ନୂଆଦିଲ୍ଲୀ,୧୧।୩:  ଓମ୍ ବିର୍ଲାଙ୍କୁ ବାଚସ୍ପତି ପଦରୁ ହଟାଇବା ନେଇ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ବୁଧବାର ଲୋକସଭାରେ ଧ୍ବନିମତରେ ଖାରଜ ହୋଇଛି। ଏହାଦ୍ବାରା ବିରୋଧିଙ୍କୁ ଲାଗିଛି ଜୋରଦାର ଝଟକା। ଲୋକସଭାରେ ଏହି ପ୍ରସ୍ତାବ ଉପରେ ଦୁଇ ଦିନ ଧରି ଆଲୋଚନା ହୋଇଥିଲା, ଅନାସ୍ଥା ପ୍ରସ୍ତାବ ଉପରେ ଭଏସ୍ ଭୋଟ୍ ପରେ, ଗୃହର ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଜଗଦମ୍ବିକା ପାଲ ଆସନ୍ତାକାଲି ଅର୍ଥାତ ଗୁରୁବାର ସକାଳ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।ଏହା ସହ ବିରୋଧୀ ଦଳକୁ ଏକ ବଡ଼ ଝଟକା ଲାଗିଲା। ଏହା ବ୍ୟତୀତ, ଆଜି କେନ୍ଦ୍ର ଗୃହମନ୍ତ୍ରୀ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଥିଲେ

ବିରୋଧୀ ନେତାଙ୍କ ସମର୍ଥନରେ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ଏହି ପ୍ରସ୍ତାବ ଆଗତ କରିଥିଲେ ଏବଂ ବାଚସ୍ପତିଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଥିଲେ, କିନ୍ତୁ ଏନଡିଏ ଏହି ଅଭିଯୋଗଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିର୍ଲାଙ୍କୁ ସୁରକ୍ଷା ଦେବା ସହ ବିରୋଧୀ ଦଳକୁ କଡା ସମାଲୋଚନା କରିଥିଲେ। ପ୍ରସ୍ତାବ ଖାରଜ୍ ପରେ ଓମ୍ ବିର୍ଲା ଲୋକସଭାର ବାଚସ୍ପତି ରହିବେ।   

ବିରୋଧୀଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ଓମ୍ ବିର୍ଲାଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ। ନିୟମ ବିରୁଦ୍ଧରେ କହିବାର ଅଧିକାର କାହାରି ନାହିଁ। ଏହା ସହିତ, ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଶାହ କହିଛନ୍ତି ଯେ ସେ ଦାବି କରନ୍ତି ଯେ ତାଙ୍କୁ କହିବାକୁ ଅନୁମତି ନାହିଁ, ଯଦିଓ ସେ ନିଜେ ବିତର୍କରେ ଅଂଶଗ୍ରହଣ କରନ୍ତି ନାହିଁ ଏବଂ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ସମୟରେ ପ୍ରାୟତଃ ବିଦେଶରେ ଥାଆନ୍ତି। ବୁଧବାର ଶାହଙ୍କୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବର ଉତ୍ତର ଦେବାର ଥିଲା। ଗୃହରେ ଭାଷଣ ଦେଇ ସେ କହିଥିଲେ ଯେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେତେବେଳେ ଆଖି ମାରନ୍ତି ତ ଆଉ କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆସନରେ ଆଲିଙ୍ଗନ କରନ୍ତି।ଶାହଙ୍କ ଏହି ମନ୍ତବ୍ୟ ପରେ ବିରୋଧୀ ଦଳର ସାଂସଦମାନେ ହଟ୍ଟଗୋଳ କରିଥିଲେ ଶାହଙ୍କୁ ଏବଂ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ।