.ମାନହଟ୍ଟନ ଫେଡେରାଲ କୋର୍ଟରେ ଚାଲିବ ମାମଲା

.ଆକ୍ରମଣରେ ଭେନେଜୁଏଲାରେ ୪୦ ମୃତ

.ଅନେକ ଆବାସିକ କୋଠା ଧ୍ୱସ୍ତବିଧ୍ୱସ୍ତ

.ଜାତିସଂଘ ସୁରକ୍ଷା ପରିଷଦର ଜରୁରି ବୈଠକ

.ଆମେରିକାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

.ଭାରତ କହିଲା ଗଭୀର ଚିନ୍ତାଜନକ ବିଷୟ

.ତୁରନ୍ତ ମାଦୁରୋଙ୍କୁ ଛାଡ଼ିବାକୁ ଚୀନ୍‌ର ତାଗିଦ

.ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ସ

ୱାଶିଂଟନ,୦୫/୦୧: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାର ଭବିଷ୍ୟତ ଏବେ ଅନିଶ୍ଚିତତାରେ । ଦେଶର ସ୍ଥିତି ଆଗକୁ କ’ଣ ହେବ, ତାହା ସମ୍ପୂର୍ଣ୍ଣ ଆମେରିକା ଉପରେ ନିର୍ଭରଶୀଳ । ଭେନେଜୁଏଲା ଉପରେ ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଉଠାଇ ନେଇଥିଲା ଆମେରିକା । ଏବେ ତାଙ୍କୁ ବ୍ରୁକ୍‌ଲିନସ୍ଥିତ ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରରେ ବନ୍ଦୀ ରଖାଯାଇଛି । ମାନ୍‌ହଟ୍ଟନ ଫେଡେରାଲ କୋର୍ଟରେ ତାଙ୍କର ଶୁଣାଣି ଚାଲିବ । ମାଦୁରୋଙ୍କୁ ଯେଉଁ ଜେଲରେ ରଖାଯାଇଛି, ତାକୁ ‘ନର୍କ’ ବିବେଚନା କରାଯାଏ । ଏହା ବେଶ୍ ବିବାଦୀୟ ଓ ବଦନାମ । ହିଂସା, ଘନ ଅନ୍ଧାର ଏବଂ ଅନେକ ଅବ୍ୟବସ୍ଥାରେ ଏହା ଭରପୂର । ଏଠି ସଜା କାଟିବା କଷ୍ଟକର ହୋଇଥିବାରୁ କଏଦୀମାନେ ଆତ୍ମହତ୍ୟା କରିଥାନ୍ତି । ଗତ ୩ ବର୍ଷରେ ୪ କଏଦୀ ଜୀବନ ହାରିଥିଲେ । କଏଦୀଙ୍କୁ ଦିଆଯାଉଥିବା ଖାଦ୍ୟରେ ପୋକ, ଅସରପା ଆଦି ମିଳିବା ସାଧାରଣ ଘଟଣା ।

ଏବେ ମାଦୁରୋଙ୍କ ସ୍ଥିତି କ’ଣ ହେବ, ତାହା ଉପରେ ପ୍ରଶ୍ନବାଚୀ । ୧୯୯୦ ଦଶକରେ ଖୋଲିଥିବା ଏହି ଜେଲରେ ଏବେ ପ୍ରାୟ ୧୩୦୦ କଏଦୀ ଅଛନ୍ତି ।  ଆମେରିକାର ହମ୍‌ଲାରେ ଭେନେଜୁଏଲାରେ ଅନ୍ୟୂନ ୪୦ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ସୈନିକ ଓ ୪ ସାଧାରଣ ଲୋକ ରହିଛନ୍ତି । ଏହାଛଡ଼ା ଅନେକ ବଡ଼ ବଡ଼ ଆବାସିକ କୋଠା ଭାଙ୍ଗି ଧ୍ୱଂସ ହୋଇଯାଇଛି । ଭେନେଜୁଏଲାର ରାଜଧାନୀ କାରାକାସ୍ ଓ ଏହା ଆଖପାଖରେ ଥିବା ସାମରିକ ଘାଟିକୁ ଆମେରିକୀୟ ସେନା ଟାର୍ଗେଟ୍ କରିଥିଲା । ତନ୍ମଧ୍ୟରେ ଜେନେରାଲିସିମୋ ଫ୍ରାନ୍ସିସକୋ ଡି ମିରାଣ୍ଡା ଏୟାରବେସ, ଫୁର୍ଟେ ତିଉନା ସାମରିକ ଘାଟି, ପୋର୍ଟ ଲା ଗୁଏରା, ହିଗୁରୋଟେ ବିମାନବନ୍ଦର ଏବଂ ଆଣ୍ଟେନାସ ଏଲ୍ ଭୋଲକାନ ଟେଲିକମ୍ ଟାୱାର ଅନ୍ତର୍ଭୁକ୍ତ । ହମଲାରେ ମାଦୁରୋଙ୍କ ସୁରକ୍ଷା ଟିମ୍‌ର ଅନେକ ସଦସ୍ୟ ପ୍ରାଣ ହରାଇଥିବା ଭେନେଜୁଏଲାର ପ୍ରତିରକ୍ଷା ମନ୍ତ୍ରୀ ଭ୍ଲାଦିମିର ପାଦ୍ରିନୋ ଲୋପେଜ କହିଛନ୍ତି । ମାଦୁରୋ ଓ ପତ୍ନୀ ସିଲିୟା ଫ୍ଲୋରେସଙ୍କ ଗିରଫ ପରେ ସେମାନଙ୍କୁ ଅତି ଦୟନୀୟ ଭାବେ ନ୍ୟୁୟର୍କ ନିଆଯାଇଥିଲା । ଉଭୟଙ୍କ ହାତରେ ହାତକଡ଼ି ପଡ଼ିଥିଲା । ନ୍ୟୁୟର୍କରେ ପହଞ୍ଚିବା ପର୍ଯ୍ୟନ୍ତ ଉଭୟଙ୍କର ସ୍ଥିତି କିଭଳି ଥିଲା, ତାହା ମଧ୍ୟ ଫଟୋ ଓ ଭିଡିଓରୁ ସ୍ପଷ୍ଟ ଦେଖିବାକୁ ମିଳିଛି ।

ରାଷ୍ଟ୍ରପତି ମାଦୁରୋଙ୍କୁ ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରକୁ ନିଆଯିବା ବେଳେ ତାଙ୍କ ହାତ ବନ୍ଧାଯାଇଥିଲା । ତାଙ୍କୁ ଦୁଇଜଣ ସୁରକ୍ଷା କର୍ମୀ ଧରିଥିଲେ । ସେ କିଛି ଆପତ୍ତି ନ କରି ସେମାନଙ୍କ ସହ ଯାଉଥିବା ଦେଖିବାକୁ ମିଳିଛି । ଆମେରିକାର ଏଭଳି କାର୍ଯ୍ୟକୁ ଅନେକ ଦେଶ ନିନ୍ଦା କରିଛନ୍ତି । ସ୍ପେନ ଏହାକୁ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ଦର୍ଶାଇଛି । ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ନିଜ ସୋସିଆଲିଷ୍ଟ ପାର୍ଟି ସଦସ୍ୟଙ୍କୁ ଚିଠି ଲେଖି ଆମେରିକାକୁ ନିନ୍ଦା କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଭେନେଜୁଏଲାରେ ଯାହା ଘଟିଲା, ତାହାକୁ ଆଦୌ ଉଚିତ ଦର୍ଶାଯାଇ ପାରିବ ନାହିଁ । କୌଣସି ଦେଶରେ ପଶି ରାଷ୍ଟ୍ରପତିଙ୍କୁ ଧରିବା ସମ୍ପୂର୍ଣ୍ଣ ବେଆଇନ । ଚୀନ୍ ତୁରନ୍ତ ମାଦୁରୋଙ୍କୁ ଛାଡ଼ିବାକୁ ଆମେରିକାକୁ ଚେତାବନୀ ଦେଇଛି । ଉତ୍ତର କୋରିଆ ଏହି ଆକ୍ରମଣକୁ ଆମେରିକାର ଗୁଣ୍ଡାଗିରି ବିବେଚନା କରିଛି । ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଛନ୍ତି ।

​​​​​​​

ଭେନେଜୁଏଲାର ସୀମାକୁ ଲାଗିକରି ଥିବା ଅଞ୍ଚଳରେ କଲମ୍ବିଆ ୩୦ ହଜାର ସୈନ୍ୟ ମୁତୟନ କରିଛି । ନ୍ୟୁୟର୍କ ସିଟି ମେୟର ଜୋହରାନ ମମଦାନି ମାଦୁରୋଙ୍କ ଗିରଫଦାରି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ସେ ‘ଆକ୍ଟ ଅଫ୍ ୱାର’ ଦର୍ଶାଇଛନ୍ତି । ଏହା ଉଭୟ ଅନ୍ତର୍ଜାତୀୟ ଓ ଆମେରିକୀୟ ଆଇନର ଉଲ୍ଲଂଘନ ବୋଲି ସେ କହିଛନ୍ତି । ସେପଟେ ଜାତିସଂଘ ସୁରକ୍ଷା ପରିଷଦ ଏହି ପ୍ରସଙ୍ଗରେ ଜରୁରି ବୈଠକ ଡାକିଛି । ଆମେରିକାର ଅଧିକାଂଶ ପ୍ରମୁଖ ଡେମୋକ୍ରାଟ୍ ନେତା ଟ୍ରମ୍ପ୍ ପ୍ରଶାସନ ଅନଧିକୃତ ଭାବେ ବାହ୍ୟ ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା କହିଛନ୍ତି । ଆକ୍ରମଣର ୨୪ ଘଣ୍ଟା ପରେ ଭାରତର ପ୍ରତିକ୍ରିୟା ଆସିଛି । ଭାରତ ଏହାକୁ ଚିନ୍ତାଜନକ ଦର୍ଶାଇଛି । ବିଦେଶ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଭେନେଜୁଏଲାରେ ଯାହା ଘଟିଲା, ତାହା ଚିନ୍ତାର ବିଷୟ । ଆମେ ସେଠାକାର ସ୍ଥିତି ଉପରେ ନଜର ରଖିଛୁ । ଉକ୍ତ ଦେଶର ଜନତା ଏବଂ ସୁରକ୍ଷା ପାଇଁ ଆମେ ସମର୍ଥନ କରିବୁ । ତେବେ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ଲାଗି ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ପାଇଁ ଆମେ ଆହ୍ୱାନ ଦେଉଛୁ ।