ନୂଆଦିଲ୍ଲୀ,୧୨/୦୪: ଦିନକୁ ଦିନ ତେଜୁଛି ଟାରିଫ୍ ୱାର । ବିଶେଷ କରି ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍‌କୁ ନେଇ ତିକ୍ତତା ଦେଖାଦେଇଛି । ଦୁଇ ଦେଶ ପରସ୍ପର ଉପରେ ଶୁଳ୍କ ଲଗାଉଛନ୍ତି । ଏହାରି ଭିତରେ ଆମେରିକା- ଭାରତ ଟ୍ରେଡ଼ ଟକ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ହୋଇଛି । ବନ୍ଧକ ମୂନରେ ଆମେ କୌଣସି ଚୁକ୍ତି କରିବୁନି ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ବିରୋଧରେ ଯେସାକୁ ତେସା ଟିକସ ଲାଗୁ କରିବା ଏବେ ୯୦ ଦିନର ଆଶ୍ୱସ୍ତି ଦେଇଛନ୍ତି । ଏହା ପରେ ଦେଶସମୂହ ଆମେରିକା ସହ ଆଲୋଚନା କରିବା ଲାଗି ବ୍ୟସ୍ତ ହୋଇପଡ଼ିଲେଣି । ଇଣ୍ଡିଆ-ଇଟାଲୀ ବିଜ୍‌ନେସ ଫୋରମକୁ ସମ୍ବୋଧିତ କରି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି, '' ବନ୍ଧକ ମୂନରେ ଆମେ କୌଣସି ଚୁକ୍ତି କରିବୁନି . ଉଭୟ ପକ୍ଷ ଯେତେବେଳେ ସେମାନଙ୍କ ଆବଶ୍ୟକତା ଏବଂ ସମସ୍ୟାକୁ ବୁଝିବା ସହ ସମ୍ବେଦନଶୀଳ ହେବେ ସେବେ ଆଲୋଚନା ପାଇଁ ରାସ୍ତା ବାହାରିବ । ବିକଶିତ ଭାରତ ୨୦୪୭କୁ ନଜରରେ ରଖି 'ଇଣ୍ଡିଆ ଫାଷ୍ଟ' ଆଧାରରେ ଆମର ସବୁ ବାଣିଜ୍ୟିକ ଆଲୋଚନା ଠିକ୍‌ ଭାବେ ଅଗ୍ରଗତି କରୁଛି । ଗନ୍‌ ପଏଣ୍ଟ ବା ବାଧ୍ୟବାଧକତାରେ କାହାକୁ କୌଣସି ଆଲୋଚନାରେ କାହାକୁ ସାମିଲ କରାଇ ହେବନି । ଠିକ୍‌ ସମୟ ଆସିଲେ ତ୍ୱରିତ ଆଲୋଚନା ସମ୍ଭବ । ସେହି ସମୟ ଯାଏ ଦେଶ ଏବଂ ଲୋକଙ୍କ ସ୍ୱାର୍ଥ ରକ୍ଷା ଉପରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ୯୦ ଦିନିଆ ଟାରିଫ୍‌ ଆଶ୍ୱସ୍ତି ପରେ ଏବେ ୭୫ ଦେଶ ଆମେରିକା ସହ ଆଲୋଚନା କରିବା ଲାଗି ଅଗ୍ରସର ହୋଇଛନ୍ତି । ''

ଅଧିକ ପଢ଼ନ୍ତୁ...US-china Trade war: ତୀବ୍ର ହେଉଛି ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ; ଆମେରିକୀୟ ସାମଗ୍ରୀ ଉପରେ ଟାରିଫ ବଢାଇଲା ଚାଇନା

ସେହିପରି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ଭାରତର ବାଣିଜ୍ୟିକ ଆଲୋଚନା ଅପେକ୍ଷାକୃତ ଜଟିଳ । ଏବେ ବିଶ୍ୱ ବଜାର ସ୍ଥିତି ବେଶି ଆହ୍ୱାନପୂର୍ଣ୍ଣ ହୋଇଛି । ବିଭିନ୍ନ ଦିଗକୁ ଦେଖି କାମ କରିବାକୁ ପଡ଼ୁଛି । ମାତ୍ର ଭାରତଠାରୁ ଆମେରିକା ବଡ଼ ଆଶା ରଖୁଛି । ଟ୍ରମ୍ପଙ୍କ ପୂର୍ବ ପାଳି ସମୟରେ ଉଭୟ ଦେଶ ବାଣିଜ୍ୟିକ ଆଲୋଚନାରେ ସାମିଲ ହୋଇଥିଲେ । ଉଭୟ ପକ୍ଷ ସେମାନଙ୍କ ଯୁକ୍ତି ମଧ୍ୟ ରଖିଥିଲେ । ସ୍ଥିତି ସ୍ୱାଭାବିକ ହୋଇପାରିନି । କେବଳ ଆମେରିକା ସହ ନୁହେଁ ୟୁରୋପୀୟ ସଂଘ ସହ ୩୦ ବର୍ଷ ସହ ଦେଶ ଆଲୋଚନା ଜାରି ରଖିଥିବା ବେଳେ ଏଥିରେ ସଫଳତା ମିଳିନି । ''

ଉଲ୍ଲେଖଯୋଗ୍ୟ, ଭାରତ ଉପରେ ଟ୍ରମ୍ପ ୨୬% ଟାରିଫ ଲଗାଇବା ସମସ୍ତଙ୍କୁ ଚକିତ କରିଥିଲା । ଭାରତ ଉପରେ ଲାଗୁ ହୋଇଥିବା ଟିକସ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅପେକ୍ଷାକୃତ କମ୍‌ ।