ଭୁବନେଶ୍ୱର, ୨୩/୦୫ : ରେଳୱେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାକୁ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଗୁରୁତର ସହ ନେଇଛନ୍ତି । ମାମଲାରେ କେବଳ ଭିଡ଼ ହତ୍ୟା ନୁହେଁ, ବରଂ ଜଣେ ବରିଷ୍ଠ ଆଇପିଏସ୍‌ଙ୍କ ଶୋଷଣକୁ ନେଇ ଅଭିଯୋଗ ଉଠିଛି । ଖୋଦ୍‌ ଏନ୍‌ଏଚ୍‌ଆର୍‌ସି ଡିଜି(ତଦନ୍ତ) ଘଟଣାସ୍ଥଳ ଗସ୍ତ କରି ସରଜମିନ୍‌ ତଦନ୍ତ କରିବେ ବୋଲି ଆୟୋଗ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏନ୍‌ଏଚ୍‌ଆର୍‌ସି ରାଜ୍ୟ ପ୍ରମୁଖ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଙ୍କୁ ରିପୋର୍ଟ ତଲବ କରିଛନ୍ତି । ଭିଡ଼ ହତ୍ୟାର ତଦନ୍ତ ସାରି ୨ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏଟିଆର) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୭ ତାରିଖରେ ବାଲିଅନ୍ତାରେ ଲୋକମାନେ ପିଟିପିଟି ସୌମ୍ୟଙ୍କୁ ମାରିଦେଇଥିବା ନେଇ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ପିଟିସନ ଦାଖଲ କରିଥିଲେ । ଜଣେ ଅତିରିକ୍ତ ଡିଜି ପାହ୍ୟା ଆଇପିଏସ୍‌ଙ୍କ କ୍ଷମତାର ଅପବ୍ୟବହାର କରି ସୌମ୍ୟଙ୍କୁ କେମିତି ଘରୋଇ ଗୁଲାମ ଭଳି ଖଟାଉଥିଲେ, ସେନେଇ ପିଟିସନରେ ଉଲ୍ଲେଖ କରିଥିଲେ । ସେପଟେ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ, ପୁଲିସ ଅଧିକାରୀଜଣକ ବାସଭବନରେ ବ୍ୟକ୍ତିଗତ କାମ କରିବାକୁ ବାଧ୍ୟ କରୁଥିଲେ । ବଡି ମାଲିସ କରିବାକୁ ମନା କଲେ, ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ତଳିଆ ପୁଲିସ କର୍ମଚାରୀଙ୍କୁ ଏଭଳି ଖଟାଇବା ନିହାତି ଭାବେ ମାନବ ଅଧିକାର କ୍ଷୂର୍ଣ୍ଣ ବୋଲି ଆୟୋଗ ଦର୍ଶାଇଛନ୍ତି । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସରକାରୀ ରିପୋର୍ଟ ଉପରେ ଭରସା କରିନାହାନ୍ତି ଆୟୋଗ । ଏନଏଚ୍‌ଆର୍‌ସି (ଡିଜି)ଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରି ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଆୟୋଗ ଆଦେଶ ଦେଇଛନ୍ତି । ଆସନ୍ତା ମାସ ୪ ତାରିଖ ସୁଦ୍ଧା ଏହି ସରଜମିନ୍‌ ତଦନ୍ତର ସବିଶେଷ ରିପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆରସି (ଡିଜି) ଆଦେଶିତ ହୋଇଛନ୍ତି । 

ସେପଟେ ହତ୍ୟା ମାମଲାରେ ୧୫ ଜଣ ମୁଦଲା ଝାରପଡ଼ା ସ୍ୱତନ୍ତ୍ର କାରାଗାରରୁ ଭର୍ଚୁଆଲ ମୋଡ୍‌ରେ ଏସ୍‌ଡିଜେଏମ୍‌ରେ ହାଜର ହୋଇଛନ୍ତି । ବିଚାରପତି ଅମିତ୍‌ କୁମାର ସମସ୍ତ ମୁଦଲାଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି । ସେମାନଙ୍କ ନାମ ପଚାରି ବୁଝିବା ସହ ସ୍ଥିତି ପରଖିଛନ୍ତି । ସୂଚନାଯୋଗ୍ୟ, କୌଣସି ମାମଲାରେ ଅଭିଯୁକ୍ତ ଗିରଫ ହେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥାଏ । ଗତକାଲି ରିମାଣ୍ଡ ତାରିଖ ଥିବାରୁ ଅଭିଯୁକ୍ତମାନେ ବ୍ୟକ୍ତିଗତ ଭାବେ ଏସଡିଜେଏମ୍‌ରେ ହାଜର ହୋଇଥାନ୍ତେ । କିନ୍ତୁ ସେମାନେ ଜେଲ ଭିତରୁ ଭିସିରେ ଅଦାଲତରେ ହାଜର ହୋଇଥିଲେ ।

ଏହି ଖବରଟିକୁ ପଢନ୍ତୁBalianta Mob Lynching: ମୋ’ ଭଣଜାର ମୃତ୍ୟୁ ପାଇଁ ସେହି ୨ ଝିଅ ଓ ପୁଲିସ କର୍ମଚାରୀ ଦାୟୀ, ସୋସିଆଲ୍‌ ମିଡିଆରେ ବର୍ଷିଲେ ସୌମ୍ୟଙ୍କ ମାମୁ