ନୂଆଦିଲ୍ଲୀ : ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ ମାମଲାରେ ବମ୍ବେ ହାଇକୋର୍ଟ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। E-20 ରେ ଅପମିଶ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରାଯାଉ ଥିବା ଗୁଜବର ଜବାବ ଏବେ ମେଟା, ଗୁଗଲ୍ ଏବଂ ଏକ୍ସ କୋର୍ଟ ରୁମରେ ଦେବେ। ହାଇକୋର୍ଟ ଗଡ଼କରୀଙ୍କୁ ଏହି ସବୁ ପ୍ଲାଟଫର୍ମଗୁଡ଼ିକ ବିରୋଧରେ ମାନହାନି ମାମଲା ଦାୟର କରିବାକୁ ଅନୁମତି ପ୍ରଦାନ କରିଛନ୍ତି।
ସୂଚନା ଯେ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ E-20କୁ ନେଇ ତାଙ୍କ ବିରୋଧରେ ପ୍ରସାରିତ ହେଉଥିବା ମିଥ୍ୟା ଖବରକୁ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ। ସେ କୋର୍ଟରେ ଭ୍ରମାତ୍ମକ ତଥ୍ୟକୁ ପ୍ରସାରିତ କରୁଥିବା ଏହି ସୋସିଆଲ୍ ମିଡିଆ ଏବଂ ସର୍ଚ୍ଚ ପ୍ଲାଟଫର୍ମ ଗୁଡ଼ିକ ବିରୋଧରେ ମାନହାନି ମାମଲା ଦାୟର କରିବା ପାଇଁ ଅନୁମତି ମାଗି ଥିଲେ, ଯାହାକୁ କୋର୍ଟ ସ୍ୱୀକାର କରିଛନ୍ତି।
ଏବେ ଗଡ଼କରୀ ମେଟା, ଏକ୍ସ (ଟ୍ୱିଟର) ଏବଂ ଗୁଗଲ୍ ସମେତ ଅନ୍ୟ କମ୍ପାନୀଗୁଡ଼ିକ ବିରୋଧରେ ମାନହାନି ମାମଲା ଦାୟର କରିବେ। ହାଇକୋର୍ଟ ଗଡ଼କରୀଙ୍କୁ ଏହି ପ୍ଲାଟଫର୍ମଗୁଡ଼ିକରେ ହୋଇଥିବା କଥିତ ଅପମାନଜନକ ପୋଷ୍ଟ ଏବଂ ଡିପଫେକ୍ (Deepfake) କଣ୍ଟେଣ୍ଟକୁ ନେଇ ଦେୱାନୀ (ସିଭିଲ୍) ମାମଲା ଦାୟର କରିବାକୁ ଅନୁମତି ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଅଭିଯୋଗ କରିଛନ୍ତି ଯେ, ସୋସିଆଲ୍ ମିଡିଆ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଗୁଡ଼ିକରେ ତାଙ୍କ ବିରୋଧରେ ମିଥ୍ୟା, ଭ୍ରମାତ୍ମକ ଏବଂ ଅପମାନଜନକ ତଥ୍ୟ ପ୍ରସାରିତ କରାଯାଇଛି। ଏଥିରେ ଏପରି କିଛି ପୋଷ୍ଟ ଏବଂ ଡିପଫେକ୍ କଣ୍ଟେଣ୍ଟ ସାମିଲ ଅଛି, ଯେଉଁଥିରେ ତାଙ୍କୁ ଏବଂ ତାଙ୍କ ପରିବାରକୁ E20 (୨୦ % ଇଥାନଲ୍ ମିଶ୍ରିତ ପେଟ୍ରୋଲ୍) ନୀତିରୁ ବେଆଇନ ଫାଇଦା ମିଳୁ ଥିବା ନେଇ ଦର୍ଶାଯାଇଛି।
ଆବେଦନରେ କୁହାଯାଇଛି ଯେ, ଇଥାନଲ୍ ନୀତିର ପରିଚାଳନା ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦ୍ୱାରା କରାଯାଏ, ଏପରି ସ୍ଥିତିରେ ଗଡ଼କରୀ ଏବଂ ତାଙ୍କ ପରିବାରକୁ ଏଥିସହ ଯୋଡ଼ି କୁହାଯାଉ ଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମାନହାନିକାରକ। ବମ୍ବେ ହାଇକୋର୍ଟଙ୍କ ଅନୁମତି ପରେ ଗଡ଼କରୀ ଏବେ ମେଟା, ଏକ୍ସ, ଗୁଗଲ୍ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିରୋଧରେ ସିଭିଲ୍ ମାମଲା ଦାୟର କରିବାକୁ ଯାଉଛନ୍ତି।
ଆହୁରି ମଧ୍ୟ ପଢନ୍ତୁ - ଭଙ୍ଗା ଗୋଡ଼ର ଚିକିତ୍ସା ପାଇଁ ଆସି ଥିଲେ, ଡାକ୍ତରମାନେ ହାର୍ଟରେ ଲଗାଇ ଦେଲେ ଷ୍ଟେଣ୍ଟ !