ନୂଆଦିଲ୍ଲୀ, ୪।୪: ଶ୍ରମିକ ଏବଂ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାରଙ୍କ ନୂଆ ଲେବର କୋଡ୍ ଲାଗୁ ହେବା ପରେ ଏବେ କର୍ମଚାରୀଙ୍କୁ ନିଜର ବକେୟା ପ୍ରାପ୍ୟ ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଯଦି ଆପଣ କୌଣସି କମ୍ପାନୀରୁ ଚାକିରି ଛାଡ଼ୁଛନ୍ତି କିମ୍ବା ଆପଣଙ୍କୁ ବାହାର କରାଯାଉଛି, ତେବେ ମାତ୍ର ୨ ଦିନ ୱାର୍କିଂ ଡେଜ୍ ମଧ୍ୟରେ କମ୍ପାନୀକୁ ସମସ୍ତ ହିସାବ ସାରି ପଇସା ଦେବାକୁ ପଡ଼ିବ । Code on Wages, ୨୦୧୯ ଅଧୀନରେ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି । ପୂର୍ବରୁ କର୍ମଚାରୀମାନେ ଚାକିରି ଛାଡ଼ିବା ପରେ ସେମାନଙ୍କର ବକେୟା ଦରମା ଏବଂ ଅନ୍ୟାନ୍ୟ ରାଶି ପାଇବା ପାଇଁ ୩୦ରୁ ୯୦ ଦିନ ପର୍ଯ୍ୟନ୍ତ ସମୟ ଲାଗୁଥିଲା । ଏହି କାରଣରୁ କର୍ମଚାରୀମାନେ ଘର ଭଡ଼ା ଦେବା କିମ୍ବା ମାସିକ ଖର୍ଚ୍ଚ ତୁଲାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଏବେ ନୂଆ ନିୟମ ଅନୁଯାୟୀ, ଚାକିରିର ଶେଷ କାର୍ଯ୍ୟ ଦିବସର ମାତ୍ର ୪୮ ଘଣ୍ଟା ମଧ୍ୟରେ ସେଟେଲମେଣ୍ଟ କରିବା ବାଧ୍ୟତାମୂଳକ ।
ଏହା ବି ପଢ଼ନ୍ତୁ... ଶିଳ୍ପ ଜଗତକୁ ସରକାରଙ୍କ ବଡ଼ ଭେଟି: ଆସୁଛି ନୂଆ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍, ଉପକୃତ ହେବେ ଲକ୍ଷ ଲକ୍ଷ MSME
'ଫୁଲ୍ ଆଣ୍ଡ ଫାଇନାଲ୍' ସେଟେଲମେଣ୍ଟରେ କ’ଣ ମିଳିବ ?
ଯେତେବେଳେ ଜଣେ କର୍ମଚାରୀ କମ୍ପାନୀ ଛାଡ଼ନ୍ତି, ତାଙ୍କୁ କେବଳ ଦରମା ନୁହେଁ ବରଂ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ:
ଶେଷ ମାସର ଦରମା: କାମ କରିଥିବା ଦିନ ଅନୁସାରେ ବକେୟା ଦରମା
ଛୁଟି ବଦଳରେ ପଇସା: ବଞ୍ଚିଥିବା ଛୁଟି ପାଇଁ ନିର୍ଦ୍ଧାରିତ ଅର୍ଥ
ବୋନସ ଓ ଇନସେଣ୍ଟିଭ୍: ପ୍ରଦର୍ଶନ ଆଧାରରେ ମିଳିବାକୁ ଥିବା ବକେୟା ବୋନସ
ଯଦି କୌଣସି କର୍ମଚାରୀ କମ୍ପାନୀର ସାମଗ୍ରୀ ଯେପରିକି, ମୋବାଇଲ୍ ଆଦି ଫେରସ୍ତ କରିନାହାଁନ୍ତି କିମ୍ବା ଆଡଭାନ୍ସ ଲୋନ୍ ନେଇଛନ୍ତି, ତେବେ ସେହି ଅର୍ଥ କାଟି କମ୍ପାନୀ ବାକି ପଇସା ଦେବ । ନୂଆ ଲେବର କୋ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ଲାଭଦାୟକ ପରିବର୍ତ୍ତନ ହେଉଛି ଗ୍ରାଚ୍ୟୁଇଟି । ପୁରୁଣା ନିୟମ ଅନୁଯାୟୀ, ଗ୍ରାଚ୍ୟୁଇଟି ପାଇଁ ଗୋଟିଏ ସଂସ୍ଥାରେ ଅତିକମ୍ରେ ୫ ବର୍ଷ କାମ କରିବା ଆବଶ୍ୟକ ଥିଲା । କିନ୍ତୁ, ଏବେ ମାତ୍ର ବର୍ଷେ ଚାକିରି ପରେ ମଧ୍ୟ କର୍ମଚାରୀ ଗ୍ରାଚ୍ୟୁଇଟି ପାଇଁ ହକଦାର ହେବେ । କମ୍ପାନୀକୁ ଏହି ରାଶି ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ହେବ । ଯଦିଓ ୨ ଦିନ ମଧ୍ୟରେ ସେଟେଲମେଣ୍ଟ ପାଇଁ ନିୟମ ରହିଛି, ତଥାପି କିଛି ସ୍ୱତନ୍ତ୍ର ପରିସ୍ଥିତି ଏବଂ କମ୍ପାନୀର ନୀତି ଅନୁଯାୟୀ ଏହା ସର୍ବାଧିକ ୧ ମାସ ପର୍ଯ୍ୟନ୍ତ ଯାଇପାରେ । ତେବେ ନୂଆ ନିୟମ କର୍ମଚାରୀଙ୍କ ଆର୍ଥିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି ।