ନୂଆଦିଲ୍ଲୀ, ୨୧/୧୨ : ବଢିବ ଭାରତୀୟ ସେନାର କ୍ଷମତା। ଆହୁରି ଶକ୍ତିଶାଳୀ ହେବ ସ୍ଥଳସେନା। ସେନାରେ ସାମିଲ ହେବ ନୂଆ କେ-୯ ବଜ୍ର ତୋପ। ଏଲ୍ ଆଣ୍ଡ ଟି ସହ ୭ ହଜାର ୬୨୮ କୋଟି ଟଙ୍କାର ବୁଝାମଣା କଲା ପ୍ରତିରକ୍ଷା ମନ୍ତ୍ରାଳୟ। 

ସୂଚନାନୁଯାୟୀ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ଶୁକ୍ରବାର ଲାର୍ସନ ଆଣ୍ଡ୍ ଟୁବ୍ରୋ ସହ ବୁଝାମଣା ହୋଇଛି। 155MM/52 କ୍ୟାଲିବର ବିଶିଷ୍ଟ K9 ବଜ୍ର-T ସ୍ଵୟଂଚାଳିତ ତୋପ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ବୁଝାମଣା କରିଛି। ୭୬୨୮.୭୦ କୋଟି ଟଙ୍କାର ଡିଲ୍ ହୋଇଛି। ଏହି ତୋପ ଭାରତୀୟ ସ୍ଥଳସେନାରେ ସାମିଲ କରାଯିବ। ଏହା ସେନାର ମାରକ କ୍ଷମତାକୁ ବଢାଇବ। ଏହା ଜିରୋ ଡିଗ୍ରୀରୁ ବି କମ୍ ତାପମାତ୍ରାରେ କାମ କରିପାରିବ। ଉଚ୍ଚ ପାହାଡ଼ ଉପରେ ଏହାର ବ୍ୟବହାର କରାଯିବ। ଏହି ପ୍ରୋଜେକ୍ଟ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଗୌରବଶାଳୀ ଧ୍ଵଜାବାହକ ହେବ। 

K9 ବଜ୍ର ତୋପର ବିଶେଷତ୍ତ୍ଵ-

-ଦକ୍ଷିଣ କୋରିଆର ହାୱିଜର୍ K9-ଥଣ୍ଡରର ଭାରତୀୟ ସଂସ୍କରଣ ହେଉଛି K9 ବଜ୍ର।

-ଶୂନ୍ୟ ବ୍ୟାସାର୍ଦ୍ଧରେ ବୁଲି ବୁଲି ଆକ୍ରମଣ କରିପାରିବ ୩୮ କିମି ମାରକ କ୍ଷମତା ରଖୁଥିବା K9 ବଜ୍ର।

- 155MM/52 କ୍ୟାଲିବର ବିଶିଷ୍ଟ ୫୦ ଟନ୍ ଓଜନର ଏହି ତୋପରୁ ଫିଙ୍ଗି ହେବ ୪୭ କିଲୋର ଗୋଳା।

-୧୫ ସେକେଣ୍ଡ୍ ମଧ୍ୟରେ ୩ ଗୋଳା ଦାଗିବାର ୩ମତା, ସଡ଼କ ଏବଂ ମରୁଭୂମିରେ ବରାବର ସଂଚାଳନ କ୍ଷମତା।

ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଉତ୍ପାଦନ, ୮୦ ପ୍ରତିଶତ ସ୍ୱଦେଶୀ

-ଦକ୍ଷିଣ କୋରିଆ କମ୍ପାନୀ ହାନୱା ଟେକ୍‌ନିକ୍‌ର ଟେକ୍ନୋଲୋଜିରେ ନିର୍ମାଣ କରିବ L&T 

-ମେ ୨୦୧୭ରେ, ସର୍ବଭାରତୀୟ ବିଡିଂ ମାଧ୍ୟମରେ L&T କୁ ଅର୍ଡର ଦେଇଥିଲା ପ୍ରତିରକ୍ଷା ମନ୍ତ୍ରଣାଳୟ  

-୪୫୦୦ କୋଟି ଟଙ୍କାରେ ୧୦୦ କେ -9 ବଜ୍ର ଉତ୍ପାଦନ ପାଇଁ ଦିଆଯାଇଥିଲା ଅର୍ଡର

-୨୦୧୮ ଜାନୁଆରୀରେ ଗୁଜୁରାଟର ହାଜିରା ଠାରେ ଆରମ୍ଭ ହୋଇଥିଲା ଉତ୍ପାଦନ ୟୁନିଟ୍ 

-ନଭେମ୍ବର ୨୦୧୮ରେ ପ୍ରଥମ କେ -9 ବଜ୍ର ହାୱିଜରକୁ ଭାରତୀୟ ସେନାରେ  କରାଯାଇଥିଲା ସାମିଲ।

- ୮୦ ପ୍ରତିଶତ ସ୍ୱଦେଶୀ କାର୍ଯ୍ୟ ପ୍ୟାକେଜ ନିର୍ମାଣରେ ଉପାଦାନ ତିଆରି କରିଥିଲେ ୧୦୦୦ ଏମଏସଏମଇ କମ୍ପାନୀ 

- ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁରେ ପ୍ରତ୍ୟେକ ତୋପ ପାଇଁ ପ୍ରସ୍ତୁତ କରାଯାଇଥିଲା ୧୩୦୦୦ରୁ ଅଧିକ ଅଂଶ।