ରାଉରକେଲା,୨୬/୦୮: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌  ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାର  ଗବେଷକମାନେ ମାଇକ୍ରୋଗ୍ରୀଡ୍‌ (ସ୍ଥାନୀୟ ବିଦ୍ୟୁତ୍‌  ପ୍ରଣାଳୀର ସ୍ଥିରତା ଏବଂ ସାଇବର ସ୍ଥିରତା)କୁ ସୁଦୃଢ଼ କରିବା ପାଇଁ ଏକ ନୂତନ ଆଲଗୋରିଦମ୍‌ ବିକଶିତ କରିଛନ୍ତି । 

ଏନ୍‌ଆଇଟି ରାଉରକେଲାର ବୈଦ୍ୟୁତିକ ଇଞ୍ଜିନିୟରିଂ  ବିଭାଗର ପ୍ରଫେସର ଓ ବିଭାଗ-ମୁଖ୍ୟ ପ୍ରଫେସର ପ୍ରଭାତ  କୁମାର ରାୟଙ୍କ ନେତୃତ୍ୱରେ ଗବେଷକ ଦଳ ହମ୍ପବ୍ୟାକ୍‌  ତିମି (କୁଜଧାରୀ ହ୍ୱେଲ୍‌)ର ଶିକାର ରଣନୀତିରୁ ଅନୁପ୍ରାଣିତ  ହୋଇ ଏକ ସଂଶୋଧିତ ଉନ୍ନତ ହ୍ୱେଲ୍‌ ଅପ୍‌ଟିମାଇଜେସନ୍‌  (ଏମ୍‌ଆଇଡବ୍ଲ୍ୟୁଓ) ଆଲଗୋରିଦମ ବିକଶିତ କରିଛନ୍ତି । ଏହି ତିମି ବବଲ୍‌-ନେଟ୍‌ ଫିଡିଂ ପ୍ରକ୍ରିୟା ବ୍ୟବହାର କରେ ଯାହା ମାଛକୁ ଘୁରାଇ ଓ ଫୋଟକା (ବବଲ୍‌)ଛାଡ଼ି ଏକ ଜାଲ  ତିଆରି କରେ ଏବଂ ସେମାନଙ୍କୁ ଫାଶରେ ପକାଇଥାଏ ।  

ମାଇକ୍ରୋଗ୍ରୀଡ୍‌ଗୁଡ଼ିକ ସୌର ଓ ପବନ ପରି  ନବୀକରଣଯୋଗ୍ୟ ଶକ୍ତିକୁ ସଂରକ୍ଷଣ ଏବଂ ପାରମ୍ପରିକ  ଜେନେରେଟର ସହିତ ଏକୀକୃତ କରନ୍ତି । ଯାହା ବୈଶ୍ୱିକ ଶକ୍ତି  ପରିବର୍ତ୍ତନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଗୁଡ଼ିକ ଡିଜିଟାଲ୍‌  ଯୋଗାଯୋଗ ଉପରେ ନିର୍ଭରଶୀଳ ଥିବାରୁ ମିଥ୍ୟା ତଥ୍ୟ  ପ୍ରୟୋଗ ଓ ସମୟ-ବିଳମ୍ବ ଆକ୍ରମଣ ଦ୍ୱାରା ସୃଷ୍ଟ ସାଇବର  ଆକ୍ରମଣର ସମ୍ମୁଖୀନ ହୋଇପାରନ୍ତି । 

ଏହି ଦୁର୍ବଳତାର ସମାଧାନ ପାଇଁ ଗବେଷକମାନେ  ଏକ ସଂଶୋଧିତ ଉନ୍ନତ ହ୍ୱେଲ୍‌ ଅପ୍‌ଟିମାଇଜେସନ୍‌- ଆଧାରିତ ଫ୍ରାକ୍ସନାଲ୍‌ ଅର୍ଡର ପିଆଇଡି (ଏମ୍‌ଆଇଡବ୍ଲ୍ୟୁଓ-ଏଫ୍‌ଓପିଆଇଡି) ନିୟନ୍ତ୍ରକ ପ୍ରଚଳନ କରିଛନ୍ତି³ ଯାହା ସାଇବର  ଆକ୍ରମଣ ଓ ଶକ୍ତି ସଂରକ୍ଷଣ ସିଷ୍ଟମରେ ପରିବର୍ତ୍ତନ ସମୟରେ  ଦୃଢ଼ ଦ୍ୱିତୀୟ ଫ୍ରିକ୍ୱେନ୍‌ସି ନିୟନ୍ତ୍ରଣକୁ ସୁନିଶ୍ଚିତ କରିବ । 

