ନୂଆଦିଲ୍ଲୀ ୦୬/୧୨: ଭାରତରେ ବିବାହ ଉତ୍ସବ ବଡ଼ ଆକାରରେ ପାଳନ ହୋଇଥାଏ । ଘରେ ବନ୍ଧୁବାନ୍ଧବ ଏକାଠି ହୁଅନ୍ତି । ଆରମ୍ଭ ହୋଇଯାଏ ସେଲିବ୍ରେସନ୍ । କିନ୍ତୁ ଏଥର ବିବାହ ପର୍ବକୁ ଖଇଚା କରିଦେଇଛି ଇଣ୍ଡିଗୋ ସଂକଟ । ବର୍ତ୍ତମାନ ଇଣ୍ଡିଗୋ ଏୟାର୍‌ଲାଇନ୍ସରେ ଦେଖାଦେଇଥିବା ଅଚଳାବସ୍ଥା ଯୋଗୁ ବିବାହ ପାର୍ଟି କାଜୁଆଲିଟିକୁ ଚାଲିଯାଇଛି ।

ହଜାର ହଜାର ବିମାନ ବାତିଲ ହେବା ଫଳରେ ବିବାହ ସ୍ଥଳରେ ପହଞ୍ଚି ପାରୁନାହାନ୍ତି ବରବଧୂ ଓ ବନ୍ଧୁବାନ୍ଧବ । ଏପରିକି ଜଣେ ଦମ୍ପତି ନିଜ ବିବାହ ଭୋଜିରେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେବାକୁ ବାଧ୍ୟ ହୋଇଛନ୍ତି । ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଏହି ନବବିବାହିତ ଦମ୍ପତି ଏକ ବଡ଼ ସ୍କ୍ରିନ୍‌ରେ ଭିଡିଓ କନ୍‌ଫରେନ୍ସିଂରେ ନିଜ ବିବାହ ଭୋଜିରେ ଯୋଗ ଦେଇଛନ୍ତି ଏବଂ କାର୍ଯ୍ୟକ୍ରମସ୍ଥଳରେ ପୂର୍ବରୁ ପହଞ୍ଚିଥିବା ଅତିଥିଙ୍କୁ କ୍ଷମା ମାଗିଛନ୍ତି । କିଛି ପରିବାର ବିବାହ ଉତ୍ସବକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଥିବାବେଳେ ଏକ ପରିବାର ଦାମୀ ଚାର୍ଟର ଫ୍ଲାଇଟ୍ ବୁକ୍ କରିଥିବା ଜଣାପଡ଼ିଛି । ଏପରିକି ଭାରତରେ ଅବସ୍ଥାପିତ ସିଙ୍ଗାପୁର ହାଇ କମିଶନର ସିମୋନ୍ ୱଙ୍ଗ୍ ବି ଏହି ସମସ୍ୟା ମଧ୍ୟରେ ଫସିଛନ୍ତି । ସେ ନିଜ ‘ଏକ୍ସ’ ପୋଷ୍ଟ୍‌ରେ ଲେଖିଛନ୍ତି, ତାଙ୍କ ବିମାନ ବାତିଲ ହୋଇଯିବାରୁ ସେ ପୂର୍ବ ଭାରତର ଦେଓଘରରେ ନିଜର ଜଣେ ଷ୍ଟାଫ୍ ସଦସ୍ୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇପାରିଲେ ନାହିଁ ।

ଏକ ଇକ୍ୱିଟି ରିସର୍ଚ୍ଚ କମ୍ପାନିର ପ୍ରତିଷ୍ଠାତା ଅମିତ କୁମାର ଗୁପ୍ତା କହିଛନ୍ତି, ଇଣ୍ଡିଗୋ ବିମାନରେ ଦେଖା ଦେଇଥିବା ଅଚଳାବସ୍ଥା ଯୋଗୁ ଚଳିତ ସପ୍ତାହ ଗୋଆରେ ହେବାକୁ ଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କ ବିବାହ ସେଲିବ୍ରେସନ୍ ବାତିଲ ହୋଇଛି । ଏହା ଜାନୁଆରୀରେ ହେବ । ବରବଧୂ ବିବାହ ସ୍ଥଳରେ ପହଞ୍ଚିଯାଇଥିଲେ । କିନ୍ତୁ ବିମାନ ବାତିଲ ଯୋଗୁ ଦିଲ୍ଲୀରୁ ଏକାଠି ଯିବାକୁ ଥିବା ପରିବାର ସଦସ୍ୟ ପହଞ୍ଚିପାରିଲେନି । ଗୋଆରେ ବିବାହ ଭେନ୍ୟୁ କ୍ରେଡିଟ୍ ନୋଟ୍ ଦେଇଥିବାବେଳେ ଅର୍ଥ ଫେରସ୍ତ କରି ନ ଥିବା ସେ କହିଛନ୍ତି । ବେଙ୍ଗାଲୁରୁ ବିମାନବନ୍ଦରରେ ହତାଶ ହୋଇ ବସିଥିବା ସାଇର୍ଥ କେ.ଜି.ଏଫ୍ କୁହନ୍ତି, ପୁରୀରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ବର ପକ୍ଷରୁ ୮୦ ଜଣ ଏବଂ ନିଜେ ବର ବିବାହ ସ୍ଥଳରେ ପହଞ୍ଚି ପାରିନାହାନ୍ତି । ବିବାହ ଶନିବାର (ଆଜି) ଅଛି । ବର୍ତ୍ତମାନ ଆମେ ଚାର୍ଟର ବିମାନ ବୁକ୍ କରିବାକୁ ବାଧ୍ୟ ହୋଇଛୁ ।