ୍ଭ କରାଯିବ । ୨ଥର ବାଧ୍ୟତାମୂଳକ ଆଧାର ଅପଡେଟ୍ କରାଯିବ। ଶିଶୁ ୫ ବର୍ଷ ହେବା ପରେ ୫ରୁ ୭ ବର୍ଷ ମଧ୍ୟରେ ଗୋଟିଏ ଥର ଆଧାର ଅପଡେଟ୍ କରାଯିବ । ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଆଧାର ଅପଡେଟ୍ ହେବ।