ନୂଆଦିଲ୍ଲୀ, ୩୧/୦୩ : ଏପ୍ରିଲ ପହିଲାରୁ ଦେଶରେ ହେବ ବଡ଼ ପରିବର୍ତ୍ତନ। ଛଅ ଦଶକ ପୁରୁଣା ଆୟକର ଆଇନ ବିଦାୟ ନେଇ ଦେଶରେ ଲାଗୁ ହେବ ନୂଆ ଆୟକର ଅଧିନିୟମ ୨୦୨୫। ସେହିପରି ଜିଏସଟି ୨.୦ରେ କରାଯାଇଥିବା ଘୋଷଣାଗୁଡ଼ିକ କାର୍ଯ୍ୟକାରୀ ହେବା ପରେ, ଦେଶରେ ବଡ଼ ଆର୍ଥିକ ପରିବର୍ତ୍ତନ ହେବ। ଏହାର ସିଧାସଳଖ ପ୍ରଭାବ ଜଣେ ସାଧାରଣ ନାଗରିକ ଉପରେ ପଡ଼ିବ। ବେତନ ଠାରୁ ନେଇ ରନ୍ଧନ ଗ୍ୟାସ୍ ଏବଂ ନିତିଦିନିଆ ଖର୍ଚ୍ଚ ଗଣିତ ବଦଳିଯିବ। ୨୦୨୬-୨୭ ଠାରୁ  ୧୨ ଲକ୍ଷ ପର୍ଯ୍ୟନ୍ତ ଆୟରେ କରମୁକ୍ତି ମିଳିବ। ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଏଲପିଜି, ଔଷଧ ଏବଂ କାର ମହଙ୍ଗା ହେବ। ତେବେ ଜାଣନ୍ତୁ କେଉଁ ସବୁ ନିୟମରେ ହେବ ପରିବର୍ତ୍ତନ ?

ଆଜି ରାତି ସୁଦ୍ଧା ସାରି ଦିଅନ୍ତୁ ଏହି ସବୁ କାମ-

ଟ୍ୟାକ୍ସ ସେଭିଂ ଏବଂ ନିବେଶ : ଧାରା 80C ଏବଂ 80D ଆଧାରରେ କରମୁକ୍ତ ହେବା ପାଇଁ ପିପିଏଫ, ଇଏଲଏସଏସ ଏବଂ ଜୀବନ ବୀମାରେ ମାର୍ଚ୍ଚ ୩୧ ପୂର୍ବରୁ ନିବେଶ କରିବା ଆରମ୍ଭ କରି ଦିଅନ୍ତୁ। ନୂଆ ଆର୍ଥିକ ବର୍ଷରେ ଏହାର ଲାଭ ମିଳିବ ନାହିଁ।  

ଆକାଉଣ୍ଟଗୁଡ଼ିକୁ ଆକ୍ଟିଭ୍ ରଖିବା : PPF, NPS, ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟଗୁଡ଼ିକ ନିଷ୍କ୍ରିୟ ଏବଂ ଜରିମାନା ଏଡାଇବା ପାଇଁ ସର୍ବନିମ୍ନ ଆବଶ୍ୟକୀୟ ବାଲାନ୍ସ ବଜାୟ ରଖିବା ଅତ୍ୟନ୍ତ ଜରୁରୀ।

ଅପଡେଟେଡ୍ ରିଟର୍ଣ୍ଣ : ଆର୍ଥିକ ବର୍ଷ ୨୦୨୦-୨୧ (ମୂଲ୍ୟାୟନ ବର୍ଷ ୨୦୨୧-୨୨) ପାଇଁ ଅପଡେଟ୍ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧।

ବିଦେଶୀ ଆୟ ଥିବା ଲୋକଙ୍କ ପାଇଁ : ବିଦେଶୀ ଟିକସ କ୍ରେଡିଟ୍ ଦାବି କରିବା ପାଇଁ NRIମାନଙ୍କୁ ଏହି ତାରିଖ ସୁଦ୍ଧା ଫର୍ମ ୬୭ ଦାଖଲ କରିବାକୁ ପଡିବ। ନଚେତ୍ ଦ୍ୱୈତ ଟିକସର ସମ୍ମୁଖୀନ ହେବାକୁ ପଡିବ।

ଏପ୍ରିଲ ୧ରୁ କେଇଁ ସବୁ ନିୟମରେ ପରିବର୍ତ୍ତନ ?