ଗବେଷଣା ବିଷୟରେ ଏନ୍‌ଆଇଟି ରାଉରକେଲାର  ବୈଦ୍ୟୁତିକ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଓ ବିଭାଗୀୟ  ମୁଖ୍ୟ ପ୍ରଫେସର ପ୍ରଭାତ କୁମାର ରାୟ କହିଛନ୍ତି, “ଆଧୁନିକ  ମାଇକ୍ରୋଗ୍ରୀଡ୍‌ ଗୁଡ଼ିକରେ ଯୋଗାଯୋଗ ନେଟୱାର୍କଗୁଡ଼ିକ  ବିଭିନ୍ନ ଉପାଦାନ ମଧ୍ୟରେ ସୂଚନା ଆଦାନ ପ୍ରଦାନ ପାଇଁ  ପ୍ରାଥମିକ ମାଧ୍ୟମ ଭାବରେ କାର୍ଯ୍ୟ କରେ । ଯାହା ଫଳରେ  ସାଇବର ଆକ୍ରମଣ ପ୍ରତି ସେମାନଙ୍କର ଦୁର୍ବଳତା ବୃଦ୍ଧି  ପାଏ । ଏହି ଗବେଷଣାରେ ପ୍ରସ୍ତାବିତ ନିୟନ୍ତ୍ରକ ସମୟ ବିଳମ୍ବ ଆକ୍ରମଣ, ମିଥ୍ୟା ତଥ୍ୟ ପ୍ରଯୋଗ (ଏଫ୍‌ଡିଆଇ),  ଶକ୍ତି ସଂରକ୍ଷଣ ପ୍ରଣାଳୀ (ଇଏସ୍‌ଏସ୍‌) ସ୍ଥିତି ଆକ୍ରମଣ,  ଅନିୟମିତ ଆକ୍ରମଣ ଓ ମାଲୱେର ଅନୁପ୍ରବେଶ ସମେତ ବିଭିନ୍ନ ସାଇବର ଆକ୍ରମଣ ପରିସ୍ଥିତିରେ ପରିବ୍ୟୟ ଫଳନକୁ  ଅପ୍‌ଟିମାଇଜ୍‌ କରି ଫ୍ରିକ୍ୱେନ୍‌ସି ବିଚ୍ୟୁତିକୁ ହ୍ରାସ କରେ । 

ବିକଶିତ ଆଲ୍‌ଗୋରିଦମ୍‌ର ଅନନ୍ୟ ଦିଗ ଗୁଡ଼ିକ ହେଲା  ଏହା ଆଧୁନିକ ଶକ୍ତି ପ୍ରଣାଳୀର ସୁରକ୍ଷା ଓ ନିର୍ଭରଯାଗ୍ୟତାକୁ  ସୁଦୃଢ଼ କରେ । ଏହା ସାଇବର ଆକ୍ରମଣ ସତ୍ତେ୍ୱ ସ୍ଥିର  କାର୍ଯ୍ୟକ୍ଷମତା ବଜାୟ ରଖିବାରେ ସକ୍ଷମ ରଖେ, ସେବା  ବାଧାପ୍ରାପ୍ତ ହେବାର ବିପଦକୁ କମାଏ । ଏହାର ନିର୍ଭରଯୋଗ୍ୟ ବ୍ୟବସ୍ଥା କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରି ସୌରଶକ୍ତି ଓ ବ୍ୟାଟେରୀ ସଂରକ୍ଷଣ ଭଳି ନବୀକରଣୀୟ ଶକ୍ତି ଉତ୍ସଗୁଡ଼ିକର ସମନ୍ୱୟକୁ ସହଜ କରେ । ଜଟିଳ ଭିତ୍ତିଭୂମି ପାଇଁ ଏହା ଡିଜିଟାଲ୍‌ ବିପଦ  ବିରୋଧରେ ସୁରକ୍ଷାକୁ ସୁଦୃଢ଼ କରିବା ସହ ସାମଗ୍ରିକ  ସ୍ଥିରତାରେ ଉନ୍ନତି ଆଣେ । ଏହି ଗବେଷଣାର ସଫଳତା  କେବଳ ଭାରତର ନବୀକରଣୀୟ ଶକ୍ତି ଲକ୍ଷ୍ୟକୁ ଦୃଢ଼ କରେ  ନାହିଁ ବରଂ ବିଶ୍ୱ ନୀତି ନିର୍ଦ୍ଧାରକ, ଉପଯୋଗିତା ଓ ଶିଳ୍ପ  ନେତୃତ୍ୱମାନଙ୍କୁ ସ୍ମାର୍ଟ, ସୁରକ୍ଷିତ ଶକ୍ତି ପରିଚାଳନା ଅଭ୍ୟାସକୁ  ଆଗକୁ ବଢ଼ାଇବା ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରଦାନ କରେ।