ନୂଆଦିଲ୍ଲୀ, ୩୦।୬: ସନ୍ତ୍ରାସବାଦକୁ ନିଜର ଜାତୀୟ ନୀତି ଭାବେ ଆପଣେଇଥିବା ପଡ଼ୋଶୀ ଦେଶ ଭାରତକୁ ନାଲି ଆଖି ଦେଖାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସ୍ପଷ୍ଟ କରିଦେଇଛି ଯେ 'ରକ୍ତ ଏବଂ ପାଣି ଏକାଠି ବହିପାରିବ ନାହିଁ' । ଏହାସହ ଭାରତ ସିନ୍ଧୁ ଜଳ ଚୁକ୍ତି (IWT) କୁ ସ୍ଥଗିତ ରଖିଛି । ଏଭଳି ପରିସ୍ଥିତିରେ ଟୋପାଏ ପାଣି ପାଇଁ ଡହଳବିକଳ ହେଉଥିବା ପାକିସ୍ତାନ ଏବେ ଭାରତକୁ ଫମ୍ପା ଧମକ ଦେଇଛି । ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ୍ ମଲିକ୍ କହିଛନ୍ତି, "ଯିଏ ଆମ ପାଣି ଉପରେ ହାତ ପକାଇବ, ଆମେ ତାର ହାତ କାଟି ଦେବୁ ।"

ପ୍ରସଙ୍ଗକୁ ବିଶ୍ୱ ଦରବାରକୁ ନେବାକୁ ପାକିସ୍ତାନର ଚକ୍ରାନ୍ତ:

ପାକିସ୍ତାନୀର ଏକ ଖବରକାଗଜର ରିପୋର୍ଟ ଅନୁଯାୟୀ, ଗତ ସୋମବାର ମୁସାଦିକ୍ ମଲିକ୍ କହିଛନ୍ତି ଯେ ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତି ବିବାଦକୁ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନରଖି ଆଗକୁ ନେବାକୁ ଚେଷ୍ଟା କରୁଛି । କାଶ୍ମୀର ପ୍ରସଙ୍ଗ ଭଳି ଏହି ମାମଲାରେ ମଧ୍ୟ ତୃତୀୟ ପକ୍ଷ ବା ଅନ୍ୟ ଦେଶଗୁଡ଼ିକୁ ସାମିଲ କରିବାକୁ ପାକିସ୍ତାନ ନିରାଶାଜନକ ପ୍ରୟାସ କରୁଛି । ଏହି ପ୍ରସଙ୍ଗକୁ ନ୍ୟାୟ, ମୌଳିକ ଅଧିକାର ଏବଂ ନଦୀର ତଳ ମୁଣ୍ଡରେ ଥିବା ଦେଶଗୁଡ଼ିକର ଜଳ ସୁରକ୍ଷା ସହ ଯୋଡ଼ି ଏକ ବୈଶ୍ୱିକ ମାମଲା ଭାବେ ଉପସ୍ଥାପନ କରିବାକୁ ମଲିକ୍ ଦାବି କରିଛନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​Mathura Road Accident: ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା; ବସ୍-ଟ୍ରଲର ଧକ୍କାରେ ୪ ମୃତ, ୨୦ ଆହତ

"ପାଣି ଶୁଖିଯିବ ପଛେ ଆତଙ୍କବାଦ ଛାଡ଼ିବୁନି"

ମୁସାଦିକ୍ ମଲିକ୍ ସିନ୍ଧୁ ନଦୀକୁ ଏକ ନାଳ ସହ ତୁଳନା କରି କହିଛନ୍ତି, "ଏହାର ହ୍ୟାଣ୍ଡେଲ ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀଙ୍କ ହାତରେ ଅଛି, ଯିଏ କହୁଛନ୍ତି ଯେ ପାକିସ୍ତାନକୁ ଟୋପାଏ ହେଲେ ବି ପାଣି ଛଡ଼ାଯିବ ନାହିଁ ।" ପାକିସ୍ତାନର ଅର୍ଥନୀତି ସମ୍ପର୍କରେ ସେ କହିଛନ୍ତି, ଦେଶର ୪୦% ରୁ ୫୦% ଜନସଂଖ୍ୟା ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ । କୃଷି କ୍ଷେତ୍ର ଦେଶର ଜିଡିପିକୁ ୨୦% ରୁ ୨୫% ଯୋଗଦାନ ଦେଇଥାଏ । ପାକିସ୍ତାନର ଖାଦ୍ୟ ସୁରକ୍ଷା ସମ୍ପୂର୍ଣ୍ଣ ଭାବେ ଏହି ଜଳ ଉପରେ ନିର୍ଭର କରେ । ସେ ଅଭିଯୋଗ କରିଛନ୍ତି ଯେ, ନଦୀର ଗତିପଥ ଉପରେ ନିଷ୍ପତ୍ତି ନେବାର ଅଧିକାର କେବଳ ଉପର ମୁଣ୍ଡରେ ଥିବା ଦେଶ ହାତରେ ରହିବା ଉଚିତ୍ ନୁହେଁ, କାରଣ ଏହା ଦ୍ୱାରା ସାରା ବିଶ୍ୱର ନଦୀ ବ୍ୟବସ୍ଥା ପ୍ରଭାବିତ ହେବ ।

ଗତ ବର୍ଷ ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା । ଏହା ଅଧୀନରେ ୧୯୬୦ ମସିହାର 'ସିନ୍ଧୁ ଜଳ ଚୁକ୍ତି' (IWT) କୁ ସ୍ଥଗିତ ରଖାଯାଇଛି । ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତି ଦୀର୍ଘ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ଜଳ ବଣ୍ଟନକୁ ନିୟନ୍ତ୍ରଣ କରିଆସୁଥିଲା । ଏବେ ଭାରତ ସଫା ସଫା ଜଣାଇ ଦେଇଛି ଯେ, ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦର ରାସ୍ତା ଛାଡ଼ି ନାହିଁ, ସେ ପର୍ଯ୍ୟନ୍ତ ତାକୁ ପାଣି ମିଳିବ ନାହିଁ । ଭାରତ ନିଜ ଇଚ୍ଛା ମୁତାବକ ସିନ୍ଧୁ ନଦୀର ଜଳ ବ୍ୟବହାର କରିବ ।