ୱାଶିଂଟନ୍,୧୧/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ତାଙ୍କ ପ୍ରଶାସନରେ କାହାକୁ ସାମିଲ କରିବେ ତାହା ଉପରେ ନଜର ରହିଛି । ଏହା ଭିତରେ ନିଜ ପୂର୍ବ ଶାସନରେ ବିଦେଶ ମନ୍ତ୍ରୀ ଥିବା ମାଇକ୍ ପୋମ୍ପିଓ ଏବଂ ସାଉଥ୍ କାରୋଲିନାର ପୂର୍ବତନ ଗର୍ଭନର ତଥା ଭାରତୀୟ ବଂଶୋଦ୍ଭବ ନିକ୍କି ହାଲିଙ୍କୁ ତାଙ୍କ କ୍ୟାବିନେଟରେ ସାମିଲ କରିବେ ନାହିଁ ବୋଲି ଟ୍ରମ୍ପ୍ କହିଛନ୍ତି ।
ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ଫ୍ଲାଟଫର୍ମ ଟ୍ରୁଥ୍ ସୋସାଲରେ ଏ ନେଇ ପୋଷ୍ଟ କରି ଲେଖିଛନ୍ତି, ନିକ୍କି ହାଲି ଏବଂ ମାଇକ୍ ପୋମ୍ପିଓଙ୍କୁ ସେ ତାଙ୍କ ପ୍ରଶାସନରେ ସାମିଲ କରିବା ଲାଗି ନିମନ୍ତ୍ରଣ ପଠାଇନାହାନ୍ତି । ଗତଥର ସେମାନଙ୍କ ସହ କାମ କରି ଭଲ ଲାଗିଥିଲା । ଦେଶ ସେବାରେ ସେମାନଙ୍କ ଯୋଗଦାନ ପ୍ରଶଂସନୀୟ ଏବଂ ଏଥିଲାଗି ଧନ୍ୟବାଦ ଜଣାଉଛି ।
ମାଇକ୍ ପୋମ୍ପିଓ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଟ୍ରମ୍ପ୍ ରାଷ୍ଟ୍ରପତି ଥିବାବେଳେ ବିଦେଶ ମନ୍ତ୍ରୀ ରହିଥିଲେ । ନିକ୍କି ହାଲି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ରହିଥିଲେ । ଚଳିତ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିରୁ ନିକ୍କି ହାଲି ଟ୍ରମ୍ପ୍ଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ତେବେ ପ୍ରାଇମେରି ନିର୍ବାଚନରେ ହାରିବା ପରେ ନିକ୍କି ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ ।