ନୂଆଦିଲ୍ଲୀ,୦୮/୦୨; କ୍ରିକେଟ୍ ପ୍ରେମୀ ରେଡ୍ଡୀ ହୋଇଯାଆନ୍ତୁ । ସୁପର ସନଣ୍ଡେରେ ଆଜି ଜମିବ ଖେଳ । ଟିଭି ଆଗରୁ ମିଳିବନି ଫୁର୍ସତ । ବ୍ୟାକ୍ ଟୁ ବ୍ୟାକ୍ ରହିଛି ବିଶ୍ୱକପ ମ୍ୟାଚ । ଗୋଟିଏ ଦିନରେ ଟ୍ରିପଲ ଟକ୍କର । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଦ୍ୱିତୀୟ ଦିବସରେ ୩ଟି ମ୍ୟାଚ ଖେଳାଯିବ । ୨୦୨୪ ସଂସ୍କରଣରେ ସେମି ଫାଇନାଲ୍ ଖେଳିଥିବା ଆଫଗାନିସ୍ତାନ ଏଥର ଟାଇଟଲ ଦାବିଦାର ରୂପେ ଗଣା ହେଉଛି । ମାତ୍ର ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମୁକାବିଲା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ନିଶ୍ଚିତ । ୨୦୨୪ ବିଶ୍ୱକପ୍ପେ ଆଫଗାନିସ୍ତାନ ୮୪ ରନ୍ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଫଜଲହକ ଫାରୁକି, ରସିଦ ଖାନ ଓ ମହମ୍ମଦ ନବିଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ମାତ୍ର ୭୫ ରନ୍ରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ସେବେଠୁ ଉଭୟ ଦଳ କୌଣସି ଫର୍ମାଟ୍ରେ ସାମ୍ନା ସାମ୍ନି ହୋଇ ନାହାନ୍ତି ।
ତେଣୁ ଆଜିର ମ୍ୟାଚକୁ ନେଇ ଉତ୍କଣ୍ଠା ଦ୍ୱିଗୁଣା ହୋଇଛି । ନ୍ୟୁଜିଲାଣ୍ଡ ଆଜି ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ମାତ୍ର ଏଥିପାଇଁ ନ୍ୟୁଜିଲାଣ୍ଡ ଦଳକୁ ପ୍ରଥମେ ଆଫଗାନିସ୍ତାନର ସ୍ପିନ ବାହିନୀର ଉପଯୁକ୍ତ ମୁକାବିଲା କରିବାକୁ ହେବ । ଚିପକ ଷ୍ଟାଡ଼ିୟମ୍ର ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରିବାର ରେକର୍ଡ ରହିଛି । ମାତ୍ର ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ପିଚ୍ ଓ ଆଉଟ୍ ଫିଲ୍ଡ ପ୍ରସ୍ତୁତ କରାଯାଇଛି । ତଥାପି ସ୍ପିନରମାନେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି ।
ନ୍ୟୁଜିଲାଣ୍ଡ ଏକାଦଶ: ଫିନ ଆଲେନ, ଟିମ ସାଇଫର୍ଟ, ରଚିନ ରବିନ୍ଦ୍ର/ଡେଭନ କନୱେ, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ମାର୍କ ଚାପମାନ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), ଲୋକି ଫର୍ଗୁସନ, ମାଟ ହେନରୀ, ଆଇସ ସୋଦ୍ଧି ।
ଆଫଗାନିସ୍ତାନ ଏକାଦଶ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡ୍ରାନ, ସେଦ୍ଦିକୁଲ୍ଲା ଅଟଳ, ଡାରୱିସ ରସୁଲି, ମହମ୍ମଦ ନବି, ଗୁଲବଦ୍ଦିନ ନାଇବ, ଅଜମତୁଲ୍ଲା ଓମାରଜାଇ, ରସିଦ ଖାନ (ଅଧିନାୟକ), ମୁଜିବ ଉର ରେହମାନ, ଫଜଲହକ ଫାରୁକି, ନୂର ଅହମ୍ମଦ ।
ନେପାଳ ବିପକ୍ଷରେ ଦାବିଦାର ଇଂଲଣ୍ଡ- ୨ଥର ଚାମ୍ପିଅନ୍ ହୋଇ ସାରିଥିବା ଇଂଲଣ୍ଡ ଦଳ ଆଜି ନେପାଳ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବେ । ଏହି ମ୍ୟାଚରେ ଇଂଲଣ୍ଡର ପଲା ଭାରି ରହିଥିଲେ ହେଁ ନେପାଳ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଗୋଟିଏ ପଟେ ଇଂଲଣ୍ଡର ବିଧ୍ୱଂସୀ ବ୍ୟାଟିଂ ବିଭାଗ ରହିଛି । ନେପାଳର ସ୍ପିନ୍ ବାହିନୀ ଘାତକ ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସନ୍ଦିପ ଲାମିଚେନଙ୍କ ଉପରେ ନେପାଳର ଭାଗ୍ୟ ନିର୍ଭର କରିବ । ସେହିପରି ବାମ ହାତି ସ୍ପିନର ଲଳିତ ରାଜବଂଶୀ, ଦୀପେନ୍ଦ୍ର ସିଂ ଆଇରି ଓ ବସିର ଅହମ୍ମଦ ମଧ୍ୟ ୱିକେଟ୍ ହାତେଇବାର କ୍ଷମତା ରଖିଛନ୍ତି । ନେପାଳ ଦଳରେ ୪ଜଣ ଅଲ୍ରାଉଣ୍ଡର ରହିଛନ୍ତି । ଏମାନେ ନିୟମିତ ଭାବେ ଦଳର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ତେଣୁ ଇଂଲଣ୍ଡକୁ ସତର୍କ ରହିବା ଜରୁରି । ରାତି ୭ଟାରେ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ମଧ୍ୟରେ ମୁକାବିଲା ଖେଳାଯିବ ।
ଏହା ବି ପଢନ୍ତୁ...ନିଷ୍ପତ୍ତି ବଦଳାଇବ ପାକିସ୍ତାନ, କହିଲା ଭାରତ ବିପକ୍ଷରେ....
ଇଂଲଣ୍ଡ ଏକାଦଶ: ଫିଲ ସଲ୍ଟ, ଜୋସ ବଟଲର, ଜାକବ ବେଥେଲ, ଟମ ବାଣ୍ଟନ, ହ୍ୟାରୀ ବ୍ରୁକ୍ (ଅଧିନାୟକ), ସାମ କୁରାନ, ୱିଲ ଜ୍ୟାକ୍ସ, ଲାଏମ ଡାଓସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ଲ୍ୟୁକ ଉଡ୍ ।
ନେପାଳ ଏକାଦଶ: କୁଶଲ ଭୁର୍ତେଲ, ଆସିଫ ଶେଖ, ଦୀପେନ୍ଦ୍ର ସିଂ ଆଇରି, ଆରିଫ ଶେଖ, ରୋହିତ ପୌଡ଼େଲ (ଅଧିନକ), ଲୋକେଶ ବାମ, ଗୁଲଶନ ଝା, କରନ କେସି, ନନ୍ଦନ ଯାଦବ, ସନ୍ଦିପ ଲାମିଚେନ, ଲଳିତ ରାଜବଂଶୀ ।
ବିପର୍ଯ୍ୟୟ ଲକ୍ଷ୍ୟରେ ଆୟର୍ଲାଣ୍ଡ- ୨୦୦୯ରୁ ୨୦୧୪ ବିଶ୍ୱକପ୍ର ସମସ୍ତ ୪ଟି ଯାକ ସଂସ୍କରଣରେ ସେମି ଫାଇନାଲ ଖେଳିଥିବା ଶ୍ରୀଲଙ୍କା ଦଳ ବର୍ତ୍ତମାନ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛି । ଗତ ୪ଟି ବିଶ୍ୱକପ ସଂସ୍କରଣର ନକ ଆଉଟ୍ ରାଉଣ୍ଡକୁ ଉନ୍ନୀତ ହୋଇପାରି ନଥିବା ଶ୍ରୀଲଙ୍କା ଏଥର ଘରୋଇ ପରିବେଶ ଓ ସମର୍ଥନର ଫାଇଦା ଉଠାଇବାକୁ ପ୍ରୟାସ କରିବ । ଆୟର୍ଲାଣ୍ଡ ଗତ ୨୦୨୪ ସଂସ୍କରଣରେ ଗୋଟିଏ ହେଲେ ମ୍ୟାଚ ଜିତିପାରି ନଥିଲା । ମାତ୍ର ଏଥର ଏକ ସନ୍ତୁଳିତ ଦଳ ସହ ବିଶ୍ୱକପ୍କୁ ଓହ୍ଲାଇବାକୁ ଯାଉଛି । ପ୍ରେମଦାସା ଷ୍ଟାଡ଼ିୟମ୍ର ମନ୍ଥର ପିଚ୍ରେ ରନ ସଂଗ୍ରହ କଷ୍ଟକର ହେବ । ମାତ୍ର ସ୍ପିନରମାନେ ପିଚ୍ର ଭରପୁର ଫାଇଦା ଉଠାଇବେ । ପୂର୍ବ ପ୍ରଦର୍ଶନକୁ ଦେଖିଲେ ଶ୍ରୀଲଙ୍କାର ପଲା ଭାରି । ମାତ୍ର ଆୟର୍ଲାଣ୍ଡ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି ।
ସମ୍ଭାବ୍ୟ ଶ୍ରୀଲଙ୍କା ଏକାଦଶ: ପଥୁମ ନିଶଙ୍କା, କାମିଲ ମିଶରା, କୁଶଲ ମେଣ୍ଡିସ, କୁଶଲ ପେରେରା, କାମିଣ୍ଡୁ ମେଣ୍ଡିସ, ଡାସୁନ ଶଣକା, ଦୁନିଥ ୱେଲାଲଗେ, ୱାନିଣ୍ଡୁ ହସରଙ୍ଗା, ଦୁଷ୍ମନ୍ତ ଚାମୀରା, ମହୀଶ ତୀକ୍ଷଣା, ମଥିଶା ପତିରଣା ।
ସମ୍ଭାବ୍ୟ ଆୟର୍ଲାଣ୍ଡ ଏକାଦଶ: ପଲ ଷ୍ଟର୍ଲିଂ (ଅଧିନାୟକ), ରସ ଆଡେୟର, ହ୍ୟାରୀ ଟେକ୍ଟର, ଲୋର୍କାନ ଟକର, କର୍ଟିସ କାମ୍ଫର, ବେନ କ୍ୟାଲିଜ, ଜର୍ଜ ଡକରେଲ, ଗ୍ୟାରେଥ ଡେଲାନି, ମାର୍କ ଆଡେୟର, ବ୍ୟାରୀ ମ୍ୟାକ କାର୍ଥୀ/ ଜୋଶୁଆ ଲିଟିଲ, ମାଥ୍ୟୁ ହମ୍ପ୍ରିସ ।