ଭୁବନେଶ୍ୱର,୨୫୪ା୧୨(ବ୍ୟୁରୋ): ବୋଷ୍ଟନରେ ଆଗାମୀ ଫେବ୍ରୁଆରୀ ୧୫-୧୬ରେ ଅନୁଷ୍ଠିତ ହେବାକୁ ଥିବା ହାର୍ଭାର୍ଡ ଇଣ୍ଡିଆ କନ୍‌ଫରେନ୍ସ (ଆଇସିଏଚ୍‌) । ଏହି ସମ୍ମିଳନୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍‌ ନୀତା ଅମ୍ବାନି ଭାରତର ବିଶ୍ୱଶକ୍ତି ଏବଂ ସମ୍ଭାବନା ଉପରେ ନିଜ ମତ ରଖିବେ । ଏ ବର୍ଷର ଥିମ୍‌ ‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ରଖାଯାଇଛି । 

ହାର୍ଭାର୍ଡ ଇଣ୍ଡିଆ କନ୍‌ଫରେନ୍ସରେ ୮୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ । ନୀତା ଅମ୍ବାନିଙ୍କ ସହ ଫାୟାର୍‌ସାଇଡ୍‌ ବାର୍ତ୍ତାଳାପରେ ଭାରତର ବିଶ୍ୱ ସ୍ତରରେ ଭୂମିକା ଏବଂ ଦୃଷ୍ଟିକୋଣ ଉପରେ ମଧ୍ୟ ଆଲୋଚନା କରାଯିବ । ଏହା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକୁ ନେଇ ଏକ ପଲିସି ହ୍ୟାକାଥନ୍‌ ଏବଂ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ଷ୍ଟାର୍ଟଅପ୍‌ ପିଚ୍‌ ପ୍ରତିଯୋଗିତା ଆୟୋଜିତ ହେବ । 

ଅନ୍ୟାନ୍ୟ ପ୍ରମୁଖ ବକ୍ତାମାନଙ୍କ ମଧ୍ୟରେ ରହିଛନ୍ତି, ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସର ପ୍ରତିଷ୍ଠାତା ଡିନ୍‌ ପ୍ରମଥ ରାଜ ସିହ୍ନା, ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସିଇଓ ଅନିଶ ଚୌହାନ, ଫ୍ୟାଶନ୍‌ ଡିଜାଇନର୍‌ ସାବ୍ୟାସାଚୀ ମୁଖାର୍ଜୀ ଏବଂ ଅଞ୍ଜଳି ବଂଶଲ । ସମ୍ମିଳନୀର ସହଚେୟାରମ୍ୟାନ୍‌ ଆୟୁଷ ଶୁକ୍ଲା କହିଛନ୍ତି ଯେ, ଏହି ମଞ୍ଚ ଭାରତର ବୈଷୟିକ ପ୍ରଗତି, ସାଂସ୍କୃତିକ ବିବିଧତା ଏବଂ ସାମୁଦାୟିକ ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପ୍ରଦର୍ଶିତ କରିଥାଏ ।