ଲହୁଣୀପଡ଼ା ୨୮/୨(ଆପ୍ର) : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ରାଜମୁଣ୍ଡାର ଜାତୀୟ ରାଜପଥ ସମରଦରି ଛକ ନିକଟରେ ଏକ ସ୍କୁଟିକୁ ହାଇଓ୍ବା ଧକ୍କା ଦେବାରୁ ଜଣେ ଏନଆଇଟି ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଥିସହ ସ୍କୁଟିରେ ବସିଥିବା ଏନଆଇଟି ଛାତ୍ରୀ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ଜଣକ ହେଲେ କାର୍ତ୍ତିକେୟନ ସେନଥିଲ କ୍ରିଷ୍ଣନ। ଗୁରୁତର ଛାତ୍ରୀ ଜଣକ ହେଲେ ବାସନ୍ତୀ କାର୍ତ୍ତିକ ନାରାୟଣ (୧୯) ।
ରାଉରକେଲା ଏନଆଇଟି କଲେଜରୁ ୧୦ ଜଣ ପୁଅ ଏବଂ ୬ ଜଣ ଝିଅ ଭଡାରେ ମିଳୁଥିବା ୮ ଟି ସ୍କୁଟିରେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଆସୁଥିଲେ । ଜାତୀୟ ରାଜପଥ ସମରଦରି ଛକ ନିକଟରେ ରାଜାମୁଣ୍ଡା ଆଡୁ ରଙ୍ଗ ସାଇଡରୁ ଆସୁଥିବା ଏକ ହାଇୱା ଗାଡ଼ିଟି ସାମ୍ନା ପଟରୁ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ସ୍କୁଟି ଚାଳକ କାର୍ତ୍ତିକ କେନ୍ ଓ ପଛରେ ବସିଥିବା ଛାତ୍ରୀ ବାସନ୍ତୀ ଗୁରୁତର ହୋଇଥିଲେ । ସାଙ୍ଗରେ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଏ ନେଇ ପୁଲିସକୁ ଖବର ଦେଇଥିଲେ। ଲହୁଣୀପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ଲହୁଣୀପଡ଼ା ମେଡିକାଲ୍କୁ ପଠାଇଥିଲେ। ଡାକ୍ତର ଚିକିତ୍ସା କରୁଥିବା ବେଳେ କାର୍ତ୍ତକେନ୍କୁ ମୃତ ବୋଲି ଘୋଷଣା କରିଥିଲେ। ଗୁରୁତର ଛାତ୍ରୀ ବାସନ୍ତୀ କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନନ୍ତରିତ କରାଯାଇଛି। ଘଟଣା ସ୍ଥଳରୁ ହାଇୱା ଓ ସ୍କୁଟିକୁ ପୁଲିସ ଜବତ କରିଛି।