ନୂଆ ଟ୍ୟାକ୍ସ ବ୍ୟବସ୍ଥା : ୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟରେ କର ଲାଗିବ ନାହିଁ। ଏହା ସହିତ, ବେତନଭୋଗୀ ଲୋକଙ୍କ ପାଇଁ ୭୫ ହଜାର ଟଙ୍କାର ମାନକ ରିହାତି ଜାରି ରହିବ।

ପୁରୁଣା ବ୍ୟବସ୍ଥାରେ ବଡ଼ ଛାଡ଼ : ଶିଶୁଙ୍କ ଶିକ୍ଷା ମାସିକ ଭତ୍ତା ୧୦୦ ଟଙ୍କାରୁ ୩ ହଜାର ଟଙ୍କା ଏବଂ ହଷ୍ଟେଲ ଭତ୍ତା ୩୦୦ ଟଙ୍କାରୁ ୯ ହଜାର ଟଙ୍କାକୁ ବୃଦ୍ଧି କରାଯିବ। 

ବିଦେଶ ଯାତ୍ରା ଶସ୍ତା : ଓଭରସିଜ୍ ଟୁର୍ ପ୍ୟାକେଜରେ ଟିସିଏସ୍ ହାର ୫% ଏବଂ ୨୦% ଦ୍ୱିଗୁଣିତ ହାରରୁ ୨% କୁ ହ୍ରାସ କରାଯାଇଛି।

କ'ଣ ଶସ୍ତା କ'ଣ ମହଙ୍ଗା ?

ଶସ୍ତା : ସ୍ଵାସ୍ଥ୍ୟ ଏବଂ ଜୀବନ ବୀମା, ୩୩ ଜୀବନ ରକ୍ଷକ ଔଷଧ, ଅନପ୍ୟାକ୍ ଡାଏରୀ ଉତ୍ପାଦ, ଛୋଟ କାର୍, ଏସି, ଟିଭି।

ମହଙ୍ଗା : ତମ୍ବାଖୁ, ବିଳାଶପୂର୍ଣ୍ଣ ଗାଡି, ବଡ ଏସୟୁଭି, ଅନଲାଇନ୍ ଗେମିଂ।

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ଏଲପିଜି ସିଲିଣ୍ଡର : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୯୧୩ ଟଙ୍କା ହୋଇଛି। ସେହିପରି କମର୍ସିଆଲ ସିଲିଣ୍ଡର ୧୮୮୩ ଟଙ୍କା ମହଙ୍ଗା ହୋଇଛି। 

ଔଷଧ : ଔଷଧ କମ୍ପାନୀଗୁଡ଼ିକର ମୂଲ୍ୟ ବୃଦ୍ଧି ହେତୁ, NPPA ୯୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧ (ଯେପରିକି ପାରାସିଟାମଲ୍, ଆଣ୍ଟିବାୟୋଟିକ୍) ପାଇଁ ୧.୭୪% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି।

କାର ମୂଲ୍ୟ ବୃଦ୍ଧି: ଟାଟା ମୋଟର୍ସ, ହୋଣ୍ଡା  ଏବଂ ମର୍ସିଡିଜ୍ ଭଳି କମ୍ପାନୀଗୁଡ଼ିକ ଏପ୍ରିଲ ୧ ରୁ ଗାଡ଼ି ମୂଲ୍ୟ ବୃଦ୍ଧି କରିଛନ୍ତି।

ଟ୍ରେନ୍ ଯାତ୍ରା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ

ହାଇୱେ ଯାତ୍ରା ପାଇଁ ବାର୍ଷିକ ଫାସଟ୍ୟାଗ୍ ପାସ୍ ୩ ହଜାର ରୁ ୩ ହଜାର ୭୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭାରତୀୟ ରେଳବାଇର ନୂତନ ନିୟମ ଅନୁଯାୟୀ, ଟ୍ରେନ ଛାଡିବାର ଆଠ ଘଣ୍ଟା ମଧ୍ୟରେ କନଫର୍ମ ଟିକେଟ୍ ବାତିଲ କଲେ ଆଉ ଟଙ୍କା ଫେରସ୍ତ ମିଳିବ ନାହିଁ (ପୂର୍ବରୁ ଏହି ସମୟ ଚାରି ଘଣ୍ଟା ଥିଲା)।