ନୂଆଦିଲ୍ଲୀ,୨୬/୦୮: କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ନୂଆ ଦର ସେପ୍ଟେମ୍ବର ୨୨ରେ ଲାଗୁ କରିପାରନ୍ତି । ଏନ୍‌ଡିଟିଭି ପ୍ରଫିଟରେ ଏ ନେଇ ଏକ ରିପୋର୍ଟ  ପ୍ରକାଶ ପାଇଛି । ନବରାତ୍ରି ଏବଂ ପାର୍ବଣ  ଋତୁରେ ବିଭିନ୍ନ କ୍ଷେତ୍ରରେ ଚାହିଦା ଏବଂ  ବିକ୍ରି ବଢ଼ାଇବା ଲାଗି କେନ୍ଦ୍ର ସରକାର ଏଭଳି  ଯୋଜନା କରୁଛନ୍ତି । 

ଜିଏସ୍‌ଟି ହାରରେ ତତ୍କାଳ ପରିବର୍ତ୍ତନକୁ ମଞ୍ଜୁରୀ ଦେବା ଲାଗି ଜିଏସ୍‌ଟି ପରିଷଦକୁ ସରକାର ନିବେଦନ କରିଛନ୍ତି । ଏବେ ବିଭିନ୍ନ କ୍ଷେତ୍ରରେ ଚାହିଦା ପ୍ରଭାବିତ ଥିବାରୁ ଏହାକୁ ନେଇ ସରକାର ଚିନ୍ତିତ ଅଛନ୍ତି । ସେହିଭଳି ରାଜ୍ୟ ଗୁଡ଼ିକର ରାଜସ୍ୱ କ୍ଷତି ଜନିତ ଚିନ୍ତା ଦୂରୀକରଣ ଉପରେ ମଧ୍ୟ କାମ ହେବ । 

ଜିଏସ୍‌ଟି ପରିଷଦର ୫୬ତମ ବୈଠକ ୩ରୁ  ୪ ସେପ୍ଟେମ୍ବର ଯାଏ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଏସ୍‌ଟି ହାର ସମ୍ପର୍କିତ ପ୍ରସ୍ତାବ ଉପରେ ବ୍ୟାପକ ଚର୍ଚ୍ଚା ହେବ । କେନ୍ଦ୍ର ସରକାର ଜିଏସ୍‌ଟି ଢ଼ାଞ୍ଚାକୁ ସରଳ କରିବା  ଲାଗି ୨ଟି ସ୍ଲାବ ଯଥା ୫% ଏବଂ ୧୮% ଲାଗୁ  କରିବା ଲାଗି ପ୍ରସ୍ତାବ ଦେଇଛନ୍ତି । ବିଳାସପୂର୍ଣ୍ଣ  ସାମଗ୍ରୀଗୁଡ଼ିକ ଉପରେ ୪୦% ଟିକସ ଲାଗିବ ।