ଆମେ ୨୦୨୬ ମଧ୍ୟକୁ ପ୍ରବେଶ କରିସାରିଛୁ । ଆଗକୁ ଦେଶ ଅନେକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି । ବିଗତ ବର୍ଷର ଶେଷ ଭାଗରେ ଏମିତି ସବୁ କେତେକ ଘଟଣା ଘଟିଯାଇଛି, ସେଗୁଡ଼ିକର ପ୍ରଭାବ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଡୁଆ ଭିତରକୁ ଟାଣିବ ବୋଲି ଅନୁମାନ କରାଯାଉଛି । ଘଟଣାଗୁଡ଼ିକ ମଧ୍ୟରେ କୌଣସି ସ୍ୱାଭାବିକ ସଂଯୋଗ ଯଦିଓ ନାହିଁ, ତେବେ ମନେହେଉଛି ଦେଶରେ ସବୁକିଛି ଠିକ୍ଠାକ୍ ଚାଲୁନାହିଁ । ଏସବୁ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନଚିହ୍ନ ଟାଣିପାରେ ।

ପ୍ରଧାନମନ୍ତ୍ରୀ ବିଶ୍ୱ ତଥା କୂଟନୈତିକ ସ୍ତରରେ ଲାଗି ରହିଥିବା ଚାଲେଞ୍ଜଗୁଡ଼ିକର ବରାବର ସାମନା କରୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ନୀତିରେ ସର୍ବଦା ଏପଟସେପଟ କରୁଛନ୍ତି । ତାହାକୁ ମୋଦିଜୀ ବେଶ୍ ଚତୁରତାର ସହ ମୁକାବିଲା କରୁଛନ୍ତି । କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଏପରି କେତେକ ସମସ୍ୟା ରହିଛି, ଯାହାକୁ ଉଚିତ ଢଙ୍ଗରେ ମୁକାବିଲା କରାଯାଉନଥିବା ପରି ମନେହେଉଛି । ଯେପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଇଣ୍ଡିଗୋ ସଙ୍କଟ, ଆରାବଳୀ ଖଣିଖନନ ଲିଜ୍ ଏବଂ ଦେଶର ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଅତିଶୟ ଖରାପ ସ୍ଥିତିକୁ ଖସିଆସିବା ଇତ୍ୟାଦି ।

ସେହିପରି ଶିଶୁ ବଳାତ୍କାର ପରି ଜଘନ୍ୟ ଅପରାଧରେ ଅଭିଯୁକ୍ତ ବିଧାୟକ ଦିଲ୍ଲୀ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇବାକୁ ସକ୍ଷମ ହେବା ଏବଂ ଗୋଆ ନାଇଟ୍ କ୍ଲବ୍‌ରେ ଭୟାବହ ଅଗ୍ନିକାଣ୍ଡ ଆଦି ଚିନ୍ତା ଉଦ୍ରେକକାରୀ ଘଟଣା । ଏହି ଘଟଣାଗୁଡ଼ିକ ଲକ୍ଷ୍ୟ କଲେ କେଉଁଠି ନା କେଉଁଠି ରାଜ୍ୟ ସରକାରଙ୍କ ଅପାରଗତା ତଥା ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ।

ଆଶ୍ଚର୍ଯ୍ୟଜନକ, ଏସବୁ ବିବାଦୀୟ ମାମଲା ୨୦୨୫ର ଶେଷ ୪ମାସ ମଧ୍ୟରେ ହିଁ ତା’ପରକୁ ତା’ପର ସାମ୍ନାକୁ ଆସିଥିଲା । ଏହା ଏକ ଧାରଣା ସୃଷ୍ଟି କରିଛି ଯେ, ଏକ ନିର୍ମଳ ତଥା ସମର୍ଥ ସରକାର ପାଇଁ ଜରୁରି ଏଜେଣ୍ଡାଗୁଡ଼ିକୁ ଆଗେଇ ନେବାକୁ ସେପରି ଧୁରନ୍ଧର ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କର ଅଭାବ ସଂଘୀୟ ସ୍ତରରେ ହେଉ ଅବା ରାଜ୍ୟସ୍ତରରେ ରହିଛି ।

ପ୍ରଥମେ ନିଆଯାଉ ଇଣ୍ଡିଗୋ ପ୍ରସଙ୍ଗ । ପ୍ରଶ୍ନ ଉଠେ, ଡାଇରେକ୍ଟୋରେଟ୍ ଅଫ ସିଭିଲ୍ ଆଭିଏସନ (ଡିଜିସିଏ) କାହିଁକି ବେସାମରିକ ବିମାନ ଚଳାଚଳ କ୍ଷେତ୍ର ବଜାରର ୬୫ ପ୍ରତିଶତ ଅଂଶଧନକୁ ଇଣ୍ଡିଗୋ ହାତକୁ ଟେକିଦେଇଛି? କାହିଁକି ଏହି ଏୟାରଲାଇନ୍କୁ ତା’ର କାୟା ବିସ୍ତାର କରିବା ପାଇଁ ଅଦ୍ଭୁତପୂର୍ବ ସୁଯୋଗ ଦେଇଛି, ଯାହାଫଳରେ ବ୍ୟାପକ ଅଞ୍ଚଳକୁ ଏହାର ଚଳାଚଳ ରହିଛି? ଖାସ୍ ଯେଉଁ କାରଣରୁ ଇଣ୍ଡିଗୋ ହାତରେ ବିମାନ ଚଳାଚଳ କ୍ଷେତ୍ର ଗଳାର ଶିରା ଦବାଇଦେବାର ସାମର୍ଥ୍ୟ ରହିଛି । ପୁନଶ୍ଚ ପଚରାଯାଇପାରେ, ଡିଜିସିଏର ଯେଉଁମାନେ ପରିଚାଳନା ସଦସ୍ୟ ସେମାନେ କିଏ? ସେମାନେ ବିମାନ ଚଳାଚଳ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରଖୁଥିବା ବ୍ୟକ୍ତି ନା କେବଳ ଗୋଛାଏ ବ୍ୟୁରୋକ୍ରାଟସ୍ ବା ପ୍ରଶାସନିକ ଅଧିକାରୀ? ଅନୁତାପର କଥା ହେଉଛି, ଡିସେମ୍ବର ପ୍ରାରମ୍ଭରେ ଘରୋଇ ବିମାନ ଚଳାଚଳ ଏକପ୍ରକାର ଠପ୍ ହୋଇଯାଇଥିଲା, ଅଥଚ ଆଜିଯାଏଁ ଏସବୁ ପ୍ରଶ୍ନର ସମୁଚିତ ଉତ୍ତର ଆମ ପାଖରେ ନାହିଁ ।

