ନୂଆଦିଲ୍ଲୀ,୨୦।୧୦: ୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ ଜିତିଛି ନ୍ୟୁଜିଲାଣ୍ଡ। ବେଙ୍ଗଳୁରୁ ଟେଷ୍ଟ ମ୍ୟାଚ ଜିତି ଏହି ରେକର୍ଡ କରିଛି କିୱି ଟିମ୍। ସଙ୍ଘର୍ଷ ସତ୍ତ୍ୱେ ଭାରତ ହାତରୁ ଖସି ଯାଇଛି ଏହି ମ୍ୟାଚ୍। ୮ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଛି ଭ୍ରମଣକାରୀ ଦଳ । ୧୦୭ ରନର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଅନ୍ତିମ ଦିନରେ ୮ ଓ୍ବିକେଟ ବିନିମୟରେ କ୍ବିଓ୍ବି ଦଳ ମ୍ୟାଚ୍ ଜିତି ନେଇଛି। ଏହି ବିଜୟ ସହ ୧-୦ ରେ ଆଗରେ ରହିଛି ନ୍ୟୁଜିଲାଣ୍ଟ ଟିମ୍
ବର୍ଷା ବାଧକ ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ୧୦୭ ରନର ଟାର୍ଗେଟ ଦେଇଥିଲା, ଯାହାକୁ ସହଜରେ ଜିତି ନେଇଛି ଟମ୍ ଲାଥମଙ୍କ ବାହିନୀ। ଟେଷ୍ଟ ମ୍ୟାଚର ଶେଷ ଦିନରେ ଆଜି ମାତ୍ର ୨ ୱିକେଟ ହରାଇ ଟାର୍ଗେଟ ହାସଲ କରିନେଇଥିଲା ଭ୍ରମଣକାରୀ ଟିମ୍। ଅକ୍ଟୋବର ୧୬ ରେ ବେଙ୍ଗାଲୁରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା କାରଣରୁ ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇ ଯାଇଥିଲା। ଏହାପରେ ଦ୍ୱିତୀୟ ଦିନରେ ମ୍ୟାଚ୍ ଆରମ୍ଭ ହୋଇ ଥିବାବେଳେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ଆଉ ରୋହିତଙ୍କ ଏହି ନିଷ୍ପତ୍ତି ଟିମ୍ ଇଣ୍ଡିଆ ଉପରେ ପଡିଥିଲା ଭାରି।
ପ୍ରଥମ ଇନିଂସରେ ଦଳ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ମାତ୍ର ୪୬ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ। ଦଳର ପାଞ୍ଚ ଜଣ ଖେଳାଳି ଖାତା ଖୋଲି ପାରିନଥିଲେ। ଏହାପରେ ନିଜର ପ୍ରଥମ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲ୍ୟାଣ୍ଡ। ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ୪୦୨ ରନ୍ କରିଥିଲା। ଦଳ ପକ୍ଷରୁ ରଚିନ ରବୀନ୍ଦ୍ର ୧୩୪ ରନର ଶତକୀୟ ପାଳି ଖେଳି ଥିବାବେଳେ ଡେଭନ କନୱେ ୯୧ ରନ୍ କରିଥିଲେ। ଏହା ପରେ ନିଜର ଦ୍ୱିତୀୟ ଇନିଂସରେ ଭାରତ ଦମଦାର ଆରମ୍ଭ କରିଥିଲା। ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୪୬୨ ରନ୍ କରିଥିଲା। ଶର୍ଫରାଜ ଖାନ ୧୫୦ ରନର ବଡ଼ ଭାଗିଦାରୀ ଯୋଡ଼ିଥିଲେ। ସେହିପରି ଋଷଭ ପନ୍ତ ୯୯, ବିରାଟ କୋହଲି ୭୦, ରୋହିତ ଶର୍ମା ୫୨ ଦଳ ପକ୍ଷରୁ ବଡ଼ ସ୍କୋର କରିଥିଲେ।