ନୂଆଦିଲ୍ଲୀ,୩୦/୦୬; ଘରୋଇ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ୨-୧ରେ ଟେଷ୍ଟ ସିରିଜ ବିଜୟୀ ହୋଇଛି । ଏଥିସହ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଇଂଲଣ୍ଡକୁ ତା’ ନିଜ ମାଟିରେ ୩ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପରାଜିତ କରିବାରେ ସଫଳ ହୋଇଛି । ଇଂଲଣ୍ଡ ୧-୦ରେ ଅଗ୍ରଣୀ ସତ୍ତେ୍ୱ ସିରିଜ ପରାଜୟ ଲଜ୍ଜା ମୁଣ୍ଡାଇଛି । ଏହି ମ୍ୟାଚ୍ ଶେଷ ହେବା ସହ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ବିଦାୟ ନେଇଛନ୍ତି । ଗତ ରବିବାର ସେ ଅବସର ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡର ଐତିହାସିକ ସିରିଜ ବିଜୟରେ ଅନ୍ୟତମ ଭୂମିକା ଗ୍ରହଣ କରିଥିବା ଡାରିଲ ମିଚେଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ଇଂଲଣ୍ଡ ପେସ୍ ବୋଲର ଜୋଫ୍ରା ଆର୍ଚର ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ ।

୩୭୩ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ପଞ୍ଚମ ଦିବସରେ ଆଜି ଅସମାପ୍ତ ଦ୍ୱିତୀୟ ଇନିଂସ୍ ୪/୧୦୩ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ଜୋ ରୁଟ୍ ୧୮ ଓ ଏମିଲିଓ ଗେ ୧୦ ରନ୍ କରି ପାଭିଲିୟନ ଫେରିଥିଲେ । ୱିକେଟ୍ କିପର ବ୍ୟାଟର ଜାମି ସ୍ମିଥ୍ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ ହେଁ ଅନ୍ୟ ପଟରୁ ତାଙ୍କୁ କେହି ସାଥ୍ ଦେଇ ନଥିଲେ । ଫଳରେ ଇଂଲଣ୍ଡ ଇନିଂସ୍ ୨୧୨ରନ୍ରେ ଅଟକି ଯାଇଥିଲା । ସ୍ମିଥ୍ ୮ଚୌକା, ୧ଛକା ବଳରେ ୬୦ରନ୍ କରିଥିବାବେଳେ ଗସ୍ ଆଟକିନ୍ସନ୍ ୧୯ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକ୍ ଫାଉଲକେସ୍ ୩ଟି, ନାଥାନ ସ୍ମିଥ୍ ଓ ମିଚେଲ ସାଣ୍ଟନର ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...Shashank Singh: ଅଡୁଆରେ IPL ଷ୍ଟାର ଶଶାଙ୍କ ଏବଂ IPS ବାପା, ଖାଇବା ସ୍ୱାଦ ନହେବାରୁ କୁକ୍ଙ୍କୁ ପିଟିଥିବା ଅଭିଯୋଗ

ପୂର୍ବରୁ ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ୪୩୮ରନ୍ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୩୫୪ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ୮୪ରନ୍ ଆଗୁଆ ଥାଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ୍‌ରେ ୯/୨୮୮ ରନ୍ କରି ଘୋଷଣା କରିବା ସହ ଇଂଲଣ୍ଡ ସାମ୍ନାରେ ୩୭୩ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଇନିଂସ୍‌ରେ ଟମ୍ ଲାଥମ ୧୫୧, ଡେଭନ କନୱେ ୧୫୭ରନ୍ କରିଥିବାବେଳେ ଇଂଲଣ୍ଡ ପକ୍ଷରୁ ବେନ୍ ଡକେଟ ପ୍ରଥମ ଇନିଂସ୍‌ରେ ଶତକ ଅର୍ଜନ କରିଥିଲେ ।