ନୂଆଦିଲ୍ଲୀ : ଏବେ ଦୁନିଆର କିଛି ଅଂଶରେ ହନ୍ତା ଭାଇରସର ପ୍ରକୋପ ଜାରି ରହିଥିବା ବେଳେ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ବୈଜ୍ଞାନିକମାନେ କରୋନା ଭାଇରସର ଏକ ନୂତନ ଗ୍ରୁପ୍କୁ ଚିହ୍ନଟ କରିଛନ୍ତି। ଜାପାନ ଏବଂ ଥାଇଲ୍ୟାଣ୍ଡର ବୈଜ୍ଞାନିକମାନେ ମିଳିତ ଭାବେ ଏହି ସନ୍ଧାନ କରିଛନ୍ତି। ଟୋକିଓ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଏହି ଭାଇରସ ଦ୍ୱାରା ମଣିଷ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହି ଭାଇରସ 'ସାର୍ସ-କୋଭ-୨' (SARS-CoV-2)ର ଏକ ନିକଟତର ଗୋଷ୍ଠୀର, ଯାହା ଚିମିଣିଗୁମ୍ପା ବା ବାଦୁଡ଼ିମାନଙ୍କ ଶରୀରରେ ମିଳିଥାଏ। ଟୋକିଓ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ପ୍ରତିଷ୍ଠାନ ଏବଂ ଥାଇଲ୍ୟାଣ୍ଡର ଚୁଲାଲୋଙ୍ଗକର୍ଣ୍ଣ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଗବେଷଣା କରାଯାଇଛି।
କୋଭିଡ-୧୯ ମହାମାରୀ ସହିତ ସମ୍ପର୍କ-
ବାଦୁଡ଼ି ହେଉଛି ସାର୍ସ-କୋଭ-୨ ସହିତ ଜଡ଼ିତ କରୋନା ଭାଇରସର ମୁଖ୍ୟ ବାହକ । ଏହା ନିକଟରେ କୋଭିଡ-୧୯ ମହାମାରୀ ପାଇଁ ଦାୟୀ ଥିବା ଏଜେଣ୍ଟ ଅଟେ। ଯଦିଓ ବାଦୁଡ଼ିଙ୍କ ଶରୀରରେ ଥିବା ସାର୍ସ-କୋଭ-୨ ର ବିବିଧତା ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି, ତଥାପି ଏହି ଅନ୍ତର୍ଜାତୀୟ ଗବେଷକ ଦଳ 'ହର୍ସ-ଶୁ' ବାଦୁଡ଼ିଙ୍କ ନମୁନାରୁ ଏକ ନୂଆ ଭାଇରସ ଗୋଷ୍ଠୀ ଆବିଷ୍କାର କରିଛନ୍ତି। ଏହି ଅଧ୍ୟୟନରୁ ଜଣାପଡିଛି ଯେ, କେଉଁ ବିଶେଷତା ଗୁଡ଼ିକ ଏହି ଭାଇରସକୁ ମଣିଷଙ୍କୁ ସଂକ୍ରମିତ କରିବା ପାଇଁ ସକ୍ଷମ କରିଥାଏ। ୬ ମଇ ୨୦୨୬ ରେ ଏହି ଗବେଷଣା ପତ୍ରଟି 'ଜର୍ନାଲ ସେଲ୍'ରେ ପ୍ରକାଶିତ ହୋଇଛି।
ବିଶ୍ୱବିଦ୍ୟାଳୟର ବିବୃତ୍ତି ଅନୁଯାୟୀ, ସାର୍ସ-କୋଭ-୨ ଭାଇରସର ଏହି ନୂଆ ସମୂହକୁ ଗବେଷକମାନେ 'କ୍ଲେଡ ବି' ନାମ ଦେଇଛନ୍ତି। ଥାଇଲ୍ୟାଣ୍ଡର ଚାଚୋଏଙ୍ଗସାଓ ପ୍ରାନ୍ତର ଏକ କୃତ୍ରିମ ଗୁମ୍ଫାରେ ରହୁଥିବା ବାଦୁଡ଼ିଙ୍କ ମଧ୍ୟରେ ଏହି ଦ୍ୱିତୀୟ ପ୍ରକାରର କରୋନା ଭାଇରସ ଦେଖିବାକୁ ମିଳିଛି। ପ୍ରଥମ ସମୂହ 'କ୍ଲେଡ ଏ୩' ମଧ୍ୟ ନୂତନ ଭାବେ ଆବିଷ୍କୃତ 'କ୍ଲେଡ ବି' ସହିତ ସମାନ ଭାବେ ବ୍ୟାପୁଥିବା ଜଣାପଡିଛି। ଏପରିକି ଗୋଟିଏ ବାଦୁଡ଼ି ଶରୀରରେ ଉଭୟ ଭାଇରସ ମିଳିଛି।
କ୍ଲେଡ ଏ୩ ତୁଳନାରେ 'କ୍ଲେଡ ବି' ଭାଇରସ ମଣିଷ ଶରୀରରେ ଥିବା ସେହି ସମାନ ରିସେପ୍ଟର ବ୍ୟବହାର କରି ପାରେ, ଯାହାକୁ ବ୍ୟବହାର କରି ସାର୍ସ-କୋଭ-୨ ମଣିଷକୁ ସଂକ୍ରମିତ କରିଥାଏ। ଏହାକୁ 'ଏଞ୍ଜିଓଟେନସିନ୍-କନଭର୍ଟିଙ୍ଗ୍ ଏନଜାଇମ୍ ୨' କୁହାଯାଏ।
ହନ୍ତା ଭାଇରସର ଆତଙ୍କ
ଉଲ୍ଲେଖଯୋଗ୍ୟ ଯେ, ଏହି ଦିନ ଗୁଡ଼ିକରେ ହନ୍ତା ଭାଇରସର ପ୍ରକୋପ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ହନ୍ତା ଭାଇରସ ଏକ ଗମ୍ଭୀର ଏବଂ ଜୀବନହନ୍ତା ଭାଇରସ , ଯାହା ମୁଖ୍ୟତଃ ମୂଷାମାନଙ୍କ ଠାରୁ ମଣିଷକୁ ବ୍ୟାପି ଥାଏ। ଏହା କୌଣସି ନୂଆ ଭାଇରସ ନୁହେଁ , କିନ୍ତୁ ଏହାର ଲକ୍ଷଣ ଏବଂ ଭୟାବହତା ଏହାକୁ ବିପଜ୍ଜନକ କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସଂକ୍ରମିତ ମୂଷାଙ୍କ ପରିସ୍ରା, ଲାଳ କିମ୍ବା ମଳ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପି ଥାଏ। ଯେତେବେଳେ ମୂଷାଙ୍କ ମଳ-ମୂତ୍ର ଶୁଖି ଯାଏ, ସେଥିରେ ଥିବା କଣିକା ପବନରେ ମିଶି ଯାଏ ଏବଂ ନିଃଶ୍ୱାସ ମାଧ୍ୟମରେ ମଣିଷ ଶରୀରକୁ ପ୍ରବେଶ କରି ଥାଏ। ଏହି ଭାଇରସ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କୁ ମଧ୍ୟ ବ୍ୟାପି ପାରେ।