ପୁରୀ,୦୭/୦୬: ଉଚ୍ଚା ଦର ଯୋଗୁ ବିକ୍ରି ନ ହୋଇପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ଗତ ବର୍ଷମାନଙ୍କରେ ବ୍ୟବହୃତ ରଥର ଚକ, ପ୍ରଭା ସମେତ ବିଭିନ୍ନ ଉପକରଣ । ଏପର୍ଯ୍ୟନ୍ତ ଏହି ଜିନିଷ ସଂରକ୍ଷିତ ରଖିବା ନିମନ୍ତେ ଗୃହ ନିର୍ମାଣ ସରିଲା ନାହିଁ । ସେପଟେ ୨୦୨୫ ରଥ ଉପକରଣ ବିକ୍ରି ନିମନ୍ତେ ନୂଆ ଏସ୍ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଏଥିସହ ନୂଆ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି । ବଡ଼ଠାକୁରଙ୍କ ତାଳଧ୍ୱଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍ ଦେଢ଼ ଲକ୍ଷ ଟଙ୍କା ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରଖାଯାଇଛି ।
ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ରହିଛି । ପ୍ରଭା ପିଛା ଦାମ୍ ୨୫ ହଜାର ଟଙ୍କା ରହିଛି । ଯେତେବେଳେ କି ପ୍ରତ୍ୟେକ ରଥର ଗୋଟାଏ ଲେଖାଏଁ ଚକ କିଣିଲେ ଦାମ୍ ୬ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଆବେଦନକାରୀ ନିର୍ଦ୍ଧାରିତ ଫି’ ଦେଇ ଆବେଦନ କରିବା ପରେ ଏହା ଉପରେ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ ବୋଲି ଏସ୍ଓପିରୁ ଜଣାପଡ଼ିଛି । ଆବେଦନର ଶେଷ ତାରିଖ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ରହିଛି ।