ପୁରୀ,୦୭/୦୬: ଉଚ୍ଚା ଦର ଯୋଗୁ ବିକ୍ରି ନ ହୋଇପାରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ଗତ ବର୍ଷମାନଙ୍କରେ ବ୍ୟବହୃତ ରଥର ଚକ, ପ୍ରଭା ସମେତ ବିଭିନ୍ନ ଉପକରଣ ।  ଏପର୍ଯ୍ୟନ୍ତ ଏହି ଜିନିଷ ସଂରକ୍ଷିତ ରଖିବା  ନିମନ୍ତେ ଗୃହ ନିର୍ମାଣ ସରିଲା ନାହିଁ ।  ସେପଟେ ୨୦୨୫ ରଥ ଉପକରଣ ବିକ୍ରି  ନିମନ୍ତେ ନୂଆ ଏସ୍‌ଓପି ଜାରି କରିଛି  ଶ୍ରୀମନ୍ଦିର ପ୍ରଶାସନ । 

ଏଥିସହ ନୂଆ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି । ବଡ଼ଠାକୁରଙ୍କ  ତାଳଧ୍ୱଜ ରଥର ଚକ ପିଛା ଦାମ୍‌ ୨ ଲକ୍ଷ  ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍‌ ଦେଢ଼ ଲକ୍ଷ ଟଙ୍କା ଓ  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ  ଚକ ଦାମ୍‌ ୩ ଲକ୍ଷ ଟଙ୍କା ରଖାଯାଇଛି ।

ସେହିପରି ଗୁଜ ଓ ଅଂଶୁଆରୀ ଗୋଟା  ପିଛା ଦାମ୍‌ ୧୫ ହଜାର ଟଙ୍କା ରହିଛି ।  ପ୍ରଭା ପିଛା ଦାମ୍‌ ୨୫ ହଜାର ଟଙ୍କା  ରହିଛି । ଯେତେବେଳେ କି ପ୍ରତ୍ୟେକ  ରଥର ଗୋଟାଏ ଲେଖାଏଁ ଚକ କିଣିଲେ  ଦାମ୍‌ ୬ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଆବେଦନକାରୀ ନିର୍ଦ୍ଧାରିତ ଫି’ ଦେଇ  ଆବେଦନ କରିବା ପରେ ଏହା ଉପରେ  ବିଚାର କରି ଶ୍ରୀମନ୍ଦିର ପ୍ରଶାସନ  ପଦକ୍ଷେପ ନେବ ବୋଲି ଏସ୍‌ଓପିରୁ  ଜଣାପଡ଼ିଛି । ଆବେଦନର ଶେଷ ତାରିଖ  ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ରହିଛି ।