ଭୁବନେଶ୍ୱର,୨୬/୦୨: ରିତୁପ୍ରିୟା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର "ଚାରିକାନ୍ଧ' ଆସନ୍ତା ୨୭ ଫେବ୍ରୁଆରୀରେ ବଡ଼ ପରଦାରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ । ଏନେଇ ପ୍ରଯୋଜକ ଅତିଶ କୁମାର ରାଉତ, ଚିତ୍ରନାଟ୍ୟକାର ତଥା ନିର୍ଦ୍ଦେଶକ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ସାମ୍ପ୍ରତିକ ସମାଜର କଠୋର ବାସ୍ତବତା ଓ ବାର୍ଦ୍ଧକ୍ୟର ଏକଲାପଣକୁ ନେଇ ନିର୍ମିତ ଓଡ଼ିଶାର ଏକ ଭିନ୍ନ ଧରଣର ଫିଲ୍ମ "ଚାରିକାନ୍ଧ' । ୩୮ ମିନିଟ୍ ଅବଧିର ଏହି ଚଳଚ୍ଚିତ୍ରଟି ୪୧ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେଇ ପ୍ରଦର୍ଶିତ ହେବା ସହ ୨୨ରୁ ଅଧିକ ପୁରସ୍କାର ଜିତିଛି ।

ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଶକ୍ତି ବରାଳ, ଶତାବ୍ଦୀ ସୂର୍ଯ୍ୟସ୍ନାତା, ସୁଶୀଲ ମିଶ୍ର, ଗୌରବ ମହାନ୍ତି, ଶିବାନୀ ଖରା, ପ୍ରଭଞ୍ଜନ ମିଶ୍ର, ଋଦ୍ଧି ପରିଡ଼ା, ସୁରୁଚିକା ମହାପାତ୍ର, ନମିତା ସାହୁ, ନିତ୍ୟାନନ୍ଦ ରାଉତ, ରାଜ ଏସ୍. ପାଢ଼ୀ, ସୌମ୍ୟ ରଞ୍ଜନ ନାୟକ, ସଂସ୍କୃତି ସ୍ୱାଇଁ, ଏସ୍. ରାଜେନ୍ଦ୍ର, ସୌମ୍ୟ ଆର୍. ଷଡ଼ଙ୍ଗୀ ପ୍ରମୁଖ ସୁନ୍ଦର ଅଭିନୟ କରିଛନ୍ତି । ସହ ପ୍ରଯୋଜକ ରହିଛନ୍ତି ସୁପ୍ରିୟା ରାଉତ ଓ ଅଖିଲ ରାଜୁରକର । ଏହି ସିନେମାରେ ଦର୍ଶକ ତାଳି ବଦଳରେ ଆଖିରେ ଲୁହ ଧାର ନେଇ ଫେରିବେ ବୋଲି ପ୍ରାଯାଜନା ସଂସ୍ଥା ପକ୍ଷରୁ ପ୍ରଯୋଜକ ଶ୍ରୀ ରାଉତ ଓ ପୂରା ଟିମ୍ ଦୃଢ଼ତାର ସହ କହିବା ସହ ସିନେମା ଦେଖିବାକୁ ଆସିବା ଲାଗି ନିବେଦନ କରିଛି ।