ଦ୍ୱିତୀୟକୁ ଆସନ୍ତୁ ଆରାବଳୀ ପ୍ରସଙ୍ଗକୁ । ଆରାବଳୀ ପର୍ବତଶ୍ରେଣୀ ଅନ୍ତର୍ଭୁକ୍ତ କେଉଁ ପର୍ବତକୁ ପର୍ବତ ବୋଲି ଧାର୍ଯ୍ୟ କରାଯିବ ତାହାର ଅଦ୍ଭୁତ ସଂଜ୍ଞା ନିରୂପଣ କରିଥିଲେ ‘ବିଶେଷଜ୍ଞ ଦଳ’ । ସେମାନେ ଦର୍ଶାଇଥିଲେ ଯେ, ୧୦୦ ମିଟରରୁ ଅଧିକ ଉଚ୍ଚର ପର୍ବତ କେବଳ ଆରାବଳୀର ପର୍ବତ ବୋଲି ଗ୍ରହଣ କରାଯାଇପାରିବ । ଏହି ଅଦ୍ଭୁତ ସଂଜ୍ଞାକୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ନଭେମ୍ବର ୨୦ ତାରିଖରେ ତାଙ୍କର ଆଦେଶରେ ସ୍ୱୀକାର କରିନେଇଥିଲେ । ତେବେ ଏହାକୁ ନେଇ ଦେଶତମାମ ତୁମ୍ବିତୋଫାନ, ବିତର୍କ, ବିରୋଧ ଇତ୍ୟାଦି ମୁଣ୍ଡ ଟେକିଲା । ସୁପ୍ରିମକୋର୍ଟ ନିଜ ତରଫରୁ ଏହି ବିରୋଧାଭାସ ନିଆଁକୁ ଲିଭାଇବା ଲାଗି ପଦକ୍ଷେପ ନେଲେ ଏବଂ ନିଜର ପୂର୍ବ ରାୟକୁ ଆଡ଼େଇ ଦେବା ପାଇଁ ନିଷ୍ପତ୍ତି ନେଲେ । ଏସବୁ ଭିତରେ ପରିବେଶ ମନ୍ତ୍ରଣାଳୟ କିନ୍ତୁ ସୁପ୍ରିମକୋର୍ଟଙ୍କ ନଭେମ୍ବର ୨୦ ତାରିଖ ରାୟକୁ ଯଥାର୍ଥ ଦର୍ଶାଇ ଘଣ୍ଟଘୋଡ଼ାଇ ଚାଲିଥିଲେ । ତଥାକଥିତ ‘ବିଶେଷଜ୍ଞଗଣ’ଙ୍କ ମତାମତ ଯଥାର୍ଥ ବୋଲି ମନ୍ତ୍ରଣାଳୟ ଜୋରଦାର ସମର୍ଥନ କରିଥିଲେ । ଟିଭି, ପ୍ରିଣ୍ଟ ମିଡିଆ ଆଦି ଏହି ପ୍ରସଙ୍ଗକୁ ଜୋରଦାର ଉଠାଇବା ସହିତ ଚିନ୍ତାଜନକ ତଥ୍ୟ ଉପସ୍ଥାପନ କରିଥିଲେ । ମିଡିଆରେ ଦର୍ଶାଯାଇଥିଲା ଯେ, ସୁପ୍ରିମକୋର୍ଟଙ୍କ ପ୍ରଥମ ରାୟ ପ୍ରକାଶ ପରେ ପରେ ସରକାର ବହୁସଂଖ୍ୟାରେ ଆରାବଳୀ କ୍ଷେତ୍ରରେ ଖଣିଖନନ ଲିଜ୍କୁ ଅନୁମୋଦନ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ସମ୍ଭାବ୍ୟ ରହିତାଦେଶ ଲାଗୁ ଲାଗି କୌଣସି ପଦକ୍ଷେପ ନିଆଯିବା ଆଶଙ୍କାରେ ଅଥବା ସୁପ୍ରିମକୋର୍ଟ କାଳେ ତାଙ୍କ ରାୟର ପୁନର୍ବିଚାର କରିପାରନ୍ତି, ଏହି ଚିନ୍ତାରେ ଏପରି ତରବରିଆ ଲିଜ୍ ଅନୁମୋଦନ କରାଯାଇଛି । ସୁପ୍ରିମକୋର୍ଟ ତାଙ୍କର ସାନି ଆଦେଶରେ ଭିନ୍ନ ଚିନ୍ତା ପ୍ରକଟ କରିଛନ୍ତି ।

ସେ କହିଛନ୍ତି, ପୂର୍ବ ରାୟ ଉପରେ ସେପର୍ଯ୍ୟନ୍ତ ସ୍ଥଗିତାଦେଶ ରହିବ, ଯେପର୍ଯ୍ୟନ୍ତ ଆରାବଳୀ ପର୍ବତ ସଂଜ୍ଞା ନେଇ ସମସ୍ୟାର ଉଚିତ ସମାଧାନ ନହୋଇଛି । କହିବା ବାହୁଲ୍ୟ, ଯେଉଁ ବିଶେଷଜ୍ଞମାନେ ଆରାବଳୀ ଉପରେ ମତ ରଖିଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବେଶବିତ୍ ନୁହଁନ୍ତି, କେବଳ ପ୍ରଶାସନିକ ଅଧିକାରୀ । ପୁନଶ୍ଚ ମିଡିଆ ଆରୋପ, ନିଷ୍ପତ୍ତି ଗ୍ରହଣକାରୀଙ୍କ ଉପରେ ଖଣିମାଫିଆଙ୍କ ପ୍ରଭାବକୁ ଦର୍ଶାଉଥିବାବେଳେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଆରୋପକୁ ଖଣ୍ଡନ କରିବା ଲାଗି ଉପଯୁକ୍ତ ଜବାବ ମିଳିନାହିଁ । ମୋଟ୍ ଉପରେ ଆରାବଳୀ ନେଇ ଯାହାବି ଘଟିଛି ତାହା କେନ୍ଦ୍ର ମନ୍ତ୍ରଣାଳୟର ଭାବମୂର୍ତ୍ତିକୁ କ୍ଷୁଣ୍ଣ କଲା ଭଳି । ସେହିପରି ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାକୁ ନେଇ ପରିବେଶ ମନ୍ତ୍ରଣାଳୟ ନିଦାବିଷ୍ଣୁ ପାଲଟିଛି । ଦିଲ୍ଲୀ ଏବେ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ଅନ୍ୟତମ । ଗତବର୍ଷ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏ.କ୍ୟୁ.ଆଇ. ସ୍ତର ୫୦୦ରୁ ୧୦୦୦ ମଧ୍ୟରେ ରହିଆସିଥିବାବେଳେ, ଏସବୁ ଲାଗି ମନ୍ତ୍ରଣାଳୟ ପଞ୍ଜାବରେ ନଡ଼ା ଜଳାଇବା ଏବଂ ଆମ୍ ଆଦମୀ ପାର୍ଟିକୁ ଦାୟୀ କରିବାରେ ହିଁ ସନ୍ତୁଷ୍ଟ ରହିଛି । ଦିଲ୍ଲୀ ସରକାର ମଧ୍ୟ କ’ଣ କରିବେ କିଛି ବୁଝିପାରୁନାହାଁନ୍ତି । ପ୍ରଦୂଷଣ ଦିଲ୍ଲୀକୁ ଏକ ମାରାତ୍ମକ ସ୍ଥଳରେ ପରିଣତ କରିଥିବାବେଳେ, ଦାୟିତ୍ୱରେ ଥିବା ସମସ୍ତେ ଅସହାୟ ମନେ ହେଉଛନ୍ତି । ଏହା ମଧ୍ୟ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତିକୁ ମଳିନ କରୁନାହିଁ କି!

ଉନ୍ନାଓ ବଳାତ୍କାର ମାମଲାକୁ ଆସନ୍ତୁ! ସୁପ୍ରିମକୋର୍ଟ ନିକଟରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ଅଭିଯୁକ୍ତ କୁଲଦୀପ ସିଂ ସେନଗାରଙ୍କୁ ଆଜୀବନ କାରାଦଣ୍ଡାଦେଶକୁ ଖାରଜ କରିଦେବା ସହିତ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । ସେନଗାର୍ ବିଜେପି ସଦସ୍ୟତାରୁ ବହିଷ୍କୃତ ହୋଇଥିବା ଜଣେ ପୂର୍ବତନ ବିଧାୟକ । ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଲାଗୁ କରିବା ପାଇଁ ଆବେଦନ ଜଣାଇବାକୁ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ସର୍ବୋଚ୍ଚ ଅଦାଲତରେ ହାଜର ହୋଇଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ସେନଗାର୍ଙ୍କ ପରି ଜଣେ ବ୍ୟକ୍ତି କିପରି ବିଜେପିର ଆଗଧାଡ଼ିକୁ ଆସିପାରିଲେ? ପରିତାପର କଥା ହେଲା, ଏହି ପୂର୍ବତନ ବିଧାୟକ ଶିଶୁ ବଳାତ୍କାର ପରି ଜଘନ୍ୟ ମାମଲାରେ ଅଭିଯୁକ୍ତ ହୋଇଥିବାବେଳେ କିଛି ଲୋକ ପୀଡ଼ିତାଙ୍କୁ ଅପମାନିତ କରିବା ଏବଂ ନାଲିଆଖି ଦେଖାଇବା କାମରେ ଲାଗିପଡ଼ିଥିଲେ । ଅପରାଧର ବୈଷୟିକ ଦିଗକୁ ଦର୍ଶାଇ ସେମାନେ ସେନ୍ଗାରଙ୍କ ପକ୍ଷ ନେଇଆସୁଛନ୍ତି । କିନ୍ତୁ ସେମାନେ ଭୁଲିଯାଇଛନ୍ତି ଯେ, ସେହି ବାଳିକାର ପିତାଙ୍କୁ ହତ୍ୟା କରିବା ମାମଲାରେ ମଧ୍ୟ ସେନଗାର ଜେଲ୍ ଯାଇଛନ୍ତି । ପୀଡ଼ିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ନେଇ ସେନଗାର ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ । ଏଣୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ଯେ, ଅଭିଯୁକ୍ତ ହାଜତରୁ ଛାଡ଼ ପାଇବା ଅନୁଚିତ । ସମ୍ପୃକ୍ତ ମାମଲାରେ ଆଇନ ସମ୍ପନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବିଚାରକୁ ନେବାର ଆବଶ୍ୟକତା ରହିଛି । ଉନ୍ନାଓ ମାମଲାକୁ ଇଲେକ୍ଟ୍ରୋନିକ୍ ତଥା ଛାପା ଗଣମାଧ୍ୟମଗୁଡ଼ିକ ଜୋରଦାର ଉଠାଇ ଲୋକମତ ସୃଷ୍ଟି କରିଥିଲେ । ସମସ୍ତଙ୍କ ଆଗରେ ଥିଲା ରିପବ୍ଲିକ୍ ଟିଭି ।

ଉନ୍ନାଓ ମାମଲା ତଥା ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିଶେଷ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟଙ୍କ ବରିଷ୍ଠ ଓକିଲ ମହେଶ ଜେଠମାଲାନୀ । ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତିଉଭୟ ମାମଲାରେ ନ୍ୟାୟର ଗର୍ଭପାତକୁ ରୋକିଥିବା ପାଇଁ ସୁପ୍ରିମକୋର୍ଟ ହାର୍ଦ୍ଦିକ ଅଭିନନ୍ଦନର ପାତ୍ର ଅଟନ୍ତି ।

୨୫ଜଣଙ୍କ ଅମୂଲ୍ୟ ଜୀବନ ନେଇଥିବା ଗୋଆ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ କଥା ନକହିବା ଭଲ । ସେହି କ୍ଲବ୍ ଏକ ଦ୍ୱୀପରେ ଥିଲା ଏବଂ ଏହାର ପ୍ରବେଶ, ପ୍ରସ୍ଥାନ ପଥ ଥିଲା ଅତି ସଂକୀର୍ଣ୍ଣ । ଆହୁରି ଅନେକ ନିୟମର ଉଲ୍ଲଘଂନ କରିବା ସହିତ ଅଗ୍ନି ନିରାପତ୍ତା ଲାଗି କ୍ଲବରେ ଅନ୍ୟ କୌଣସି ବ୍ୟବସ୍ଥା ନଥିଲା । ସମସ୍ତ ନିୟମକୁ ଜଳାଞ୍ଜଳି ଦେଇଥିବା କ୍ଲବ୍କୁ ଲାଇସେନ୍ସ କିଏ ଦେଇଥିଲା? ଦୁର୍ନୀତିର ଅତିଶୟ ଦୁର୍ଗନ୍ଧ ଆସୁଥିବା ଏହି ଭୟାବହ କାଣ୍ଡ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଉତ୍ତରଦାୟୀ କରାଇବା ଜରୁରି ।

ଏସବୁ ଘଟଣାଠାରୁ ବଳିପଡ଼ିଛି ଇନ୍ଦୋର ସହରରେ ନର୍ଦ୍ଦମା ପାଣି ମିଶି ପାନୀୟଜଳ ପ୍ରଦୂଷିତ ହେବା ଏବଂ ଏହି ପାଣି ପିଇ ଇତିମଧ୍ୟରେ ପ୍ରାୟ ୧୦ଜଣଙ୍କ ଜୀବନ ଯିବା ଘଟଣା। ପୁଣି ସରକାରଙ୍କ ଏ ନେଇ ପ୍ରତିକ୍ରିୟା କ’ଣ ସାମ୍ବାଦିକମାନେ ଜାଣିବାକୁ ଚାହିଁବାରୁ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ସଦସ୍ୟ କୈଳାସ ବିଜୟଭର୍ଗୀୟ ଯେପରି ଜବାବ ଦେଲେ ତାହା ଆହୁରି ତାଜୁବ କରିଛି ସାଧାରଣ ଜନତାଙ୍କୁ । ସରକାର କ’ଣ କରୁଛନ୍ତି ବୋଲି ଜଣେ ଟିଭି ରିପୋର୍ଟର ପଚାରିଦେବାରୁ ମନ୍ତ୍ରୀ ରାଗି ପାଚିଯାଇଥିଲେ ଏବଂ ତାଙ୍କ ପାଟିରୁ ଖରାପ ଶବ୍ଦ ବାହାରିଥିଲା । କହିବା ବାହୁଲ୍ୟ, କୈଳାସ ବିଜୟଭର୍ଗୀୟ ଭଳି ନେତାମାନେ ସରକାର ଏବଂ ଦଳର ଆଖିଦୃଶିଆ କ୍ଷତି କରୁଛନ୍ତି ।

ପରିଶେଷରେ କହିବାକୁ ହେବ ଯେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପ୍ରୀତିକର ହେଉପଛକେ କଡ଼ା ପଦକ୍ଷେପ ନେବାର ବେଳ ଆସିଛି । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମେତ ଯେଉଁସବୁ ରାଜ୍ୟରେ ବିଜେପି ସରକାର ଚାଲିଛି ସେଠାକାର ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ ନେଇ ତାଙ୍କୁ କଠୋର ନିଷ୍ପତ୍ତି ନେବାକୁ ହେବ । ନଚେତ୍, ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଧୂମିଳ ହେବା ସୁନିଶ୍ଚିତ।